ଦେଶୀ ମଦ ସହ ଜଣେ ଗିରଫ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ବେଆଇନ ଭାବେ ଚୋରା ଦେଶୀ ମଦ ବିକ୍ରି ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ରଞ୍ଜନ ବେହେରା। ଗିରଫ ଯୁବକଙ୍କ ଠାରୁ ୬୪.୮ ଲିଟର ଦେଶୀ ମଦ ଜବତ କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୦୬/୨୪ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ଗତ କିଛି ମାସ ଧରି ବେଆଇନ ଭାବେ ଚୋରା ଦେଶୀ ମଦ ବିକ୍ରି ହେଉଥିଲା। ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଛାତ୍ରୀ ଓ ଗ୍ରାମର ଝିଅ ବୋହୁ ମାନେ ବହୁ ସମୟରେ ମଦ୍ୟପ ମାନଙ୍କର ଆକ୍ରୋଶର ଶୀକାର ହେବା ସହ ଗ୍ରାମରେ ବିଭିନ୍ନ ସମୟରେ ଛୋଟବଡ ହିଂସାକାଣ୍ଡ ଦେଖିବାକୁ ମିଳୁଥିଲା । ସଂପୃକ୍ତ ସ୍ଥାନରେ ମଦ ବିକ୍ରି ବନ୍ଦ କରିବା ପାଇଁ ଗ୍ରାମର ବହୁତ ଜନସାଧାରଣ ସ୍ଥାନୀୟ ଅବକାରୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏଥି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଥିଲା । ଏହାକୁ କେନ୍ଦ୍ରକରି ରବିବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏହାକୁ ବିରୋଧ କରିବା ସହ ସଂପୃକ୍ତ ସ୍ଥାନରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀମଦ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ। ରବିବାର ଘଟଣା ନେଇ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନର ୧୫ ଦିନ ମଧ୍ୟରେ ସଂପୃକ୍ତ ସ୍ଥାନରେ ବେଆଇନ ଭାବେ ଦେଶୀମଦ ବିକ୍ରି ବନ୍ଦ କରାନଗଲେ ଜନଆନ୍ଦୋଳନ ସୃଷ୍ଟି ହେବ ଏବଂ ଏଥି ସକାଶେ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଘଟଣା ନେଇ ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ପରେ ପ୍ରଶାସନ ତତ୍ପରତା ଦେଖାଇ ସୋମବାର ସନ୍ଧ୍ୟାରେ ସଂପୃକ୍ତ ସ୍ଥାନରେ ଚଢାଉ କରି ବେଆଇନ ଭାବେ ବିକ୍ରି ହେଉଥିବା ୬୪.୮ ଲିଟର ଦେଶୀ ମଦ ଜବତ କରିବା ସହ ମଦ ବିକ୍ରି ଅଭିଯୋଗରେ ରଞ୍ଜନ ବେହେରାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ଢାବା, ହୋଟେଲ, ପାନ ଦୋକାନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗୀୟ କର୍ମଚାରୀ ମାନେ ଜାଣିଶୁଣି ନିରବ ସାଜୁଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ