ଓଡ଼ିଆ ଅସ୍ମିତାର କଣ୍ଠରୋଧ କରୁଥିବା ନବୀନ ବାବୁଙ୍କ ପ୍ରୟାସ ବିଫଳ ହେବ:ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ପରଜଙ୍ଗ/ଛେଣ୍ଡିପଦା/କେନ୍ଦୁଝର, (ଓ୍ବାଇଏନ୍ଏସ୍) : ନବୀନ ବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି । ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ । ଓଡ଼ିଶାର ଶାସନ ଭାର ଓଡ଼ିଆଙ୍କ ହାତରେ ରହିବ ବୋଲି ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ତେବେ ନବୀନ ବାବୁଙ୍କ ଏପରି ପ୍ରୟାସ ବଡ ଆକାରରେ ବିଫଳ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଢେଙ୍କାନାଳର ପରଜଙ୍ଗ ଏବଂ କେନ୍ଦୁଝରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇଛନ୍ତି । ଏହା ସହ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପୃଥକ ‘ବିଜୟ ସଂକଳ୍ପ ସମାବେଶ’ରେ ସାମିଲ ହୋଇ ବିଜେପି ପ୍ରାର୍ଥୀଙ୍କୁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷର ସରକାରରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ । ୨୫ ବର୍ଷର ଅପରାଗ ସରକାର ବିରୋଧରେ ପ୍ରବଳ ଜନମତ ଅଛି । ପିଇବା ପାଣି ପାଇଁ ମୋଦୀ ଓଡ଼ିଶାକୁ ୧୦ ହଜାର ଟଙ୍କା ପଠାଇଛନ୍ତି । କିନ୍ତୁ ଏଠାକାର ବିଜେଡି ସରକାର ତାମିଲ କଣ୍ଟ୍ରାକ୍ଟରଙ୍କୁ ପୋଷି ଲୋକଙ୍କୁ ପାଣି ଦେଉନାହିଁ । ଓଡ଼ିଆ ଲୋକଙ୍କ ପଇସାରେ ବାହାର ରାଜ୍ୟର ଠିକାଦାରଙ୍କୁ ପୋଷାଯାଉଛି । ମୁଖ୍ୟମନ୍ତ୍ରୀ ଶାସନରେ ନାହାନ୍ତି । ଠିକାରେ ଶାସନ ଚାଲିଛି । ବିଜେଡି ମନରେ ପରାଜୟର ଡର ଘାରି ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବାକୁ ପଛାଉ ନାହିଁ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ହେଉଥିବା ଅପମାନକୁ ଲୋକେ ସହିବେ ନାହିଁ, ଭୋଟରେ ଜବାବ ଦେବେ । ଓଡ଼ିଶାରେ ଏଥର ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବ । ମୋଦୀଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଲୋକମାନେ ମନ ସ୍ଥିର କରିସାରିଛନ୍ତି । ଓଡ଼ିଶାର ଶାସନ ଓଡ଼ିଆ ଲୋକଙ୍କ ହାତରେ ରହିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗରିବଙ୍କୁ ମୌଳିକ ସୁବିଧା, ଚାଷୀଙ୍କ କଲ୍ୟାଣ ସହ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଯୁବବର୍ଗଙ୍କୁ ରୋଜଗାର ଦେବାର ଗ୍ୟାରେଣ୍ଟି ମୋଦୀ ଦେଇଛନ୍ତି । ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକ ୧୫ ଲକ୍ଷ ଘର ପ୍ରଦାନ କରାଯିବ । ସବୁ ଘରେ ପିଇବା ପାଣି, ଶୌଚାଳୟ, ଗ୍ୟାସର ବ୍ୟବସ୍ଥା ହେବ । ଏହାସହ ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବା ନେଇ ମୋଦୀଙ୍କ ଗ୍ୟାରେଣ୍ଟି ଅଛି । ଢେଙ୍କାନାଳର ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ବେଳେ ବିଜେପି କ୍ଷମତାକୁ ଆସିଲେ ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ହେବ । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ।ରାଜ୍ୟ ସରକାର ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି । ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଯୋଗାଯିବ । ଏଥିପାଇଁ ୭୫ ହଜାର ଟଙ୍କା ଖର୍ଚ୍ଚ କରି ସବୁ ଘରେ ସୋଲାର ପ୍ୟାନେଲ ଲାଗିବ । ଏହା ଦ୍ୱାରା କେବଳ ମାଗଣା ବିଜୁଳି ଉପଲବ୍ଧ ହେବ ନାହି, ସଂଚିତ ବିଜୁଳିକୁ ସରକାରଙ୍କୁ ବିକ୍ରି କରି ଆର୍ଥିକ ସହାୟତା ମଧ୍ୟ ପାଇହେବ । ସେ କହିଛନ୍ତି ଯେ କଳା, ସଂସ୍କୃତି, ପରମ୍ପରା, ବୀର ସଂଗ୍ରାମୀଙ୍କ ଭୂମିରେ ଶାହଙ୍କ ପ୍ରତି ଜନତାଙ୍କ ଅମାପ ସମର୍ଥନ ରାଜ୍ୟରେ ପରିବର୍ତ୍ତନର ବଡ ପ୍ରତିଫଳନ । ଗୃହମନ୍ତ୍ରୀ ଓ ବିଜେପି ପ୍ରତି ଅପାର ଜନସମର୍ଥନ ‘ମୋଦୀ ଗ୍ୟାରେଣ୍ଟି’ ପ୍ରତି ଥିବା ଭରସାକୁ ସୂଚାଉଛି । ଗୃହ ମନ୍ତ୍ରୀଙ୍କ ଅଭିଭାଷଣ ଜନସାଧାରଣ ବିଶେଷ ଭାବରେ ଆଦିବାସୀ ଭାଇ ଭଉଣୀ ଏବଂ ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିଛି । ଆଦିବାସୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆଗାମୀ ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ । ଆସନ୍ତା ୨୫ ତାରିଖରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ ଦେବା ପାଇଁ ପ୍ରଧାନ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ