ବେଲଗୁଣ୍ଠାରେ ଶାନ୍ତିପୂର୍ଣ୍ଣଭାବେ ୫୫% ମତଦାନ କଲେ ମାତଦାତା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଆସ୍କା ଲୋକସଭା ଅନ୍ତର୍ଗତ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଳକ ଓ ଏନ୍ଏସିରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ସୋମବାର ସକାଳ ଠିକ୍ ୭ଘଣ୍ଟା ସମୟରୁ ମତଦାନ ଆରମ୍ଭ ହୋଇଥିବା ବେଳେ କା ଭାଁ ହୋହାଲ୍ଲା ବ୍ୟତୀତ ସଂଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଶାନ୍ତି ଶୁଙ୍ଖଳାରେ ଚାଲିଥିଲା । ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ଓ ଏନ୍ଏସିର ୧୩ଟି ୱାର୍ଡରେ ପୁରୁଷ ଭୋଟର ୫୭୦୮୬, ମହିଳା ୫୨୨୨୭ ଓ ୮ଜଣ ତୃତୀୟଲିଙ୍ଗଙ୍କୁ ନେଇ ମୋଟ ଭୋଟର ୧୦୯୩୨୧ଙ୍କ ଭୋଟଗ୍ରହଣ ପାଇଁ ବେଲଗୁଣ୍ଠା ଏନ୍ଏସି ଓ ବ୍ଳକରେ ମୋଟ ୧୧୫ଟି ବୁଥ୍ ପ୍ରସ୍ତୁତ ହୋଇଥିବା ବେଳେ ସେଥି ମଧ୍ୟରୁ ପିଙ୍କ୍ ତଥା ସଖି ବୁଥ୍ ୧୧ଟି, ମଡେଲ୍ ବୁଥ୍ ୫ଟି, ୟୁଥ୍ ବୁଥ୍ ୩ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ଗୋଟିଏ ବୁଥ୍ ପ୍ରସାଶନ ତରଫରୁ କରାଯାଇଥିଲା । ମୋଟ ଭୋଟରଙ୍କ ମଧ୍ୟରୁ ଖବର ଲେଖା ହେବା ପର୍ଯ୍ୟନ୍ତ ୫୫% ମତଦାନ ହୋଇଥିବା ସୂଚନା ମିଳିଛି । କିଛି ବୁଥ୍ରେ ଇଭିଏମ୍ ମେସିନ୍ରେ ଯାନ୍ତ୍ରିକ ତୃଟି ପାଇଁ ମତଦାନରେ ଦେଢ଼ ଘଣ୍ଟାରୁ ପ୍ରାୟ ୨ଘଣ୍ଟା ବ୍ୟାଘାତ ସୃଷ୍ଟି ହୋଇଥିଲା । ପରେ ଇଭିଏମ ମେସିନ୍ ବଦଳାଇଲା ପରେ ଭୋଟଗ୍ରହଣ ହୋଇଥିଲା । ବିଳମ୍ବ ହୋଇଥିବା ବୁଥ୍ ତଥା ବେଲଗୁଣ୍ଠା ବାଲିଡି ପ୍ରାଥମିକ ବିଦ୍ୟାଳୟରେ ୯୨ ନମ୍ବର ଓ ବଡପଡା ପଞ୍ଚାୟତ କୁଶପଲୀର ୬୧ନମ୍ବର ବୁଥ୍ ଗୁଡିକରେ ରାତି ୮ଘଣ୍ଟ ୩୦ମିନଟ ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିବା ଜଣାପଡିଛି । ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ମତଦାନ ଧିମା ପଡିଥିବା ବେଳେ ଅପରାହ୍ନ ୩ଟା ପରେ ପୁଣି ଭୋଟଗ୍ରହଣ ଗତି ବଢିଥିବା ଲକ୍ଷ୍ୟ କରାଯାଇଥିଲା । ଯୁବ ଓ ଭିନ୍ନକ୍ଷମ ଭୋଟରଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ନିଜର ମୁଲ୍ୟବାନ ମତସାବ୍ୟସ୍ତ କରିଥିବା ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା । ଭିନ୍ନକ୍ଷମ, ଅସୁସ୍ଥ ଓ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ହୁଇଲଚେୟାର ବ୍ୟବସ୍ଥା ହୋଇଥିବା ବେଳେ ଗ୍ଲୁକୋଜର ପାଣି ବ୍ୟବସ୍ଥା କରାଯାଇଥିଲା । ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ଵରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ପ୍ରତି ବୁଥ୍ରରେ ୪ଜଣ ଲେଖାଏଁ ବିଏସ୍ଏଫ୍ ଓ ତ୍ରିପୁରା ସ୍ପେଶାଲ୍ ଆର୍ମଡ୍ ପୋଲିସ ମୁତୟନ କରାଯାଇଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି । ଅବାଧ ଓ ନୀରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଓ ତହସିଲଦାର କଳାକୃଷ୍ଣ ପ୍ରଧାନ ତୀକ୍ଷ୍ଣ ନଜର ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ