ବାଲେଶ୍ବର ୭୫ ପ୍ରତିଶତ ଆସନରେ ନୂଆମୁହଁ

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ସାଧାରଣ ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପୁରୁଣା ବଦଳରେ ନୂଆ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ପୁରୁଣା ନେତାଙ୍କ ଉପରୁ ଭୋଟରଙ୍କ ସମେତ ଜନ ସାଧାରଣଙ୍କ ବିଶ୍ବାସ ଓ ଭରସା ହ୍ରାସ ଦଳ ପାଇଁ ଜଟିଳ ସ୍ଥିତି ଉପୁଜିବା ଆଶଙ୍କା କରି ଦଳୀୟ ଶୀର୍ଷ ନେତୃତ୍ବ ନୂଆ ମୁହଁକୁ ଗୁରୁତ୍ବ ଦେଇଛନ୍ତି। ତେବେ ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ବରେ ଏହା ଅଧିକ ପ୍ରତିଫଳିତ ହୋଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣାରୁ ସ୍ପଷ୍ଟ ହୋଇଛି।ଏହି ପରିପ୍ରେକ୍ଷୀରେ ବିଜେଡି ଆଗରେ ରହିଥିବା ଲକ୍ଷ୍ୟ କରାଯାଇଛି। ଦଳ ପକ୍ଷରୁ ଅଦ୍ୟାବଧି ଲୋକସଭା ସମେତ ଜିଲାର ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ସମ୍ପୂର୍ଣ୍ଣ ହୋଇଛି। ତନ୍ମଧ୍ୟରୁ କେବଳ ଜଳେଶ୍ବର ଆସନରେ ଅଶ୍ବିନୀ କୁମାର ପାତ୍ର ଏବଂ ସଦର ଆସନରେ ସ୍ବରୂପ କୁମାର ଦାସଙ୍କୁ ବିଜେଡି ଦୋହୋରାଇଛି। ଏଥର ଲୋକସଭା ଆସନରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଏଥର ଦଳ ପ୍ରାର୍ଥୀ କରିଛି। ସେହିଭଳି ସିମୁଳିଆରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବଦଳରେ ସୁବାସିନୀ ସାହୁ, ସୋରରେ ପର୍ଶୁରାମ ଧଡ଼ାଙ୍କ ପରିବର୍ତ୍ତେ ମାଧବ ଚନ୍ଦ୍ର ଧଡ଼ା, ନୀଳଗିରିରେ ସନ୍ତୋଷ ଖଟୁଆଙ୍କ ବଦଳରେ ସଦ୍ୟ ବିଜେପି ଛାଡ଼ି ବିଜେଡି ଯୋଗ ଦେଇଥିବା ବିଧାୟକ ସୁକାନ୍ତ ନାୟକ, ରେମୁଣାରେ ସୁଧାଂଶୁ ଶେଖର ପରିଡ଼ାଙ୍କ ପରିବର୍ତ୍ତେ ବିଦ୍ୟାସ୍ମିତା ମହାଳିକ, ବସ୍ତାରେ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁବାସିନୀ ଜେନା, ଭୋଗରାଇରେ ଅନନ୍ତ ଦାସଙ୍କ ବଦଳରେ ଗୌତମବୁଦ୍ଧ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି।ସେହିଭଳି ଲୋକସଭା ଆସନରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଧାନସଭା ଆସନରେ ମାନସ କୁମାର ଦତ୍ତ, ରେମୁଣାରେ ପୂର୍ବତନ ବିଧାୟକ ଗୋବିନ୍ଦ୍ର ଚନ୍ଦ୍ର ଦାସ ଓ ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କୁ ବିଜେପି ଦୋହୋରାଇଛି। ଅନ୍ୟପକ୍ଷରେ ସୋରରେ ରାକେଶ ମଲ୍ଲିକଙ୍କ ବଦଳରେ ନୂଆ ମୁହଁ ରାଜେନ୍ଦ୍ର ଦାସ, ବସ୍ତାରେ ରଘୁନାଥ ମହାନ୍ତିଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ଅଣ୍ଡିଆ, ଜଳେଶ୍ବରରେ ଜୟନାରାୟଣ ମହାନ୍ତିଙ୍କ ସ୍ଥାନରେ ବ୍ରଜକିଶୋର ପ୍ରଧାନ, ଭୋଗରାଇରେ କଂଗ୍ରେସ ଛାଡ଼ି ଦଳରେ ଯୋଗ ଦେଇଥିବା ଆଶିଷ କୁମାର ପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଛି। ନୀଳଗିରିରେ ବି ଆଜି ବିଜେଡି ଛାଡ଼ିଥିବା ସଂଗଠକ ସନ୍ତୋଷ ଖଟୁଆଙ୍କୁ ଦଳ ପ୍ରାର୍ଥୀ କରିଛି।ଅନୁରୂପ ଭାବେ କଂଗ୍ରେସ ମଧ୍ୟ ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଆଣିବାରେ ପଛରେ ନଥିବା ଳକ୍ଷ୍ୟ କରାଯାଇଛି। ଲୋକସଭା ଆସନରେ ନବଜ୍ୟୋତି ପଟ୍ଟନାୟକ ବଦଳରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାକୁ ଦଳ ଏଥର ପ୍ରାର୍ଥୀ କରିଛି। ବସ୍ତା ବିଧାନସଭା ଆସନରେ ବିଜନ ନାୟକ ଓ ଭୋଗରାଇରେ ସତ୍ୟଶିବ ଦାସଙ୍କୁ ଦଳ ଏଥର ଦୋହୋରାଇଛି। ମାତ୍ର ସୋରେ ସୁରେନ୍ଦ୍ର ପ୍ରାସଦ ପରମାଣିକଙ୍କ ସ୍ଥାନରେ ସୁବ୍ରତ ଧଡ଼ା, ସିମୁଳିଆରେ ଅନନ୍ତ ପ୍ରସାଦ ସେଠୀଙ୍କ ବଦଳରେ ହିମାଂଶୁ ଶେଖର ବେହେରା ଏବଂ ରେମୁଣାରେ ପ୍ରତାପ ସେଠୀଙ୍କ ସ୍ଥାନରେ ବିଜେଡି ଛାଡ଼ି ଦଳରେ ଯୋଗ ଦେଇଥିବା ସୁଦର୍ଶନ ଜେନା, ସଦରରେ ମମତା କୁଣ୍ଡୁଙ୍କ ବଦଳରେ ମୋନାଲିସା ଲେଙ୍କା ଓ ଜଳେଶ୍ବରରେ ସୁଦର୍ଶନ ଦାସଙ୍କ ବଦଳରେ ପୂର୍ବତନ ବିଧାୟକ ଦେବୀ ଚଣ୍ଡଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିଛି। ସେହିଭଳି ନୀଳଗିରିରେ କେହି ନୂଆ ମୁହଁକୁ ପ୍ରାର୍ଥୀ କରାଯିବା ନେଇ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି।ଚଳିତ ନିର୍ବାଚନରେ ପୁରୁଣା ନେତାଙ୍କ ଉପରୁ ଆସ୍ଥା ହରାଇ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜିଲାରେ ୭୫ ପ୍ରତିଶତରୁ ଅଧିକ ଆସନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ପଛର ଏକାଧିକ କାରଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଜସ୍ବ କାର୍ଯ୍ୟଧାରା ଯୋଗୁଁ ପୁରୁଣା ନେତାଙ୍କ ଲୋକପ୍ରିୟତା ହ୍ରାସ ସହ ଦଳୀୟ ଭାବମୂର୍ତ୍ତି ମଳିନ ପଡ଼ିବା, ଏଥର ସବୁଦଳର ଶୀର୍ଷ ନେତୃତ୍ବଙ୍କ ଚିନ୍ତା ବଢ଼ାଇଥିଲା। ତାଙ୍କ ସ୍ଥାନରେ ସାଂଗଠନିକ ଦକ୍ଷତା ଥିବା ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ପ୍ରାୟ ପ୍ରତ୍ୟେକ ଦଳ ଗୁରୁତ୍ବ ଦେଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ତେବେ ଦଳ ପକ୍ଷରୁ ଭରସା କରାଯାଉଥିବା ନୂଆ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ସଂଗ୍ରହରେ କେତେ ସଫଳ ହେବେ, ସେମାନଙ୍କ ପ୍ରତି ମତଦାତାଙ୍କ ଦୃଷ୍ଟିକୋଣ କ’ଣ ରହିବ ଏବଂ ଏଥର ନିର୍ବାଚନରେ କୋଣଠେସା ହୋଇଥିବା ପୁରୁଣା ନେତାଙ୍କ ଭୂମିକା କ’ଣ ରହିବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ