ଗଞ୍ଜେଇ ଜବତ ୩ ଗିରଫ ଯାତ୍ରୀବାହୀ ଅଟୋ ଜବତ

ହିଞ୍ଜିଳିକାଟୁ, ସୁଧାନିଧି ଚୌଧୁରୀ (ନି.ପ୍ର): ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଠାରୁ କିଛି ଦୂରରେ ଥିବା ବିଜୁ ପଟ୍ଟନାୟକ ଛକ ନିକଟରେ ଏକ ଯାତ୍ରୀବାହୀ ଆଟୋ (ଓଡି୩୨ବି ୯୨୩୬)ରୁ ହିଞ୍ଜିଳି ପୋଲିସ ସାଢେ ୧୪ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଅଟୋ ଚାଳକ ଜଗନ୍ନାଥପ୍ରସାଦ ଗ୍ରାମର ରବିନ୍ଦ୍ର ପ୍ରଧାନ (୨୩), ଗଞ୍ଜେଇ କାରବାରରେ ଜଡିତ ଥିବା ଜଗନ୍ନାଥପ୍ରସାଦ ଗ୍ରାମର ସୁବାଷ ରାଉତ (୨୪) ଓ ସୋରଡା ଥାନା କେଶରା ଗ୍ରାମର ନାବାଳକ ରାହୁଲ ବିଷୋୟୀ (୧୭) ବୋଲି ପୁଲିସ କହିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୪୪୪/୨୪ ରେ ଏକ ମାମଲା ରୁଜୁ କରି ଗିରଫ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗିରଫ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା ସୂଚନା ଦେଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ , ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ମାସ ୨୦ ତାରିଖରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସକାଶେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟହ ରାତ୍ର ସମୟରେ ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ହିଞ୍ଜିଳି ପୁଲିସ ପକ୍ଷରୁ ପାଟ୍ରୋଲି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରବିବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜୁ ପଟ୍ଟନାୟକ ଛକରେ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ଵାବଧାନରେ ପୁଲିସ ବାହିନୀ ଯାନବାହାନ ଯାଞ୍ଚ କରୁଥିବା ବେଳେ ଜଗନ୍ନାଥପ୍ରସାଦ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ପୁଲିସକୁ ଦେଖି ଦୃତ ଗତିରେ ଖସି ଯିବାକୁ ଉଦ୍ୟମ କରିଥିଲା। ପୁଲିସ ଟିମ୍ ସନ୍ଦେହ କରି ଯାତ୍ରୀବାହୀ ଅଟୋକୁ ଅଟକାଇବା ସହ ଯାଞ୍ଚ କରିବା ବେଳେ ଅଟୋରୁ ସାଢେ ୧୪ କିଲୋଗ୍ରାମ ଓଜନର ଗଞ୍ଜେଇ ମହଜୁଦ ଥିବା ଜଣା ପଡିଥିଲା। ଜେରାବେଳେ ୨ ଗଞ୍ଜେଇ ବେପାରୀ ଜଗନ୍ନାଥପ୍ରସାଦ ଅଞ୍ଚଳରୁ କେରଳକୁ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛନ୍ତି । ରବିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ଯାତ୍ରୀବାହୀ ଅଟୋ ଚାଳକଙ୍କୁ ୨ ଜଣ ଯୁବକ ବ୍ରହ୍ମପୁର ରେଳଷ୍ଟେସନ ଠାରେ ଛାଡିବା ପାଇଁ ଭଡା ସୂତ୍ରରେ ଅଟୋ ଚାଳକଙ୍କୁ କହିଥିଲେ। ଅଟୋରେ ବସିବା ପରେ ୨ ଯୁବକ କୈାଶଳ କରି ଅଟୋରେ ଗଞ୍ଜେଇ ରଖିଥିବା ଜଣାପଡିଛି। ସୂଚନା ଯୋଗ୍ୟ, ହିଞ୍ଜିଳି ଥାନା ଓ ଅବକାରୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗଞ୍ଜେଇ ଓ ମାଦକ ଦ୍ରବ୍ୟ ଖୁଲମ୍ ଖୋଲା କାରବାର ହେଉଥିବା ଜଣାପଡିଛି। ଛୋଟ ବଡ଼ ଗଞ୍ଜେଇ ବେପାରୀଙ୍କ ସହ ମହିଳା ଓ ଯୁବତୀ ଏହି ଚୋରା କାରବାରରେ ଲିପ୍ତ ଥିବା ବେଳେ ସେମାନଙ୍କ ଠାରୁ ଗଞ୍ଜେଇ ଓ ମାଦକ ଦ୍ରବ୍ୟର ସନ୍ଧାନ ପାଇବାରେ ପୋଲିସ ଓ ଅବକାରୀ ବିଭାଗ ସଫଳ ହେଉଥିବା ଆଲୋଚନା ହେଉଛି। ଗାଁ ଗାଁ ରେ ଗଞ୍ଜେଇ ବେପାରୀ ମୁଣ୍ଡ ଟେକିଥିଲା ବେଳେ ଏଥିରେ ପୋଲିସ ଓ ଅବକାରୀ ବିଭାଗ ହାତ ଟେକି ଦେଇ ନ ଜାଣିବା ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ