ଉତ୍ପାଦିତ ପଣସର ଚାହିଦା ଭରତର ବିଭିନ୍ନ ରାଜ୍ୟରେ ବେଶ ଅଧିକା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ଗୋଷଣୀ, କାଶୀନଗର ଗୁମ୍ମା ଏବଂ ରାୟଗଡ଼ ବ୍ଲକ୍‌ରେ ଉତ୍ପାଦିତ ପଣସର ଚାହିଦା ଦେଶର ବିଭିନ୍ନ ରାଜ୍ୟରେ ବେଶ୍ ଅଧିକା ରହିଛି। ବିଶେଷକରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ରାଜ୍ୟକୁ ଏହା ରପ୍ତାନି ହୋଇଥାଏ | ଚଳିତବର୍ଷ ପଣସ ଉତ୍ପାଦନ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଗୁମ୍ଫା ବ୍ଲକ୍‌ର ବଡ଼କଳାକୋଟ, ଡୁମ୍ବାଡ଼ା, ଅଜୟଗଡ଼, ଭୁବୁନି, ତରଙ୍ଗଡ଼ା, ସେରଙ୍ଗ, ଆଶ୍ରୟଗଡ଼ ଓ ନାମନାଗଡ଼ ଏବଂ ରାୟଗଡ଼ ବ୍ଲକ୍‌ର ଜିରାଙ୍ଗ, କଇଁପୁର ଓ ମଣ୍ଡଳସାହି ସହ ଆର. ଉଦୟଗିରି, ନୂଆଗଡ, ମୋହନା, ଗୋଷଣୀ ଓ କାଶୀନଗର ବ୍ଲକର ବହୁ ଅଞ୍ଚଳରେ ବିପୁଳ ପରିମାଣର ପଣସ ଉତ୍ପାଦିତ ହୁଏ ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପ୍ରାୟତଃ ନଭେମ୍ବର ମାସ ଶେଷ ସପ୍ତାହରୁ ପଣସ ଫଳ ଧରେ। ଜାନୁଆରି ମାସ ସୁଦ୍ଧା ବିକ୍ରିଯୋଗ୍ୟ ହୋଇଥାଏ | ଅଧିକ ଉତ୍ପାଦନ କରଣରୁ ଚଳିତବର୍ଷ ବଜାରକୁ ବିପୁଳ ପରିମାଣର ପଣସ ଆସିଛି. ତେବେ ଉତ୍ପାଦିତ ପଣସକୁ ସରକାରୀ ଭାବେ ବିକ୍ରୟ ପାଇଁ କୌଣସି ସୁବିଧା ଓ ସୁଯୋଗ ଏବଂ ପ୍ରୋତ୍ସାହନ ନଥିବା ବେଳେ ଚାଷୀମାନେ ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ ଆସି ଡେରା ପକାଇଥିବା ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରୁଛନ୍ତି। ସ୍ଥାନୀୟ ଚାଷୀ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ କିଲୋ ପିଛା ୩୦ ରୁ ୩୫ ଟଙ୍କାରେ ଏବଂ ବେଳେବେଳେ ୪୫ ଟଙ୍କାରେ ମଧ୍ୟ ବିକ୍ରୟ କରୁଥିବା ଜଣାପଡ଼ିଛି।ରାଞ୍ଚି, ରାୟପୁର, ମଥୁରା, କାଶୀ, ବୃନ୍ଦାବନ, ପାଟଣା ଓ କୋଲକାତାରୁ ଏବଂ ଅନ୍ୟ କିଛି ରାଜ୍ୟରୁ ମଧ୍ୟ ବ୍ୟବସାୟୀ ଆସିଥା’ନ୍ତି। ଉତ୍ପାଦନ ସମୟରେ ପ୍ରତ୍ୟେକ ଦିନ ଏହି ଅଞ୍ଚଳରୁ ପ୍ରାୟ ଦୁଇ ଟ୍ରକ୍ ପଣସ ବାହାର ରାଜ୍ୟକୁ ଯାଉଛି। ଚଳିତବର୍ଷ ଅଧିକାଂଶ ସ୍ଥାନରେ ପଣସ ଉତ୍ପାଦନ ଅଧିକ ମାତ୍ରାରେ ହୋଇଛି। ହେଲେ ଏଥିନିମନ୍ତେ ସରକାରୀ ଭାବେ କୌଣସି ସୁବିଧା ଓ ସୁଯୋଗ ଯୋଗାଇଦେବାକୁ ଚାଷୀ ବହୁବାର ଦାବି କରିଥିଲେ ହେଁ, କୌଣସି ସୁଫଳ ମିଳୁନାହିଁ. ତୁରନ୍ତ ସରକାର ଏନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ