ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରଚାର ଦଳୀୟ ପୋଷ୍ଟର, ବ୍ୟାନରରେ ସହର ଛାଉଣୀ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ଧିରେ ଧିରେ ଜୋର ଧରିବାରେ ଲାଗିଛି । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ମାନେ ଦିନ ରାତିକୁ ଏକ କରି ଦେଇଛନ୍ତି । ବିଜେଡି ଓ ବିଜେପି ଦଳ ପକ୍ଷରୁ ସିନେ ତାରକା ଓ ଯାତ୍ରା ଅଭିନେତା ସହ ଦଳୀୟ ହାଇକମାଣ୍ଡ ମାନଙ୍କୁ ସାଙ୍ଗରେ ଧରି ମତଦାତାଙ୍କ ସମର୍ଥନ ସାଉଁଟିବାକୁ ପ୍ରୟାସ ଚଳାଇଛନ୍ତି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଏବେ ଏହି ସ୍ଥିତି ଦେଖିବାକୁ ମିଳୁଛି । ପ୍ରତ୍ୟେକ ମୁହୁର୍ତ୍ତ ଏବେ ସେମାନଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ସାମାନ୍ୟତମ ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ସମସ୍ତେ ମଉକା ଖୋଜି ଭୋଟରଙ୍କୁ ଯେଣେତେଣେ ପ୍ରକାରେ ମନାଇବାରେ ଲାଗି ପଡିଛନ୍ତି । । ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସମେତ ସହରାଞ୍ଚଳର ପ୍ରତ୍ୟେକ ସାହି ବସ୍ତିକୁ ଦଳର ପ୍ରାର୍ଥୀ ହାଇଭୋଲଟେଜ ପ୍ରଚାର ସୁତ୍ରକୁ ଆପଣେଇଛନ୍ତି । ନେତା ମାନଙ୍କର ଯେଉଁ ଅଞ୍ଚଳରେ ଦିନେ ପାଦ ପଡ଼ିବା ସ୍ୱପ୍ନ ମନେ ହେଉଥିଲା, ଆଜି ସେହି ଅଞ୍ଚଳରେ ଏବଂ ସେହି ମାଟି କୁଡ଼ିଆ ଓ ଝୁମ୍ପୁଡ଼ି ଘର ମଧ୍ୟରେ ମାଟି ଚଟାଣରେ ଚକା ପକାଇ ଭୋଜନ କରିବାକୁ ଦ୍ୱିଧା ପ୍ରକାଶ କରୁ ନାହାନ୍ତି । ସହର ଠାରୁ ଗାଁ ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ରରେ କାନ ଅତଡ଼ା ପଡ଼ୁଛି । ପ୍ରଚାର ପତ୍ର, ପ୍ରାଚୀରପତ୍ର, ବ୍ୟାନର, ଫ୍ଲେକ୍ସରେ ସାରା ନିର୍ବାଚନ ମଣ୍ଡଳୀ ବିଛେଇ ହୋଇପଡ଼ିଛି । ଗାଡ଼ି ଓ ବାଇକ ରାଲିରେ ଏବେ ଗାଁ ଦାଣ୍ଡ ପୂରି ଉଠୁଛି । ହେଲେ ମତଦାତା ମାନଙ୍କ ମନ କେତେ ମାତ୍ରାରେ ପୂରି ଉଠୁଛି, ତାହା ଜାଣିବା ପାଇଁ ପ୍ରାର୍ଥୀ ମାନଙ୍କ ସମୟ ନାହିଁ । ରାତି ହେଉ ବା ଦିନ , ମନ୍ଦିର ବେଢା ହେଉ ବା କ୍ଳବ ଘର ସବୁଠି ଚାଲିଛି ରୋଷେଇ । ମଦ ଓ ମାଂସରେ ଗାଁ ଓ ସହରର ବେକାର ଯୁବକ ମାନେ ଏବେ ସମ୍ପୂଣ୍ଣ ମସଗୁଲ । ଆସିକା ଲୋକସଭା ଅନ୍ତର୍ଗତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ୟ ପର୍ଯ୍ୟାୟ ଅର୍ଥାତ ଚଳିତ ମାସ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୪ ରେ ଫଳାଫଳ ପ୍ରକାଶିତ ହେବାକୁ ଥିଲେ ମଧ୍ୟ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ମାନେ ବିଭିନ୍ନ ପ୍ରକାର ଋଣ କୌଶଳ ଅବଲମ୍ବନ କରିବା ସହ ଭୋଟ ହାତେଇବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି । ପ୍ରଚାର ପାଇଁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସମସ୍ତ ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାରକୁ ଜୋରସୋରରେ ଚଲାଇ ଆସୁଛନ୍ତି । ଶାସକ ବିଜେଡି ପକ୍ଷରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସି ନିର୍ବାଚନ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବା ପରେ ପରବର୍ତ୍ତୀ ସମୟରେ ଦଳର ଷ୍ଟାର କ୍ୟାମ୍ପେନର ତଥା ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ ଓ ସିନେ ତାରକା ମାନେ ଆସି ଦଳୀୟ କର୍ମୀଙ୍କ ସହ ପ୍ରଚୁାରକୁ ଜୋରଦାର କରୁଥିବା ଦେଖିବାକୁ ମିଳିଛି । ସେହିପରି ବିଜେପି ପକ୍ଷରୁ ଏଯାବତ୍ ଦଳୀୟ କର୍ମୀଙ୍କୁ ନେଇ ପ୍ରାର୍ଥୀ ଶିଶିର ମିଶ୍ର ପ୍ରଚାର କରୁଥିବା ବେଳେ ଗୁରୁବାର ପ୍ରଥମ ଥର ଲାଗି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ହିଞ୍ଜିଳି ଗସ୍ତରେ ଆସି ସମରଝୋଳ ନିକଟସ୍ଥ ମେଘମାଳ ତୋଟାରେ ନିର୍ମିତ ସାଧାରଣ ସଭାରେ ଯୋଗଦେଇ ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥନୀ ଅନିତା ଶୁଭଦର୍ଶନୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ହିଞ୍ଜିଳି ଆଗମନ ପରେ ଦଳୀୟ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ହିଞ୍ଜିଳି ଗସ୍ତରେ ଆସି ନିର୍ବାଚନ ସଭା କରିବେ ବୋଲି ସୂଚନା ରହିଛି । କଂଗ୍ରେସ, ଆପ୍, ବିଏସପି, କମ୍ୟୁନିଷ୍ଟ ଓ ସ୍ୱାଧିନ ଦଳ ପକ୍ଷରୁ କୌଣସି ଷ୍ଟାର କ୍ୟାମ୍ପେନର ହିଞ୍ଜିଳି ଗସ୍ତରେ ଆସିନଥିବାରୁ ସଂପୃକ୍ତ ଦଳର ପ୍ରାର୍ଥୀଙ୍କ ସହ କିଛି କର୍ମୀଙ୍କୁ ନେଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନ ସକାଶେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି ।