ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତା ଶନିବାର ଠାରୁ ସମ୍ଭାବ୍ୟ ବାତ୍ୟା ‘ରେମାଲ’ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅଗ୍ନିଶମ ବିଭାଗ, ଓପିଟିସିଏଲ୍‌, ଜଳସେଚନ, ସାଲାଇନ୍ ଡିଭିଜନ୍‌-ଆଳି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବନଖଣ୍ଡ ବିଭାଗ ଓ ସମସ୍ତ ଲାଇନ ଡିପାର୍ଟମେଂଟ୍‌ର ଅଧିକାରୀମାନେ ଯୋଗ ଦେଇ ନିଜ ନିଜର ବିଭାଗ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ୧୦ଟି ଅଗ୍ନିଶମ ବିଭାଗରେ ସର୍ବମୋଟ୍ ୩୦ଟି ଗଛକଟା ମେସିନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ଏବଂ ଜରୁରୀ ପରିସ୍ଥିତିରେ ଏଗୁଡ଼ିକୁ ନିୟୋଜିତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ଆସ୍କାଲାଇଟ୍‌ର ବ୍ୟବହାରକୁ ସକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବାତ୍ୟା ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘତ ଘଟିଲେ ଯଥାଶୀଘ୍ର ମରାମତି କରିବାକୁ ଓପିଟିସିଏଲ୍‌କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଜନିତ ଜଳନିଷ୍କାସନ ପାଇଁ ବିହିତ ପଦକ୍ଷେପ ନେବାକୁ ଜଳସେଚନ ଓ ସାଲାଇନ୍ ଡିଭିଜନ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ଏବଂ ପ୍ରତ୍ୟେକ ଚିକିତ୍ସାଳୟରେ ଓଆର୍‌ଏସ୍‌, ଔଷଧ, ହାଲୋଜିନ୍ ବଟିକା, ସାପକାମୁଡ଼ା ଇଂଜେକ୍ସନ୍ ଆଦି ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁ କୁମ୍ଭୀରମାନଙ୍କ ଯାତାୟତ ଉପରେ କଡ଼ା ନଜର ରଖିବାକୁ ଏକ ଟିମ୍ ଗଠନ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ବଜ୍ରପାତ ଜନିତ ମୃତ୍ୟୁର ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ତୁରନ୍ତ ପ୍ରଦାନ କରିବା ଏବଂ ଏହାର ଯୁଗ୍ମ ତଦନ୍ତ ରିପୋର୍ଟ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ତହସିଲଦାରମାନଙ୍କୁ ପରାମର୍ଶ ଦେଇଥିଲେ । ଶୁଖିଲା ଖାଦ୍ୟ, ଚୁଡ଼ା ଚାଉଳ, ଗୁଡ଼, ମହବତୀ, ଡିଆସିଲି ଆଦି ମହଜୁଦ ରଖିବାକୁ ବେସାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ତହସିଲଦାର, ବିଡିଓ ଓ ଲାଇନ୍ ଡିପାର୍ଟମେଂଟ୍‌ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ