ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି, ପୁଲିସ ଓ ଅବକାରୀ ବିଭାଗ ନିରବଦ୍ରଷ୍ଟା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ଅନେକ ଲୋକ କାମଧନ୍ଦା ପାଇବାରୁ ବଞ୍ଚିତ ହୋଇ ଏବେ ମଦବେପାରକୁ ଆବୋରି ନେଇଥିବା ଶୁଣିବାକୁ ମିଳିଛି । ମଦ ବ୍ୟବସାୟ ଉପରେ ସୋସୋ, ନନ୍ଦିପଦା ଓ ଆନନ୍ଦପୁର ଥାନା ପକ୍ଷରୁ ସେପରିକିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ କୌଣସି ବିଶେଷ ପଦକ୍ଷେପ ନିଆଯାଉନି । କେତେବେଳେ କିପରି ଯଦି ଚଢ଼ାଉ କରାଯାଉଛି ପୁର୍ବରୁ ସେମାନଙ୍କୁ ସୁଚନା ଦିଆଯାଉଥିବାରୁ ସେମାନେ ସତର୍କ ହୋଇଯାଉଛନ୍ତି । ଫଳରେ ବିଭାଗୀୟ କର୍ତ୍ତୁପକ୍ଷ କିଛି ହାଣ୍ଡି, ଡେକଚି ଜବଦକରି ବାହାବା ନେଉଛି । ଏହାଦ୍ୱାରା ଦେଶୀ ଓ ବିଦେଶୀ ମଦର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର, ଅନ୍ଧାରୀ, ଜଡାବାଙ୍କ, ଢ଼େଙ୍କା ପଞ୍ଚାୟତର ପୁରୁଣାପାଣି, ଡେଙ୍ଗାଚୁଆ, କାଳିଆମ୍ବ, ପଥରପଦା, ଢ଼େଙ୍କା ହାଟସାହି, ଅସନଗଡିଆ ମାଝୀସାହି, ସୋସୋ ପଞ୍ଚାୟତର ଭଅଁରପୁର, ସଢ଼ା ପଞ୍ଚାୟତର ଶିଳପୋଖରୀ, ବାଲିବରେଇ ପଞ୍ଚାୟତର ଟିଲଗଡିଆ, ବିଣାପାଟିଆ, ହଦଗଡ ପଞ୍ଚାୟତର ହାଟସାହି, ଡଅଁର ପଞ୍ଚାୟତର ସରଳା ଆଦି ଗ୍ରାମ ମାନଙ୍କରେ ଦେଶୀମଦ ପ୍ରସ୍ତୁତି କରାଯାଇ ବ୍ଲକର ବିଭିନ୍ନ ଗ୍ରାମ ସହିତ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବାବେଳେ ଅନେକ ଗ୍ରାମରେ ଏହା ଏବେ କୁଟୀର ଶିଳ୍ପରେ ପରିଣତ ହେଲାଣି । ଏପରିକି ଏହାକୁ ଅଧିକ ନିଶାଯୁକ୍ତ କରିବାକୁ ରାସାୟନିକ ସାମଗ୍ରୀ ମିଶାଯିବା ସହ ନକଲି ଗୁଡରେ ପ୍ରସ୍ତୁତି କରାଯାଉଥିବାରୁ ଏହା ଅଧିକ ବିଶାକ୍ତ ହୋଇପଡୁଛି । ଯାହାଦ୍ୱାରାକି ସ୍ଥାନୀୟ ଲୋକମାନେ ଏହାକୁ ପିଇ ବିଭିନ୍ନ ରୋଗର ଶୀକାର ହୋଇ ବହୁ କମ ବୟସରେ ମୃତୁ୍ୟ ମୁଖରେ ପଡୁଛନ୍ତି । ଗତ କିଛିଦିନ ଭିତରେ ଉପରୋକ୍ତ ଗ୍ରାମ ମାନଙ୍କରେ ଅନେକ ଲୋକ ମୃତୁ୍ୟମୁଖରେ ପଡିଥିବା ନଜିର ଅଛି । ଅନ୍ଧାରୀ, ଡେଙ୍ଗାଚୁଆ, ଶିଳପୋଖରୀ, ଭଅଁରପୁର ଆଦି ଗ୍ରାମରେ ଏହା କୁଟୀର ଶିଳ୍ପରେ ପରିଣତ ହୋଇ ଗଲାଣି । ଅନ୍ଧାରୀରେ ଏହି ମଦପାଇଁ ନିୟମିତ ଭାବେ ବିଭିନ୍ନ ଗଣ୍ଡଗୋଳ ଘଟି ଅନେକ ଅଘଟଣ ମାନ ଘଟୁଥିବା ନେଇ ଅଭିଯୋଗ ହେଉଛି । ସେହିପରି ବଉଳା ଠାରୁ ଶାଳଣିଆଁ ପର୍ଯ୍ୟନ୍ତ ସବୁ ଛକ ବଜାର ମାନଙ୍କରେ ଖୁଲାମଖୁଲା ବିଦେଶୀ ମଦର ଚୋରା କାରବାର ବଢ଼ି ବଢ଼ି ଚାଲିଛି । ପ୍ରତିଦ୍ୱନ୍ଦିତା ଭିତ୍ତିରେ ଏହା କରାଯାଉଥିବାରୁ ଯୁବପିଢ଼ୀ ବିପଥଗାମୀ ହେଉଛନ୍ତି । ନା ପୁଲିସ ଚଢ଼ାଉ ପାଇଁ ଭୟ ଅଛି ନା ଅବକାରୀ ବିଭାଗ । ପୁଲିସ ଏହି ଚୋରା ବେପାରୀ ମାନଙ୍କ ପାଖରୁ ବଟିନେଇ ଚୁପ ହୋଇ ବସି ରହୁଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ପ୍ରାୟତ ସେପରି କୌଣସି ଆଖିଦୃଷିଆ ପଦକ୍ଷେପ ନିଆଯାଉ ନାହିଁଁ । ହାଟଡିହିରେ ଅବକାରୀ ଥାନା ଖୋଲିବାପରେ ଅନେକ ସ୍ଥାନରେ ଚଢ଼ାଉ ହେଉଥିଲେବି ମଦବ୍ୟବସାୟୀ ମାନେ ତାହାକୁ ଖାତିର କରୁନାହାନ୍ତି । ଯେଉଁମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ସେମାନେ କୋର୍ଟରୁ ଫେରିବା ପରେ ପୁଣି ଅଧିକ ମାତ୍ରାରେ ଏହି ବେପାର ଚଳାଉଛନ୍ତି । ଫଳରେ ଖୁଲାମଖୁଲା ଏହି ଚୋରା କାରବାର ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଛକ ବଜାର ଓ ଗାଁ ମାନଙ୍କରେ ଏହି ମଦ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ଚାଲିଛି । ଟୁକୁଣା ବଜାର, ବରାଙ୍ଗ ଛକ, ସମଣା, ଅଢ଼େଇଦ୍ୱାର, ମତାବାଜ, ଗେଡମା, ଆଦି ସ୍ଥାନ ମାନଙ୍କରେ ଖୁଲାମଖୁଲା ଚୋରା ଦେଶୀ ଓ ବିଦେଶୀ ମଦ ବେପାର ଚାଲିଥିବାବେଳେ ନିୟମିତ ବିଶୃଙ୍ଖଳାମାନ ସୃଷ୍ଟି ହୋଇ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଜିଲ୍ଲା ଅବକାରୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ