ଅକ୍ଷୟ ତୃତୀୟ ସରିଲା ତଥାପି ଗଜପତିରେ ପହଞ୍ଚିନି ଧାନ ବିହନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅକ୍ଷୟ ତୃତୀୟା ସରିଲା.ପ୍ରତେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ଚାଷୀ କ୍ଷେତକୁ ଚାଷ କରି ଜମିକୁ ସଜାଡିବା ଆରମ୍ଭ କରନ୍ତି. ଏଥିସହ ଖରିଫ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି ଚାଷୀ ଓ କୃଷକମାନେ. ବର୍ତ୍ତମାନ ଚାଷୀ ତାର ଜମିରେ ଧାନ ତଳି ଘର କରିବା ସହ ଧାନ ବିହନ ବୁଣିବା ପାଇଁ ସଜବାଜ ହୋଇ ରହିଛନ୍ତି ଚାଷୀ. ହେଲେ ବର୍ତ୍ତମାନ ସୁଦ୍ଧା ଗଜପତିରେ ସରକାରୀ ଧାନ ବିହନ କୌଣସି ବିହନ କେନ୍ଦ୍ରରେ ପହଞ୍ଚି ପାରିନାହିଁ. ତେଣୁ ଚାଷୀକୁଳ ହତାସ ହୋଇ ବସିରହିଛନ୍ତି.ଗଜପତି ଜିଲ୍ଲାର ବିଶେଷକରି କାଶୀନଗର ଓ ଗୋଷଣୀ ବ୍ଲକ ଅଞ୍ଚଳକୁ ଦକ୍ଷିଣ ଓଡ଼ିଶାର ଭାତହାଣ୍ଡି କୁହାଯାଏ. ଏହି 2 ଟି ବ୍ଲକରେ ଶତ ପ୍ରତିଶତ ଉନ୍ନତ କିସମର ଧାନ ଚାଷ କରନ୍ତି ଏଠାକାର ଚାଷୀକୂଳ. ଏହି 2 ବ୍ଲକର ସମସ୍ତ ଚାଷୀ ମୁଖ୍ୟତଃ ଧାନ ଫସଲ ଉପରେ ନିର୍ଭର କରନ୍ତି ବୋଲି ଗଜପତି ଜିଲ୍ଲା ଚାଷୀ ଓ କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ଗତ 13 ତାରିଖରେ ସାଧାରଣ ନିର୍ବାଚନ ସରିଲା. ଏହି ନିର୍ବାଚନରେ ସମସ୍ତ ସରକାରୀ କଳ ଓ ଜନ ସାଧାରଣ ବ୍ୟସ୍ତ ରହିବାରୁ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାର ଧାନ ବିକ୍ରୟ କେନ୍ଦ୍ର ପାଇଁ ରହିଥିବା ବ୍ୟବସାୟୀମାନେ ଧାନ ବିହନ କିଣିବା ପାଇଁ ଅର୍ଡର କରିନାହାନ୍ତି. ତେଣୁ ଧାନ ବିହନ ପହଞ୍ଚି ପାରିନାହିଁ. ସୁରୁଖୁରୁରେ ନିର୍ବାଚନ ସରିଲା, ହେଲେ ନା ନେତା ନା ସରକାର ନା ବିଭାଗ ଧାନ ବିହନ ପାଇଁ ଚିନ୍ତିତ ତାହା ସ୍ପଷ୍ଟ ହୋଇପାରୁନାହିଁ. ମୌସୁମୀ ଠିକ ସମୟରେ ପହଂଚିବ ବୋଲି ଚଳିତ ବର୍ଷ ଆକାଳନ କରଯାଉଛି. ହେଲେ ଗଜପତିର ଚାଷୀ ଏ ଯାଏଁ ଧାନ ବିହନ କୌଣସି ସେବା ସମବାୟ ସମିତି କିମ୍ବା ବିହନ ଡିଲର ମାନଙ୍କ ପାଖରେ ବିହନ ଗଛିତ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି. ରଥଯାତ୍ରା ବେଳକୁ ରୁଆ ବେଉସା ସାରିବାକୁ ହେବ. ବିହନ ନ ମିଳିବାରୁ ଚାଷୀକୁଳ ଚିନ୍ତାରେ ରହିଛନ୍ତି ବୋଲି ଚାଷୀ ସଙ୍ଘ ପର୍ଯ୍ୟାପ୍ତ ଧାନ ବିହନ ଯୋଗାଇବାକୁ ଦାବୀ କରିଛନ୍ତି. ପାରମ୍ପରିକ ଶୈଳୀରେ ଯେଉଁମାନେ ବିହନ ଯୋଗାଡ଼ କରିଛନ୍ତି ସେମାନଙ୍କ ସଂଖ୍ୟା ୧୦% ହେବ । ବଳକା ଚାଷୀ ସରକାରୀ ବିହନ ଉପରେ ଭରସା କରି ରହିଛନ୍ତି । ତେଣୁ ଗଜପତି ପ୍ରଶାସନ ଶୀଘ୍ର ବିହନ ଯୋଗାଇବାକୁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗଜପତି ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ