ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ସମସ୍ୟାର ସମାଧାନ ବାଟ ଫିଟିବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ବାଟ ଫିଟି ପାରିବ ସହିତ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାନ୍ଦୋଳସ୍ଥିତ ଏକ ବେସରକାରୀ ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପାଟକୁରା ବିଧାନସଭା କ୍ଷେତ୍ରର ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ତଥା ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ କହିଛନ୍ତି । ଦୀର୍ଘ ବର୍ଷ ଧରି ପାଟକୁରାକୁ ଶାସନ କରି ଆସିଥିବା ନେତାମାନେ ଅଞ୍ଚଳବାସୀଙ୍କ ପାଇଁ ସେଭଳି କିଛି ଆଖି ଦୃଶିଆ ବିକାଶ କରିବାକୁ ସମର୍ଥ ହୋଇ ପାରି ନାହାନ୍ତି । କେବଳ ଲୋକମାନଙ୍କୁ ହାତି ଦେବୁ ଘୋଡା ଦେବୁ କହି ଭୁଆଁ ବୁଲାଇ ଆସିବା ହିଁ ସାର ହୋଇଛି । ଏ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନଥିବା ବେଳେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି । ଫଳରେ ଅଞ୍ଚଳବାଦସୀ ବିଭିନ୍ନ ସମସ୍ୟା ଭିତର ଦେଇ ଗତି କରୁଛନ୍ତି । ଶାସନଗାଦିରେ ବସିଥିବା ନେତା ଓ କର୍ମୀମାନେ କେବଳ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି । ଏଣୁ ପାଟକୁରା ଅଞ୍ଚଳର ସାମୁହିକ ବିକାଶ ପାଇଁ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ତ୍ରିପାଠୀଙ୍କୁ ଝାଡୁ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇଲେ ରାଜ୍ୟ ତଥା ପାଟକୁରା ଅଞ୍ଚଳରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଲୋପ ପାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପିଇବା ପାଣି, ବେରୋଜଗାର ଓ କୃଷକଙ୍କ ସମସ୍ୟାର ସମାଧାନ ହେବା ସହ ମହିଳା ସଶକ୍ତିକରଣ ସଠିକ ଭାବରେ ହୋଇପାରିବ ଶ୍ରୀ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଥିଲେ । ତେଣୁ ନୂତନ ଦଳ, ନୂତନ ଚିହ୍ନ, ନୂତନ ନେତା ଓ ନୂତନ ପ୍ରାର୍ଥୀଙ୍କୁ ଭୋଟ ଦେଇ ଏକ ପରିବର୍ତ୍ତନ ଆଣିବାକୁ ଶ୍ରୀ ତ୍ରିପାଠୀ ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ମନୋଜ ସାହୁ ଓ ପଦ୍ମଲୋଚନ ପରିଡାଙ୍କ ସମେତ ଆମ୍ ଆଦମୀ ପାର୍ଟିର ବହୁ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ