ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ଗଞ୍ଜାମ ପୁଲିସର ପ୍ରସ୍ତୁତି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୨୦ ତାରିଖରେ ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ । ଆସିକା ଲୋକସଭା ଓ ୮ଟି ବିଧାନସଭା ପାଇଁ ଏହି ମତଦାନ ହେବାକୁ ଯାଉଛି । ଗଞ୍ଜାମରେ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଗଞ୍ଜାମ ପୁଲିସ୍ ପକ୍ଷରୁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଗଞ୍ଜାମ ପୁଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ଶନିବାର ଗଞ୍ଜାମ ଏସ.ପି. ଜଗମୋହନ ମିନା ସୂଚନା ଦେଇଛନ୍ତି । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ୨୦ କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛି l ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ପୁଲିସ୍ ଜିଲ୍ଲା ଅଧୀନରେ ମୋଟ ୧୯୩୭ଟି ବୁଥ୍ ରହିଛି । ଏଥିରୁ ୬୦ ପ୍ରତିଶତ ବୁଥ୍ ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା ହୋଇଛି । ପ୍ରତି ୧୦ଟି ବୁଥ୍ ବ୍ୟବଧାନରେ ପୁଲିସ୍ ମୋବାଇଲ ପାର୍ଟି ପାଟ୍ରୋଲିଂର ବ୍ୟବସ୍ଥା ରହିବ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ଦିନ ରହିଛି । ଏହାପରଠୁ ନିର୍ବାଚନମଣ୍ଡଳୀ ଗୁଡିକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତ୍ୟେକ ଥାନା ଅଧୀନରେ ଥିବା ଗାଁ ଗୁଡିକରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି । ଆଜିଠୁ ହିଁ ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ପ୍ରମୁଖ ୩ଟି ଡିସପୋଜାଲ କେନ୍ଦ୍ରରୁ ସମସ୍ତ ବୁଥ୍ ଗୁଡିକୁ ଅଫିସରମାନଙ୍କ ସହିତ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଁଏ ଅତିରିକ୍ତ ଏସ.ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସପିଙ୍କ ସମେତ ଇନ୍ସପେକ୍ଟର ଓ କର୍ମଚାରୀମାନେ ପରିଚାଳିତ ରହିବେ । ୩୮ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଥିବା ବେଳେ ୬୦ରୁ ଅଧିକ ବୁଥ ଥିବା ଥାନାକୁ ଭାଗ କରାଯାଇଛି । ସେଠାରେ ଅଧୀକ ଇନ୍ସପେକ୍ଟର ନିୟୋଜିତ କରାଯାଇଛି । ପୂର୍ବରୁ ୧୨୦ ଜଣ ମୋବାଇଲ ପାର୍ଟି କରାଯାଇଥିବା ବେଳେ ଏବେ ତାକୁ ବୃଦ୍ଧି କରାଯାଇ ୧୬୫ ମୋବାଇଲ ପାର୍ଟି କରାଯାଇଛି । ଫଳରେ କିଛି ଘଟଣାର ଖବର ପାଇବା ମାତ୍ର ୧୦ ରୁ ୧୫ ମିନିଟ୍ ମଧ୍ୟରେ ମୋବାଇଲ ଟିମ ସେଠାରେ ପହଂଚି ପାରିବେ । ନିର୍ବାଚନ କାର୍ଯ୍ୟରେ ମୋଟ ୨୮୬ ଜଣ ସବ-ଇନ୍ସପେକ୍ଟର, ୧୮୭୨ ଜଣ ହାବିଲଦାର, ୯୫୫ ଜଣ କନଷ୍ଟେବଲ ଓ ୧୫୫ ଜଣ ହୋମଗାର୍ଡଙ୍କୁ ନିଯୁକ୍ତି କରାଯାଇଛି । ସେହିପରି ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହିଂସାକୁ ସ୍ୱତନ୍ତ୍ର ଦୃଷ୍ଟି ରଖି ଶ୍ରୀକୃଷ୍ଣଶରଣପୁର ଅଂଚଳର ସମସ୍ତ ବୁଥ୍ ଗୁଡିକୁ ଅତି ସମ୍ବେଦନଶୀଳ ବୁଥ୍ ଭାବେ ନିଆଯାଇ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଗଞ୍ଜାମ ଏସ.ପି. ଶ୍ରୀ ମିନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ