ମୁଖ୍ୟମନ୍ତ୍ରୀ ଓ ପାଣ୍ଡିୟାନଙ୍କୁ ଟାେର୍ଗେଟ କରି ବର୍ଷିଲେ ଶିଶିର ମିଶ୍ର ଓ ଅନିତାଙ୍କ ପାଇଁ ଭୋଟ ଭିକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଗୁରୁବାର ହିଞ୍ଜିଳି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବା ସହ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ହିଞ୍ଜିଳି ଗସ୍ତ କରି ଆୟୋଜିତ ସଭାରେ ଉଦବୋଧନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଭି.କେ. ପାଣ୍ଡିୟାନଙ୍କ ବିରୋଧରେ ମନ୍ତବ୍ୟ ଦେବା ସହ ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଗୁରୁବାର ଅପରାହ୍ନରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ହିଞ୍ଜିଳି ଗସ୍ତରେ ଆସି ସ୍ଥାନୀୟ ବ୍ଳକ ସମରଝୋଳ ମେଘମାଳ ତୋଟା ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ଦଳୀୟ କର୍ମୀମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରୁ ସେ ସିଧାସଳଖ ଯାଇ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କେନ୍ଦ୍ର ମନ୍ତ୍ରୀ ଯାଦବ ଉଦବୋଧନ ଦେଇ କହିଲେ ଯେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ବର୍ଷ ଧରି ଶାସନ କରି ଆସୁଥିଲେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିୟାନଙ୍କ ବିରୋଧରେ ବିଷେଦଗାର କରିଥିଲେ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ଏଠାରେ ପାନୀୟଜଳ, ବିଜୁଳି ଓ ଦାଦନ ସମସ୍ୟା ରହିଛି । ବିଦ୍ୟାଳୟରେ ଶିକ୍ଷକ ଓ ଚିକିତ୍ସାଳୟରେ ଡାକ୍ତର ସମସ୍ୟା ରହିଛି । ଓଡିଶାବାସୀ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ସୁଭଦ୍ର ଯୋଜନା କାର୍ଯ୍ୟକାରୀ କରାଯିବା ସହ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ମିଳିବ । ଚାଷୀ ମାନଙ୍କୁ କିଶାନ ସମ୍ମାନନିଧି ଓ ବୁଣାକାର ମାନଙ୍କୁ ବୁଣାକାର ସମ୍ମାନନିଧି ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସର୍ମ୍ପକରେ ମତବ୍ୟକ୍ତ କରିବା ସହ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ସହସ୍ରାଧିକ ଯୁବକ ଦାଦନ ଖଟିବା ସକାଶେ ବାହାର ରାଜ୍ୟକୁ ଯାଉଥିବା ବେଳେ ରାଜ୍ୟରେ ବିଜେପି ସରକାର ଆସିଲେ ଏହାର ସମ୍ପୁର୍ଣ୍ଣ ପରିବର୍ତ୍ତନ ହେବ ବୋଲି କହିଥିଲେ । ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଫିର୍ ଏକ୍ ବାର ମୋଦି ସରକାର ନାରାେ;ର ସଭାସ୍ଥଳ ଗୁଞ୍ଜରିତ ହୋଇ ଉଠିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟର ପୂର୍ବତନ ମନ୍ତ୍ରୀ ଅଶୋକ ସିଂ, ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ, ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ବିଧାନସଭା ସଂଯୋଜକ ମାଧବ ଗୌଡ, ବିଧାନସଭା ପ୍ରଭାରୀ ଗୋପାଳ ଗୌଡ, ପୂର୍ବତନ ବିଧାୟକ ପ୍ରାର୍ଥୀ ବିଭୁତି ଜେନା, ମଣ୍ଡଳ ସଭାପତି ଏନ. କେଶବ, ନାରାୟଣ ଦଳାଇ, ତ୍ରିଲୋଚନ ବରଡ, ସଞ୍ଜୟ ଜେନା, ନୟନ ମଳିକ, ବି. ରୋହିଣି ପାତ୍ରଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରାକ୍ତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟନ୍ତି ପଢିଆରୀ ମଞ୍ଚ ପରିଚାଳନା କରିଥିବା ବେଳେ ରାକେଶ ରଥ ସଂଯୋଜନା କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ