କାଦବରାଙ୍ଗ ପଞ୍ଚାୟତରେ ଦଳ ଛାଡିଲେ ବିଜେଡି ସଭାପତି ଓ ପୂର୍ବତନ ସମିତିସଭ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ବିଜେଡି ସଭାପତି ଭାଗିରଥି ସେଠୀ, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି, କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନା, ବରିଷ୍ଠ ସଂଗଠକ ବିକାଶ ପାଳ ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବନ୍ତସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଯୋଗ ଦେଇ ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ବର୍ଷ ଗଠନ ପାଇଁ କୌଣସି ପ୍ରଲୋଭନ ଓ ମିଥ୍ୟା ପ୍ରତିଶୃତିରେ ପ୍ରଭାବିତ ନ ହୋଇ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ପଦାଧିକାରୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ କହିଥିଲେ ଯେ, କାଦବରାଙ୍ଗ ପଞ୍ଚାୟତ ଏକଦା ବିଜେଡିର ଗଡ ଥିବା ବେଳେ ପୂର୍ବତନ ସରପଞ୍ଚ ତଥା ଏବେକାର ପଞ୍ଚାୟତ ବିଜେଡି ସଭାପତି ଶ୍ରୀ ସେଠୀ ବିଜେଡି ପରିତ୍ୟାଗ କରିବା ଫଳରେ ପଞ୍ଚାୟତରେ ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି କହିଥିଲେ । ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ସୁଧିର କୁମାର ନାୟକ, ଛୟାଳସିଂ ସରପଞ୍ଚ ପ୍ରତିନିଧି ସନ୍ତୋଷ ନାୟକ ଏବଂ ବନ୍ତ, ଆଗରପଡା, ବରଡେଶ୍ୱର ମଣ୍ଡଳର ସଭାପତି, ପଞ୍ଚାୟତ ସଭାପତିଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗ ଦେଇଥିବା ପଦାଧିକାରୀ ଓ କର୍ମୀ ମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ