ଅକ୍ଷୟ ତୃତୀୟାରେ ମିଳେ ଅକ୍ଷୟ ଫଳ

ନିମାପଡ଼ା,(ସନ୍ତୋଷ ଦାଶ) ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଦିବସ ଟି ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ।ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଅକ୍ଷୟ ତୃତୀୟା ଏକ ମହାନ ପର୍ବ ଭାବେ ରହି ଆସିଛି କାହିଁ କେତେ କାଳରୁ। ପୌରାଣିକ ଗ୍ରନ୍ଥ ଅନୁସାରେ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଦିନ ଯେକୌଣସି ଶୁଭ କାର୍ଯ୍ୟ କରାଗଲେ ‘ଅକ୍ଷୟ ଫଳ’ ପ୍ରାପ୍ତ ହୋଇଥାଏ । ଏହି କାରଣ ରୁ ଏହାକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା କୁହାଯାଏ ।ଅକ୍ଷୟ ଅର୍ଥାତ ଯାହା କେବେବି ବି କ୍ଷୟ ହୁଏ ନାହିଁ।ତୃତୀୟା ହେଉଛି ତିଥି। ମାନ୍ୟତା ଅଛି ଅକ୍ଷୟ ତୃତୀୟା ହେଉଛି ଏପରି ତିଥି, ଯେଉଁ ତିଥିରେ ସୌଭାଗ୍ୟ ଏବଂ ଶୁଭଫଳ କେବେବି ଶେଷ ହୁଏ ନାହିଁ ।ମୁହୂର୍ତ୍ତ ଜ୍ୟୋତିଷ ଅନୁସାରେ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଦିବସ ବା ଅକ୍ଷୟ ତୃତୀୟା ଦିବସ ର ପ୍ରତ୍ୟେକ ଟି ମୁହୂର୍ତ୍ତ ସ୍ୱୟଂସିଦ୍ଧ ହୋଇଥାଏ । ଅର୍ଥାତ ଯେଉଁ ତିଥିର ସବୁ ସମୟରେ ଶୁଭକାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଅବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ବଡ଼ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଛି। ସବୁ କାର୍ଯ୍ୟ ର ଅନୁକୂଳ ପାଇଁ ଅକ୍ଷୟ ତୃତୀୟା ଦିନଟି ବେଶ ଭଲ ଓ ଶୁଭ ହୋଇଥିବାରୁ ଗୃହନିର୍ମାଣ, ଗୃହ ପ୍ରବେଶ, ନିର୍ବନ୍ଧ, ବିବାହ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ।ଏହି ତିଥି କୃତ୍ତିକା ବା ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିବାରୁ କୌଣସି କାମ ଆରମ୍ଭ କଲେ ମହାଫଳ ପ୍ରାପ୍ତି ହୁଏ।
ଯେକୌଣସି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉଦ୍ଦିଷ୍ଟ ଶ୍ରେଷ୍ଠ ସମୟକୁ ମୁହୂର୍ତ୍ତ କୁହାଯାଏ ।ଜ୍ୟୋତିଷ ଶାସ୍ତ୍ରରେ ବର୍ଷକ ମଧ୍ୟରେ ମାତ୍ର ସାଢେ ତିନି ମୁହୂର୍ତ୍ତ କୁ ଶ୍ରେଷ୍ଠମୁହୂର୍ତ୍ତ ଭାବେ ବିବେଚନା କରାଯାଏ ।ଏହି ସାଢେ ତିନି ମୁହୂର୍ତ୍ତ କୁ ଅବୁଝ ବା ସ୍ୱୟଂସିଦ୍ଧ ମୁହୂର୍ତ୍ତ କୁହାଯାଏ। କାରଣ ଏହି ଅବୁଝ ବା ସ୍ୱୟଂସିଦ୍ଧ ମୁହୂର୍ତ୍ତ ପଞ୍ଚାଙ୍ଗ ଦେଖିବାର ଆବଶ୍ୟକତା ନ ଥାଏ । ଏହି ସାଢେ ତିନି ଅବୁଝ ବା ସ୍ୱୟଂସିଦ୍ଧ ମୁହୂର୍ତ୍ତ ଗୁଡିକ ହେଉଛି ବୈଶାଖ ଶୁକ୍ଳ ତୃତୀୟା ତିଥି , ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା, ଆଶ୍ଵିନ ଶୁକ୍ଳ ଦଶମୀ ତିଥି ଅର୍ଥାତ ଦଶହରା ବା ବିଜୟା ଦଶମୀ।ଓଡ଼ିଆ ସଂସ୍କୃତି ଅନୁଯାୟୀ ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ।ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।କୃଷକ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ( ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ବାଉଁଶ ରେ ନିର୍ମାଣ ହୋଇଥାଏ ) ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଶ୍ରୀ ମନ୍ଦିର ରୁ ଶ୍ରୀ ଜିୟୁ
ମାନଙ୍କ ଆଜ୍ଞାମାଳ ରଥଖଳା କୁ ବିଜେ ହେବା ପରେ ତିନି ରଥର ମୁଖ୍ୟମହାରଣା ତାଙ୍କର ଲୌହ କୁରାଢ଼ୀ କୁ ରଥଖଳା ରେ ରଖାଯାଇଥିବା ତିନିରଥ ର ତିନି କାଠଖଣ୍ଡକୁ ସ୍ପର୍ଶ କରାଇ ଭଗବାନ ବଳଭଦ୍ରଙ୍କର ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥ ଙ୍କ ର ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଥାନ୍ତି। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି ।ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପଟୁଆରରେ ରଥଖଳା କୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳା ରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ ମାନେ ବନଯାଗ ପୂଜା ସମ୍ପାଦନା କରିବାର ବିଧି ରହିଛି ।ରୂପକାର,କମାର, ଚିତ୍ରକର,ଭୋଇ, ଅମୀନ ପ୍ରଭୁତି ସେବକମାନ ଙ୍କ ଉପସ୍ଥିତି ରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ ।ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ।ଏହି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଓଁକାର ରୂପୀ ପରଂବ୍ରହ୍ମ, ପରମେଶ୍ବର, ପୁରୁଷୋତ୍ତମ, ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତିମ ତଥା ଶେଷଯାତ୍ରା ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଥାଏ ।ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମା ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନ ବ୍ୟାପୀ ମହାପ୍ରଭୁ ବାହାରକୁ ତଥା ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଥାନ୍ତି। ଏହି ବାହ୍ୟ ଜଳକ୍ରୀଡା ଉତ୍ସବରେ ଭୂଦେବୀଙ୍କ ସହିତ ପଞ୍ଚୁପାଣ୍ଡବ, ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ନୀଳକଣ୍ଠେଶ୍ବର, ଶ୍ରୀ ଜମ୍ବେଶ୍ୱର ଓ ଶ୍ରୀ ଲୋକନାଥ ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି। ଅବଶିଷ୍ଟ ୨୧ ଦିନ ଶ୍ରୀ ମନ୍ଦିର ଭିତରେ ଚନ୍ଦନଯାତ୍ରା ସମ୍ପୂର୍ଣ ହୁଏ। ଏହାକୁ ଭିତର ଚନ୍ଦନଯାତ୍ରା କୁହାଯାଏ।ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର କାହାଣୀ ଟିଏ ରହିଛି। ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା । ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା। ଏହି ସମୟରେ ସୁଶିଳା ନାମ୍ନୀ ତାର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା । କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା ।ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମପୁରୀ ରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା ।ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି ।ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି ।ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି ।ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଛି ।ଏହି ଦିନ, ବେଦବ୍ୟାସ ଓ ଶ୍ରୀଗଣେଶଙ୍କ ଦ୍ୱାରା ମହାଭାରତ ଗ୍ରନ୍ଥ ର ରଚନା ପ୍ରାରମ୍ଭ କରିଥିଲେ ।ଏହି ଦିନ, ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ଷଷ୍ଠ ଅବତାର ଶ୍ରୀ ପର୍ଶୁରାମ, ହୟଗ୍ରୀବ ଏବଂ ନର-ନାରାୟଣ ଅବତାର ଗ୍ରହଣ କରି ଥିଲେ । ଏହି ଦିନ ମା’ ଗଙ୍ଗା ଙ୍କ ର ପୃଥିବୀ ଅବତରଣ ହୋଇଥିଲା ।
ଏହି ଦିନ ଶ୍ରୀକୃଷ୍ଣ-ସୁଦାମଙ୍କ ବନ୍ଧୁତ୍ୱ ର ଅପୂର୍ବ ମିଳନ ହୋଇଥିଲା ।ଏହି ଦିନ କୁବେର ଙ୍କୁ ଧନର ଭଣ୍ଡାର ମିଳିଥିଲା ।ଏହି ଦିନ ସୂର୍ଯ୍ୟ ଭଗବାନ ପାଣ୍ଡବମାନଙ୍କୁ ଅକ୍ଷୟ ପାତ୍ର ପ୍ରଦାନ କରିଥଲେ ବୋଲି ମହାଭାରତ ରେ ବର୍ଣ୍ଣିତ ହୋଇଛି।ଏହି ଦିନ ବୃନ୍ଦାବନ ରେ ବାଙ୍କବିହାରୀ ମନ୍ଦିରରେ ଶ୍ରୀକୃଷ୍ଣ ଙ୍କ ଚରଣ ଦର୍ଶନ ହୋଇଥାଏ ।ଏହି ଦିନ ବଳଦେବଜୀୟୁ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ । ବିଶ୍ୱାସ ରହିଛି ଯେ, ଏହି ଦିନ ସତ୍ୟ ଏବଂ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ।ଏହି ଦିନ ଆଦି ଶଙ୍କରାଚାର୍ଯ୍ୟ କନକଧାରା ସ୍ତୋତ୍ର ରଚନା କରିଥିଲେ।ଏହି ଦିନ ବଦ୍ରୀନାଥ ଧାମର କବାଟ ଖୋଲାଯାଉଥିବା ବିଧି ରହିଛି ।
ଏହି ଦିନ ସମସ୍ତ ପ୍ରକାର ଶୁଭ ତଥା ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ । ଏହି ଦିନ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ (ଥାଳ ଉଠା ବିଧି) ହୋଇଥାଏ। ଓଡ଼ିଆ ରେ ଏକ ଢେଗ ରହିଛି, ଅକ୍ଷୟ ତୃତୀୟା ମହାଶୁଭ ଦିନ, ସବୁ କାମେ ଫଳ ଶୁଭ ।
ବିନା ପାଞ୍ଜି ଦେଖି ତିଥି ନ ଜାଣି କି
କାର୍ଯ୍ୟ କର ଶୁଭାରମ୍ଭ ।। ଜୟ ଜଗନ୍ନାଥ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ