ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା ଗ୍ରାମବାସୀଙ୍କ ଛେଚା ଖାଇ ରୋଡ ରୋମିଓ ଆହତ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ସାଇକେଲ ଯୋଗେ ହିଞ୍ଜିଳିକାଟୁ ସହରକୁ ଟିୟୁସନ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଏତେ ରୋଡରୋମିଓଙ୍କୁ ମହଙ୍ଗା ପଡିଛି। ବାରମ୍ବାର ତାଗିଦ ପରେ ମଧ୍ୟ ଯୁବକ ଜଣଙ୍କ ନିଜ ସ୍ୱଭାବରେ ପରିବର୍ତ୍ତନ ନଆଣିବାରୁ ଶେଷରେ ଗ୍ରାମର କିଛି ବ୍ୟକ୍ତିଙ୍କ ଠାରୁ ଛେଚା ଖାଇ ରୋଡ ରୋମିଓ ଜଣଙ୍କ ଆହତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ରାଳବ ଗ୍ରାମରେ ଦେଖିବାକୁ ମିଳିଛି। ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ବିନୋଦ ଦାସ ବୋଲି ଜଣାପଡିଛି।
ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, ଗତ କିଛି ଦିନ ଧରି ରାଳବ, ନନ୍ଦିକ ଏବଂ ନିକଟବର୍ତ୍ତୀ ଗ୍ରାମରୁ ସାଇକେଲ ଯୋଗେ କିଛି କଲେଜ ପଢୁଆ ଛାତ୍ରୀ ଟିୟୁସନ ପଢିବା ପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ହିଞ୍ଜିଳିକାଟୁ ସହରକୁ ଯାଇଥାନ୍ତି। ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ବିଭିନ୍ନ ସମୟରେ ବାଇକ୍ ଯୋଗେ ବହୁତ ଛାତ୍ରୀଙ୍କ ପଥରେ ଚକ୍କର କାଟିବା ସ‌ହ ଅଶ୍ଳୀଳ ଇଙ୍ଗିତ କରିବା, କମେଣ୍ଟ ମାରିବା ସହ କିଛି ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ନେଇ ଛାତ୍ରୀ ମାନେ ସେମାନଙ୍କ ଅଭିଭାବକଙ୍କୁ ଜଣାଇଥିଲେ। ଘଟଣା ନେଇ କିଛି ଅଭିଭାବକ ସଂପୃକ୍ତ ଯୁବକଙ୍କୁ ବୁଝାସୁଝା କରିବା ସହ ଏଭଳି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନକରିବା ପାଇଁ ତାଗିଦ୍ କରିଥିଲେ। ବୁଧବାର ସନ୍ଧ୍ୟାରେ ପୁଣିଥରେ ଯୁବକ ଜଣଙ୍କ ଗ୍ରାମ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ରହି କିଛି ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଘଟଣାର ସତ୍ୟତା ପରଖିବା ପାଇଁ କିଛି ଅଭିଭାବକ ଛପିରହି ଘଟଣା ପରଖିଥିଲେ। ଯୁବକ ଜଣଙ୍କ ଗ୍ରାମ ନିକଟରେ କିଛି ଛାତ୍ରୀଙ୍କୁ କମେଣ୍ଟ ମାରୁଥିବା ବେଳେ କିଛି ଅଭିଭାବକ ସଂପୃକ୍ତ ଯୁବକଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ନିକଟରୁ ବାଇକ୍ ଯୋଗେ ଖସିଯିବାକୁ ଉଦ୍ୟମ କରି ଦୂର୍ଘଟଣା ଘଟି ଯୁବକ ଜଣଙ୍କ ଆହତ ହୋଇଥିଲେ। ପରେ କିଛି ଅଭିଭାବକ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ କରିଥିଲେ।‌ ଅନ୍ୟ ପକ୍ଷରେ ସେହି ସମୟରେ ଜଣେ ବୃଦ୍ଧା ସେହି ବାଟ ଦେଇ ଯାଉଥିବା ବେଳେ ଗହଳ ଚହଳ ଦେଖି ସେଠାରେ ଅଟକି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। କିଛି ଲୋକ ବୃଦ୍ଧା ଜଣଙ୍କ ଯୁବକଙ୍କ ମାଆ ବୋଲି ଭାବି ବୃଦ୍ଧାଙ୍କ ମଧ୍ୟ ମାଡ ମାରିଥିଲେ । ଫଳରେ ବୃଦ୍ଧା ଜଣଙ୍କ ଆହତ ହୋଇଥିଲେ। ଘଟଣା ନେଇ କିଛି ସମୟ ସକାଶେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ପରେ ସ୍ଥାନୀୟ ଲୋକେ ଆହତ ଯୁବକ ଓ ବୃଦ୍ଧାଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ