ସାମ୍ବାଦିକଙ୍କୁ ହତ୍ୟା ଧମକ୍ ଥାନାରେ ମାମଲା ରୁଜୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକ ପାଇଁ ମେଟ୍ରୋ ଟିଭି ୱେବ୍ ଚ୍ୟାନେଲର କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କୁ ଆଳି ମହୁ ଗ୍ରାମରେ ଶୋଇଥିବା ଅବସ୍ଥାରେ ସେହି ଗ୍ରାମର ଆସାମୀ ଅଶୋକ ତ୍ରିପାଠୀ ହଠାତ୍ ପହଞ୍ଚି ଏକ ଭୁଜାଲି ଦେଖାଇ ହତ୍ୟା ଧମକ ଦେବା ସହିତ ଅଶାଳୀନ ଭାଷାରେ ଗାଳି ଗୁଲଜ କରି ତାଙ୍କ ପରିବାରଙ୍କୁ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିବା ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୁଷ୍ମନ୍ତ । ଅଭିଯୋଗ ମୁତାବକ ଗତ କିଛି ଦିନ ତଳେ ମହୁ ଗ୍ରାମର ବଜାର ଦାଣ୍ଡି ଠାରେ ଥିବା ଅଙ୍ଗନ୍‌ବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେହି ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ର ଅଭିଭାବକ, ହିତାଧିକାରୀ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଆଳି ସି.ଡି.ପି.ଓ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏବାବଦରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହି ଖବରକୁ ସାମ୍ବାଦିକ ଦୁଷ୍ମନ୍ତ ମଧ୍ୟ ପ୍ରସାରଣ କରାଇଥିଲେ । ଅଭିଯୋଗ ପରେ ତଦନ୍ତ କରାଯିବା ବେଳେ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ପୁଅ ଜଗବନ୍ଧୁ ତ୍ରିପାଠୀ ଓ ଖବର ପ୍ରସାରଣ ପରେ କର୍ମୀଙ୍କ ସ୍ୱାମୀ ଅଶୋକ ତ୍ରିପାଠୀ ସେହି ଗ୍ରାମରେ ରହୁଥିବା ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କୁ ବିଭିନ୍ନ ସମୟରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଥିବା ନେଇ ଦୁଷ୍ମନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଦୁଷ୍ମନ୍ତଙ୍କ ଅଭିଯୋଗ ମୁତାବକ ଖାଲି ଗ୍ରାମରେ ନୁହେଁ ଆଳିକୁ କିମ୍ବା କେନ୍ଦ୍ରାପଡା ଗଲେ ଶବ ହୋଇ ଫେରିବ ବୋଲି ତାଙ୍କୁ ଧମକ ଦିଆଯାଇଛି । ଦୁଷ୍ମନ୍ତଙ୍କୁ ଜୀବନରୁ ଶେଷ କରିଦେବାକୁ ସୁପାରି ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଜୀବନରୁ ଶେଷ କରିଦେବାକୁ ହୋଇଥିବା ଷଡଯନ୍ତ୍ରର ଅନେକ ପ୍ରମାଣ ଦୁଷ୍ମନ୍ତ ରଖିଥିବା ନେଇ ଅଭିଯୋଗରେ ମଧ୍ୟ ଦର୍ଶାଇଛନ୍ତି । ତେବେ ଏସମ୍ପର୍କରେ ଆଇନତଃ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସାମୀଙ୍କୁ ଗିରଫ କରାଯିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସେ ଆଳି ପୋଲିସକୁ ନିବେଦନ କରିଛନ୍ତି । ଏହି ଅଭିଯୋଗ ଉପରେ ଆଳି ଥାନା ପୋଲିସ କେଶ ନମ୍ବର ୩୪୯/୨୦୨୪ରେ ଆଇପିସିର ୩୪୧, ୨୯୪, ୫୦୬ ଓ ୩୪ ଦଫାରେ ଏକ ମାମଲା ରୁଜୁ କରିିଛି । ଅଭିଯୁକ୍ତ ମରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେବା, ଘର ପୋଡ଼ି ଦେବାକୁ ଧମକ, ବାହାରେ ସୂପାରୀ କିଲର ଦ୍ୱାରା ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ନେଇ ଅଭିଯୋଗରେ ଦର୍ଶା ଯାଇଥିବା ବେଳେ ଏହାର ସମସ୍ତ ପ୍ରମାଣ ଥିବା ସତ୍ୱେ ଏ ବାବଦରେ ଆଳି ପୋଲିସ ଆବଶ୍ୟକ ଦଫା ଲଗାଇନଥିବା ଅଭିଯୋଗ କାରୀ ଦୁଷ୍ମନ୍ତ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଆଳି ଥାନା ପୋଲିସର ଉଦାସୀନତା ବିରୋଧରେ ଦୁଷ୍ମନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ୠ୍ରହଣ କରାଯିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ