କିଶୋର ପଣ୍ଡା ଓ ନେହେରୁଙ୍କ ପାଇଁ ବୈଜୟନ୍ତଙ୍କୁ ଭାରିପଡିବ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ବିଜେପି ମିଡିଆ ସେଲ ପ୍ରମୁଖ ନେହେରୁ ସାହୁଙ୍କ ପାଇଁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଭାରିପଡିବ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ । ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଓ ମିଡିଆ ସେଲ ପ୍ରମୁଖ ଶ୍ରୀ ସାହୁଙ୍କ ଅସଂଗଠିତ ଓ ବେପରବାୟ ନିର୍ବାଚନ ପରିଚାଳନା ଏବଂ ମନମୁଖୀ କାର୍ଯ୍ୟ ଯୋଗୁଁ ଦଳର ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ଭୋଟ ହାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାରେ ବିଜେପିର ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ କର୍ମୀ ଓ ଭୋଟର ମାନେ ବିଜେପିରୁ ମୁହଁ ଫେରାଇ ନେଉଥିବା ଦେଖାଯାଇଛି । ଦଳର ବରିଷ୍ଠ ତଥା ପୁରାତନ ଛାମୁଆ ନେତା ଓ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବାରୁ ସେମାନେ ଭିତରେ ଭିତରେ ଦଳ ବିପକ୍ଷରେ କାର୍ଯ୍ୟ କରୁଥିବା ଦେଖାଯାଉଛି । ଦଳର ବରିଷ୍ଠ ନେତୃତ୍ୱ ଓ କର୍ମୀମାନଙ୍କୁ ଅଣଦେଖା କରାଯିବା ସହିତ ସମ୍ପୂର୍ଣ୍ଣ ଭୁଲ ବାଟରେ ଏବଂ ମନମୁଖୀ ପରିଚାଳନା ହେଉଥିବା ଦଳୀୟ ନିର୍ବାଚନକୁ ଦେଖି ସେମାନେ କିଂ କର୍ତ୍ତବ୍ୟବିମୁଢ ହୋଇପଡିଛନ୍ତି । ସେମାନେ ନିଜକୁ ଅପମାନଜନକ ହୃଦବୋଧ କରି ସମସ୍ତ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିବା ବେଳେ ଆଗାମୀ ମତଦାନ ପାଇଁ ଦଳର କର୍ମୀ ଓ ସମର୍ଥକମାନଙ୍କୁ ପଦୁଟିଏ ବି କହିବାକୁ ଉଚିତ ମଣୁନାହାନ୍ତି । ଦଳର ପ୍ରମୁଖ ତଥା ବରିଷ୍ଠ ନେତୃତ୍ୱ ଓ କର୍ମୀମାନେ ଆଜି ଦଳ ପାଇଁ ଅଲୋଡା ହୋଇପଡିଛନ୍ତି । ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ପାଖଲୋକ ବୋଲାଉଥିବା ହାତଗଣତି ମାତ୍ର କିଶୋର ଓ ନେହେରୁଙ୍କ ଭଳି କେଇଜଣ ନିଜର ସ୍ୱାର୍ଥହାସଲ ପାଇଁ ଦଳ ବ୍ୟାନରରେ କାମକରୁଥିବା ପ୍ରଚାର ଚଳାଇଛନ୍ତି । ପ୍ରକୃତରେ ସେମାନେ ଦଳ ବା ପ୍ରାର୍ଥୀଙ୍କ ହିତସାଧନ ପାଇଁ କିଛି ବି କରୁନାହାନ୍ତି । କେନ୍ଦ୍ରାପଡାରେ ବିଜେପିର ଆଉ ସେ ପୁରୁଣା ସୁସଂଗଠିତ ସଂଗଠନ ନାହିଁ । କେବଳ କେତେଜଣ ସ୍ୱାର୍ଥନ୍ୱେସୀଙ୍କ ହାତରେ ଏବେ ବନ୍ଧା ପଡିଛି ବିଜେପି ସଂଗଠନ ଓ ନେତୃତ୍ୱ । ନିଜର ପତିଆରା ବୃଦ୍ଧି ନିମନ୍ତେ ଏହି ସ୍ୱାର୍ଥନ୍ୱେସୀ ମାନେ ଏବେ ଦଳ ଓ ଦଳର ପ୍ରାର୍ଥୀମାନଙ୍କ ଭବିଷ୍ୟତକୁ ବଳି ପକାଇ ଦେବାକୁ ପଛାଉନାହାନ୍ତି । ଦଳ ଓ ଦଳର ପ୍ରାର୍ଥୀ ଏବେ ଏହିମାନଙ୍କ ଇସାରାରେ ପରିଚାଳିତ ହେଉଥିବାରୁ ଆଗାମୀ ଦିନରେ ଏହି ସ୍ୱାର୍ଥନ୍ୱେସୀଙ୍କ ପାଇଁ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ କେନ୍ଦ୍ରାପଡା ଭାରିପଡିବା ସହ ପସ୍ତେଇବାକୁ ପଡିବ ବୋଲି ବିଜେପି କର୍ମୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ