ଖରା ତାତିକୁ ପଛରେ ପକାଇଛି ନିର୍ବାଚନ ତାତି

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ):ବୈଶାଖ ମାସ ଟାଣ ଖରା ଦିନ ବେଳା ଘରୁ ବାହାରିବା ମୁସ୍କିଲ । ଦିନ ୧୧ ଟା ହେଲେ ରାସ୍ତା ଘାଟ ଶୂନଶାନ ହୋଇପଡ଼ୁଛି । କିନ୍ତୁ ବର୍ତ୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଚି ନିର୍ବାଚନ ତାତି । ଯେତେ ଟାଣ ଖରା ହେଉଥିଲେ ମଧ୍ୟ ନେତାଙ୍କୁ ଏହା କିଛି ଜଣାପଡୁନାହିଁ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତା ମାନେ ଖରାକୁ ପଛରେ ପକାଇ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି ଗାଁ ଗାଁ ରେ ଭୋଜିଭାତର ଆସର ଜମିଛି । କର୍ମୀ ମାନେ ନିଜ ନେତାଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଗ୍ରାମବାସୀଙ୍କୁ ବିଭିନ୍ନ କୌଶଳରେ ମନାଇ ରଖିବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହୋଇ ଆସୁଛି । ଯେହେତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ସହ ଗତ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ହିଞ୍ଜିଳି ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଚଳିତ ନିର୍ବାଚନରେ ଲକ୍ଷାଧିକ ଭୋଟରେ ବିଜୟୀ ହୋଇ ୬ଷ୍ଠ ଥର ସକାଶେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ଦୀର୍ଘ ୨୪ ବର୍ଷ ଧରି ଶାସକ ବିଜେଡି ନିଜ ଅକ୍ତିଆରରେ ରଖିଥିବା ବେଳେ ଏଥର ନିର୍ବାଚନ ସରଗରମ ହେବା ସହ ବିରୋଧୀ ବିଜେପି ଓ କଂଗ୍ରେସ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ହିଞ୍ଜିଳି ବିଧାନସଭା ଆସନରୁ ବିଜେଡିରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ବେଳେ ତାଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରଜନୀକାନ୍ତ ପାଢି, ବହୁଜନ ସମାଜ ପାର୍ଟି ପକ୍ଷରୁ ବଳରାମ ନାହାକ, ଆମ ଆଦମି ପାର୍ଟି ପକ୍ଷରୁ ଭଜରାମ ସାବତ, ଏସୟୁସିଆ (କମ୍ୟୁନିଷ୍ଟ) ଦଳ ପକ୍ଷରୁ ନାରାୟଣ ସାହୁ, ସ୍ୱାଧିନ ପ୍ରାର୍ଥୀ ଭାବେ ଅକ୍ଷୟ କୁମାର, ରାମ ନାରାୟଣ ବିଶ୍ୱାସରାୟ, ସବିତା କୁମାରୀ ସାହୁ ଓ ଏସ. ଲକ୍ଷ୍ମୀ ଆଚାରୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଶାସକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ସମସ୍ତ ପ୍ରକାର ରଣନୀତି ଚଲାଇଥିବା ଦେଖିବାକୁ ମିଳୁଛି । ନିର୍ବାଚନ କଡ୍ଡା ଟକ୍କର ହେବାକୁ ଥିବା ବେଳେ ଭୋଟ ଗ୍ରହଣ ପର୍ଯ୍ୟନ୍ତ ନିଜ ଭୋଟରଙ୍କୁ ମନାଇ ନେତାମାନେ ନିର୍ବାଚନ ବୈତରଣୀ ପାର ହେବାକୁ ବୈଶାଖ ମାସର ଟାଣ ଖରାକୁ ମଧ୍ୟ ପଛରେ ପକାଇ ଶେଷ ଉଦ୍ୟମରେ ଲାଗି ପଡ଼ିଛନ୍ତି ଗାଁ ଗାଁ ରେ ସଭା ସମିତି ରାଲି ଓ ଗୁପ୍ତ ବୈଠକ ଜାରୀ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ଥାନୀୟ ବିଜେଡି କର୍ମୀ ମାନେ ଦିନରାତି ,ଏକାକାର କରି ବ୍ଳକର ସମସ୍ତ ପଞ୍ଚାୟତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ସମସ୍ତ ୱାର୍ଡ ବୁଲି ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ୨୪ ବର୍ଷରେ ଗମନାଗମନ, ପାନୀୟଜଳ, କୃଷି ପାଇଁ ଜଳସେଚନର ସୁବିଧା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଉନ୍ନୟନମୂଳକ ପ୍ରକଳ୍ପ ଆଦି ବିକାଶର ବାର୍ତ୍ତା ନେଇ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଦଳୀୟ କର୍ମୀଙ୍କୁ ସଙ୍ଗରେ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକ୍ରମର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଭୋଟରକଙ୍କୁ ଅବଗତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଅଧିକ ଆଶାବାଦୀ ରହିଛନ୍ତି । ରାଜ୍ୟ ମୁଖିଆଙ୍କ ଗଡ ଭାବେ ପରିଚିତ ଥିବା ହିଞ୍ଜିଳି ଆସନରେ ନବୀନଙ୍କୁ ଚେକ୍ ଦେବା ପାଇଁ ବିଜେଡ଼ି ବିରୋଧରେ ଓ ଦଳୀୟ ସପକ୍ଷରେ ପ୍ରଚାର କରିବାକୁ କୈାଣସି କେନ୍ଦ୍ରମନ୍ତ୍ରୀ କିମ୍ବା ଦଳୀୟ ଷ୍ଟାର କ୍ୟାମ୍ପନର ଏଯାବତ୍ ଆସିନଥିଲେ ମଧ୍ୟ ଭାଜପା ପ୍ରାର୍ଥୀ ମିଶ୍ର ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମୀଙ୍କ ଗହଣରେ ଗାଁ ଗାଁ ବୁଲି କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ସେହିପରି କଂଗେସରୁ ଟିକଟ ପାଇଥିବା ଆଇନଜିବୀ ତଥା ବିଜେପି ଦଳ ତ୍ୟାଗ କରି ନିକଟ ଅତୀତରେ କଂଗ୍ରେସ ଦଳରେ ଯୋଗଦାନ କରି ଟିକେଟ ହାତେଇବା ରଜନୀ ପାଢିଙ୍କ ପାଇଁ କୌଣସି ଦଳୀୟ ହାଇକମାଣ୍ଡ ନିର୍ବାଚନ ପ୍ରଚାରରେ ଆସିନଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ହିଞ୍ଜିଳି ବାସୀଙ୍କ ସହ ରହି ଆସିଥିବାରୁ ଏବଂ ସେମାନେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି । ଆଞ୍ଚଳିକ ସମସ୍ୟାକୁ ନେଇ ବର୍ଷ ତମାମ ବିଭିନ୍ନ ଆନ୍ଦୋଳନ ଜାରୀ ରଖିଥିବାରୁ ଜନସାଧାରଣ ଅଞ୍ଚଳର ବିକାଶ ପାଇଁ ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ରଜନୀ ପାଢି ଆଶାବାଦୀ ଅଛନ୍ତି । ତେବେ ଅନ୍ୟାନ ଆମ ଆଦମୀ ପ୍ରାର୍ଥୀ, ସିପିଆଇ, ସ୍ୱାଧିନ ପ୍ରାର୍ଥୀ ମାନେ ୨ ଦିନ ଧରି କିଛି ଜନସାଧାରଣଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ୱର ଉତ୍ତୋଳନ କରି ପ୍ରଚାର କରିବା ସହ ଭୋଟଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ