ନବୀନଙ୍କ ଭରସାରେ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ମତଦାନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୧୩ ତାରିଖରେ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ୨୦ ତାରିଖରେ ମତଦାନ ହେବ । ଆସିକା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ୭ଜଣ ପ୍ରାର୍ଥୀ ଦଣ୍ଡାୟମାନ ହୋଇଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀନୀ ଭାବେ ରଞ୍ଜିତା ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ଅନିତା ଶୁଭଦର୍ଶନୀ, କଂଗ୍ରେସରୁ ଦେବକାନ୍ତ ଶର୍ମା, ବିଏସପିରୁ ବୃନ୍ଦାବନ ନାହାକ, ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ରୁ ପପୁନୁ ସାହୁ, ସନାତନ ସଂସ୍କୃତି ରକ୍ଷା ଦଳରୁ ପିତବାସ ସାହୁ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ସଞ୍ଜୟ କୁମାର ବିଷୋୟୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ରଞ୍ଜିତା ଯୁବ ଓ ନୂଆ ଚେହେରା ଭାବେ ରାଜନୀତୀ ମଇଦାନକୁ ଓହ୍ଲାଇଛନ୍ତି । ରାଜନୀତୀରେ ରଞ୍ଜିତାଙ୍କ କିଛି ବି ଅଭିଜ୍ଞତା ନଥିଲେ ମଧ୍ୟ ସେ ରାଜନୈତିକ ପରିବାରୁ ଆସିଥିବାରୁ ନିଜର ଦବଦବା ଜାହିର କରି ଆସୁଥିବା ଦେଖିବାକୁ ମିଳିଛି । ରଞ୍ଜିତାଙ୍କ ବାପା ହର ପ୍ରସାଦ ସାହୁ ଓ ମା ସୁନିତାପ୍ରଭା ସାହୁ ଉଭୟେ କୋଦଳା ବିଜ୍ଞାପିତ ଅଞ୍ଜଳ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ରହିଥିଲେ । ପୂର୍ବତନ ଏନଏସି ଅଧ୍ୟକ୍ଷଙ୍କ କନ୍ୟା ଭାବରେ ହିଁ କେବଳ ତାଙ୍କର ପରିଚୟ ସିମୀତ । ଏହି ପରିଚୟ କେବଳ କୋଦଳା ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ମଧ୍ୟରେ ସିମୀତ ରହିଛି । ଏହି ପରିପ୍ରେକ୍ଷୀରେ ରଞ୍ଜିତା ଆସିକା ସଂସଦୀୟ ରାଜନୀତି କ୍ଷେତ୍ରରେ ନୂତନ ଚେହେରା ଅଟନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଏକମାତ୍ର ଭରସା । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିୟାନଙ୍କ ଗଞ୍ଜାମ ଗସ୍ତ ସମୟରେ ରଞ୍ଜିତାଙ୍କ ହିଞ୍ଜିଳିରେ ପାଦ ପଡିଥିବା ଦେଖିବାକୁ ମିଳିଥିଲା । ପରେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ହିଞ୍ଜିଳି ଓ ଶେରଗଡ ଗସ୍ତ କାର୍ଯ୍ୟକ୍ରମରେ ରଞ୍ଜିତାଙ୍କୁ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ଆୟୁଧ କରି ରଞ୍ଜିତା ଭୋଟରଙ୍କ ନିକଟତର ହେବା ପାଇଁ ଉଦ୍ୟମ ଚଳାଇଛନ୍ତି । ୨୦୧୯ ନିର୍ବାଚନରେ ଆସିକା ଲୋକସଭା ପ୍ରାର୍ଥୀନୀ ଭାବେ ପ୍ରମିଳା ବିଷୋୟୀ ନିର୍ବାଚନ ଉବଦାନକୁ ଓହ୍ଲାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଖିଆଗରେ ରଖି ଭୋଟର ମାନେ ପ୍ରମିଳାଙ୍କୁ ବିଜୟୀ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସିକା ସାଂସଦ ପ୍ରାଥୀନୀ ଭାବେ ପୁଣି ଥରେ ଜଣେ ମହିଳାଙ୍କୁ ସୁଯୋଗ ମିଳିଛି । ପ୍ରମିଳାଙ୍କ ପରି ରଞ୍ଜିତା ମଧ୍ୟ ରାଜନୀତିରେ ନୂଆଁ ଚେହେରା । ଏଭଳି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଲୋକପ୍ରିୟତା ହିଁ ରଞ୍ଜିତାଙ୍କୁ ନିର୍ବାଚନ ବୈତରଣୀ ପାର କରିବାକୁ ସହାୟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ରଞ୍ଜିତାଙ୍କ ବାପା ହରଙ୍କ କୋସଳା ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦବଦବା ରହିଥିବା ବେଳେ ଅବଶିଷ୍ଟ ୫ଟି ନିର୍ବାଚନ ମଣ୍ଡଳୀ ଆସିକା, ସୋରଡା, ହିଞ୍ଜିଳି, ସାନଖେମୁଣ୍ଡି, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସମ୍ପୁର୍ଣ୍ଣ ଅଲଗା । ସଂପୃକ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନରେ ଯେଭଳି ସଂପୃକ୍ତି ରହିବା କଥା ସେଭଳି କିଛି ଦେଖିବାକୁ ମିଳିନଥିବା ଜଣାପଡିଛି । ଏହି କଥା ଅନ୍ୟ କେହି ନୁହେଁ ଖୋଦ ଶାସକ ବିଜେଡିର କିଛି ନେତା ଏହିକଥାକୁ ସ୍ୱୀକାର କରୁଥିବା ଜଣାପଡିଛି । ଏଭଳି କ୍ଷେତ୍ରରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ରଞ୍ଜିତାଙ୍କ ପାଇଁ ଏହା ଏକ ବିରାଟ ସମସ୍ୟା ଦେଖାଦେଇଛି । ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରା, ସ୍ୱଚ୍ଛ ଶାସନ, ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ରଞ୍ଜିତା ବିଜୟୀ ହେବା ସହଜ ହେବ ବୋଲି ଦଳ ପ୍ରକାଶ କରିଛି । ଅନ୍ୟ ପକ୍ଷରେ ଗତ ନିର୍ବାଚନରେ ଆସିକା ସାଂସଦ ପ୍ରାର୍ଥୀନୀ ପ୍ରମିଳା ବିଷଷାୟର ରେକର୍ଡ ସଂଖ୍ୟକ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ରଞ୍ଜିତା ପୂର୍ବାପେକ୍ଷା ଭୋଟ ହାର କମିବା ସୁନିଶ୍ଚିତ ବୋଲି ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ