ସେବା ସମବାୟ ସମିତିର ଖାଉଟି ଦୋକାନ ଓ କୃଷି ସାମଗ୍ରୀ କେନ୍ଦ୍ର ଉଦ୍ଘାଟିତ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ରୁକୁଣିଗାଁ ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଏକ ନୂତନ ଖାଉଟି ଦୋକାନ ଏବଂ ସାର, ବିହନ ଓ କୀଟନାଶକ ବିକ୍ରୟ କେନ୍ଦ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି। ଏହି କେନ୍ଦ୍ରଗୁଡ଼ିକ ଖୋଲିବା ଦ୍ୱାରା ଅଞ୍ଚଳର ଚାଷୀ ଓ ସାଧାରଣ ଲୋକେ ସୁବିଧାରେ ଗୁଣାତ୍ମକ ସାମଗ୍ରୀ ଓ କୃଷି ଉପକରଣ ପାଇପାରିବେ ବୋଲି ଆଶା କରାଯାଉଛି।ଳଏହି ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଉପ ନିବନ୍ଧକ ପ୍ରମୋଦ କୁମାର ବାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶିବରାମ ପାତ୍ର, ସୁଧାଂଶୁ ଶେଖର ମହାରଣା, ଛତ୍ରପୁର ଏସ୍ଏଆର୍ସିଏସ୍ ଦିବ୍ୟରଞ୍ଜନ ବିଶ୍ୱାଳ, ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଛତ୍ରପୁର ଶାଖା ପରିଚାଳକ ପବିତ୍ର ମୋହନ ପଲେଇ, ସମିତିସଭ୍ୟ ରାମଚନ୍ଦ୍ର ପରିଡା ଏବଂ ବଉଳଗାଁ ଗ୍ରାମପଞ୍ଚାୟତର ନାୟବ ସରପଞ୍ଚ ଅଶୋକ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ରୁକୁଣିଗାଁ ପ୍ୟାକ୍ସ ସଭାପତି ରୁନୁ ପରିଡା ଓ ସମ୍ପାଦକ ପଙ୍କଜ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ, ସମିତିର ଅଂଶୀଦାର ଏବଂ ବହୁ ସ୍ଥାନୀୟ ଚାଷୀ ଯୋଗଦେଇଥିଲେ। ସମବାୟ ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଚାଷୀଙ୍କୁ ଉତ୍ତମ ସେବା ଯୋଗାଇଦେବା ଏହି ନୂତନ କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।


