ନିଳୋକରେ କଂଗ୍ରେସର ଜନ ସମ୍ପର୍କ ସମାବେଶ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ମା’ବଉଳାଶୁଣୀ ପଡିଆ ଠାରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ସନାତନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ସରକାର ବିକାଶ ନାଁରେ ମିଥ୍ୟା ପ୍ରତିଶୃତି ଦେଇ ଶାସନ କ୍ଷମତା ଅକ୍ତିଆର କରିବାକୁ ଚେଷ୍ଟା ଜାରି ରଖିଥିବା ଅଭିଯୋଗ କରିଥିଲେ । କଂଗ୍ରେସ ସରକାର ସମୟରେ ଭଣ୍ଡାରିପୋଖରୀ ବିଭିନ୍ନ କ୍ଷେତ୍ରରେ ଉନ୍ନତିକୁ ପ୍ରାଧାନ୍ୟ ଦେଇଥିବା ବେଳେ ଲଗାତର ୫ ଥର ଅପାରଗ ସରକାର ଶାସନ କ୍ଷମତା ଅକ୍ତିଆର କରିଥିଲେ ମଧ୍ୟ ସରକାରୀ ଅବହେଳାରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଜଳସେଚନ, କୃଷି, ଶିଳ୍ପରେ ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ପଛରେ ପଡିଥିବା ବେଳେ ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇ କୃଷକ ମାନେ ଦୁର୍ଦ୍ଦିନରେ ଦିନ କାଟୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ସେ ବିଜୟୀ ହେଲେ ଭଣ୍ଡାରିପୋଖରୀ ତଥା ଭଦ୍ରକ ଜିଲ୍ଲାର ବିକାଶ ପାଇଁ ଦୃଷ୍ଟି ଦେବେ ବୋଲି ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକଙ୍କୁ କୁମ୍ଭାରିଆ ଛକ ଠାରୁ ଶତାଧିକ କର୍ମୀ ସ୍ୱାଗତ କରିବା ସହ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନିଳୋକ ଗ୍ରାମ ପରିକ୍ରମା କରିବା ପରେ ଆୟୋଜିତ ଜନ ସମ୍ପର୍କ ସମାବେଶ ସ୍ଥଳକୁ ପାଛୋଟି ଆଣିଥିଲେ । ସମାବେଶରେ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ପ୍ରାକ୍ତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ବ୍ଲକ୍ କଂଗ୍ରେସ ସଭାପତି ରାଜ୍ କିଶୋର ସ୍ୱାଇଁ, ଯୁବନେତା ଲକି ମାଷ୍ଟର ସ୍ୱାଇଁ, ପ୍ରାକ୍ତନ ପଞ୍ଚାୟତ ସଭାପତି ମଣିଭଦ୍ର ବିଶ୍ୱାଳ, ରଘୁନାଥ ନାୟକ, ଦୀନବନ୍ଧୁ ନାୟକ, ପ୍ରଭାସ ଦାସ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀଙ୍କୁ ବିଜୟୀ କରିବା ନିମନ୍ତେ ନିବେଦନ କରିଥିଲେ । ଏହି ଅବସରରେ ପଞ୍ଚାୟତର ବିଭିନ୍ନ ୱାର୍ଡରୁ ଶତାଧିକ ବ୍ୟକ୍ତି ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇ ଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ନୂତନ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ଇଂ ସୁଧାଂଶୁ ଶେଖର ନାୟକ, ସାଦ ସିଦ୍ଦିକ୍‌, ସୁଧାଂଶୁ ଶେଖର ଦାଶ, ସଂଗ୍ରାମ ଦାଶଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ