ନବୀନଙ୍କୁ ଟକ୍କର ଦେବେ ୯ ପ୍ରାର୍ଥୀ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଓଡ଼ିଶା ରାଜ୍ୟର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ । ଗତ ୨୦୦୦ ମସିହା ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଚଳିତ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ହିଞ୍ଜିଳି ବିଧାନସଭା ଆସନ ସକାଶେ ୨ୟ ପର୍ଯ୍ୟାୟରେ ଅର୍ଥାତ ଚଳିତ ମାସ ୨୦ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଶାସକ ବିଜେଡ଼ି ଠାରୁ ଆରମ୍ଭ କରି ବିରୋଧୀ କଂଗ୍ରେସ, ବିଜେପି ଓ ସ୍ୱାଧିନ ଦଳର ପ୍ରାର୍ଥୀ ମାନେ ଘମାଘୋଟ ପ୍ରଚାର ଚଲାଇଛନ୍ତି । ଏକଦା ହିଞ୍ଜିଳି ବିଧାନସଭା କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିବା ବେଳେ ଗତ ୨୦୦୦ ମସିହା ପରଠାରୁ ନବୀନ ପଟ୍ଟନାୟକ ହିଞ୍ଜିଳିରେ ପାଦ ଥାପିବା ପର ଠାରୁ ବିଜେଡ଼ିର ଗଡ଼ ଭାବେ ପରିଗଣିତ ହୋଇ ଆସୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ଥିବାରୁ ଏଠାରେ ଶାସକ ବିଜେଡ଼ିର ସମ୍ପୂର୍ଣ୍ଣ ଦବଦବା ରହିଛି । ଗତ ୨୦୦୦ ମସିହା ଠାରୁ ଲଗାତାର ଭାବେ ୫ ଥର ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ, ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ୬ଷ୍ଠ ଥର ସକାଶେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୃତି କରି ସାରିଛନ୍ତି । ଅନ୍ୟ ପକ୍ଷରେ ଗତ ୨୪ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନିତିର ଖୁଲାସା କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି । ସେହିପରି ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରି ଭାରତୀୟ ଜାତୀୟ କଂଗ୍ରେସ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।
ଗତ ୨୦୧୪ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ବିଜେଡ଼ି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୯୨୬୭ ଭୋଟ ପାଇଥିଲେ । କଂଗ୍ରେସରୁ ଶିବରାମ ପାତ୍ର ୧୨୬୮୧, ବିଜେପିରୁ ଦେବାନନ୍ଦ ମହାପାତ୍ର ୧୨୨୮୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଆମ ଓଡ଼ିଶା , ଆମ ଆଦମୀ, ତୃଣମୁଳ କଂଗ୍ରେସ, ଆରଏମପି ଓ ସ୍ୱାଧୀନ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନରେ ଥିବା ବେଳେ ୧୮୯୫ ଭୋଟ ନୋଟାରେ ପଡ଼ିଥିଲା । ନବୀନ ପଟ୍ଟନାୟକ ତାଙ୍କରି ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଶିବରାମଙ୍କୁ ୭୬୫୮୬ ଭୋଟ ବ୍ୟବଧାନରେ ପରାଜୟ କରିଥିଲେ । ୨୦୧୪ ନିର୍ବାଚନରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୧୦ଟି ଭୋଟ ଦାନ କେନ୍ଦ୍ରରେ ସର୍ବମୋଟ ୧୨୨୦୬୫ ଜଣ ଭୋଟର ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସାଧାରଣ ଭୋଟର ୧୦୭୭୬୦(ପୁରୁଷ), ୯୩୫୧୪ (ମହିଳା), ତୃତୀୟ ଲିଙ୍ଗ ୨, ଚାକିରିଆ ଭୋଟର ୧୬୬(ପୁରୁୂଷ), ୭୫ (ମହିଳା) ଭୋଟଦାନ କେନ୍ଦରେ ମତଦାନ କରିଥିବା ବେଳେ ଡ଼ାକ ଜରିଆରେ ୯୨ ଜଣ ଭୋଟର ମତଦାନ କରିଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୬୦.୫୭ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ୨୦୧୯ ମସିହା ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନ ସକାଶେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ନବୀନ ପଟ୍ଟନାୟକ ୯୪୦୬୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫, କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫, ବିଏସପି ପ୍ରାର୍ଥୀ ଭାସ୍କର ଚୌଧୁରୀ ୯୯୪, ଏସୟୁସିଆଇ (କମ୍ୟୁନିଷ୍ଟ) ପ୍ରାର୍ଥୀ ତିରୁପତି ଦୋରା ୯୧୮, ସ୍ୱାଧିନ ପ୍ରାର୍ଥୀନୀ ସି. ଲକ୍ଷ୍ମୀ ଆଚାରୀ ୮୬୫, ବାବୁଲା ସାହୁ ୮୫୯, ସୁକାନ୍ତ କିଶୋର ପଣ୍ଡା ୭୭୩ ଏବଂ ଏଏନସି ପ୍ରାର୍ଥୀ ରଞ୍ଜନ କୁମାର ଆପଟ ୬୬୮ ଖଣ୍ଡ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲେ । ୧୫୦୩ଟି ଭୋଟା ନୋଟାରେ ପଡିଥିଲା ।
୨୦୨୪ ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୯ ଜଣ ପ୍ରାର୍ଥୀ । ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରଜନୀକାନ୍ତ ପାଢି, ବହୁଜନ ସମାଜ ପାର୍ଟି ପକ୍ଷରୁ ବଳରାମ ନାହାକ, ଆମ ଆଦମି ପାର୍ଟି ପକ୍ଷରୁ ଭଜରାମ ସାବତ, ଏସୟୁସିଆ (କମ୍ୟୁନିଷ୍ଟ) ଦଳ ପକ୍ଷରୁ ନାରାୟଣ ସାହୁ, ସ୍ୱାଧିନ ପ୍ରାର୍ଥୀ ଭାବେ ଅକ୍ଷୟ କୁମାର, ରାମ ନାରାୟଣ ବିଶ୍ୱାସରାୟ, ସବିତା କୁମାରୀ ସାହୁ ଓ ଏସ. ଲକ୍ଷ୍ମୀ ଆଚାରୀ ପ୍ରତିଦ୍ୱନ୍ଦିତା କରୁଥିବା ସୂଚନା ମିଳିଛି । ଚଳିତ ମାସ ୨୦ ତାରିଖରେ ମତଦାନ ଗ୍ରହଣ ରହିଥିବାରୁ ସମସ୍ତ ପ୍ରାର୍ଥୀ ଦିନରାତି ଏକ କରି ପ୍ରଚାର ପ୍ରସାର ଜୋରଦାର କରିଛନ୍ତି । ଚଳିତ ନିର୍ବାଚନରେ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେଉଥିବାର ଦେଖିବାକୁ ମିଳୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ