‘ପ୍ରଜାପତି’ର ଦିଗ୍‌ବଳୟସ୍ପର୍ଶୀ ସନ୍ଧ୍ୟା

ବାଲେଶ୍ୱର, (ସରୋଜ ପଣ୍ଡା):ସାଂପ୍ରତିକ ବିଶ୍ୱାୟତନରେ ଆମ ଭାଷା ସାହିତ୍ୟ ଅଦୃଶ୍ୟ ଅପହଞ୍ଚ ସ୍ଥାନରେ କୋଣଠେସା ଖାଇ ପଡ଼ିରହୁଥିବାର ଅନେକ ଦୃଷ୍ଟାନ୍ତ ଆମକୁ ଚୁପ୍ କରି ରଖିଥିଲାବେଳେ ବାଲେଶ୍ୱରର ‘ପ୍ରଜାପତି’ ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଏକ ଅଭିନବ ସାରସ୍ୱତ ଅନୁପ୍ରାସ ‘ଦିଗ୍‌ବଳୟ’ ସନ୍ଧ୍ୟା ସ୍ଥାନୀୟ ‘ଆତିଥ୍ୟ’ ଭବନରେ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଏତାଦୃଶ ଅଭିନବ ‘ଦିଗବଳୟ’ ସନ୍ଧ୍ୟାକୁ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଛନ୍ତି ଯେ ଶିକ୍ଷା ଓ ଜ୍ଞାନର ବିକାଶ ଘଟିଲେ ମନ ଅନ୍ତରାଳରେ ଥିବା ସତ୍ୟତାକୁ ଅନୁଭବ କରିବାକୁ ହିଁ ସାହିତ୍ୟ କୁହାଯାଏ । ଏକ ବୌଦ୍ଧିକ ସଚେତନତାର ସର୍ତ୍ତ ଉପସ୍ଥାପନ କରି ବିବିଧ ଭାଷାର ସାହିତ୍ୟ ପଠନ ନ କଲେ ଆମ୍ଭେ ଅଂଧକାର ଭିତରେ ରହିଯିବୁ । ବହୁବିଧ ପୁସ୍ତକପାଠର ସଫଳ ନମୁନା ସଦୃଶ ଆଜି ସନ୍ଧ୍ୟାର ଶ୍ରଦ୍ଧେୟା ପ୍ରୀତିକ୍ରିଷ୍ଣା (ସୂଚୀ) ଏକ ଆଲୋକିତ ଉଦାହରଣ ସୃଷ୍ଟି କରିଛନ୍ତି । ସୁନ୍ଦର ଚିନ୍ତାଟିଏ ମନଭିତରେ ବାଂଧି ହୋଇଗଲେ ତାହା ମଣିଷକୁ ସତ୍‌ମାର୍ଗ ଦେଖାଇ ସାହସ ପ୍ରଦାନ କରିଥାଏ । ଏହା ପଠନର ଶ୍ରେଷ୍ଠ ଉପହାର । ଇଞ୍ଜିନିୟରିଂରେ ଗବେଷଣାରତ ପ୍ରୀତିକ୍ରିଷ୍ଣା ଓଡ଼ିଆ ଭାଷାର ତାଙ୍କ ପ୍ରିୟ ପୁସ୍ତକ ଗୋଦାବରୀଶ ମହାପାତ୍ରଙ୍କ ‘ଶ୍ରେଷ୍ଠଗଳ୍ପ’, ବିଭୂତି ପଟ୍ଟନାୟକଙ୍କ ‘ବଧୁ ନିରୂପମା’, ହିନ୍ଦୀ ଭାଷାର ପ୍ରେମଚାନ୍ଦଙ୍କ ‘ଗୋଦାନ’ ଏବଂ ଇଂରାଜୀ ଭାଷାର ସେକ୍‌ସପିୟରଙ୍କ ‘ହେମଲେଟ୍‌’ ନାଟକ, ଟଲଷ୍ଟୟଙ୍କ ‘ୱାର ଏଣ୍ଡ୍ ପିସ୍‌’ ଉପନ୍ୟାସ, ସମକାଳର ଭାରତୀୟ ଔପନ୍ୟାସିକ ଚେତନ ଭଗତ୍‌ଙ୍କ ‘ଥ୍ରୀ ମିଷ୍ଟେକ୍ସ ଅଫ୍ ଲାଇଫ୍‌’ ତଥା ଅଜୟ ପାଣ୍ଡେଙ୍କ ‘ୟୁ ଆର୍ ମାଇଁ ବେଷ୍ଟ ୱାଇଫ୍‌’ ଉପନ୍ୟାସର ମୂଳସୂତ୍ର ଆଲେଖ୍ୟ ରଖି ‘ସାହିତ୍ୟ ଗଣିତ ନୁହେଁ, ଏହା ଏକ ତୀବ୍ର ଅନୁଭବ’ ବୋଲି ମତବ୍ୟକ୍ତ କରି ଶତ୍ରୁବର୍ଗଙ୍କୁ ବିମୋହିତ କରିଥିଲେ । ଏହି ଉଚ୍ଚତର ଭାବାବେଗରେ କବି ଶ୍ରୀଦେବ, କବି-ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି-ଗାଳ୍ପିକ କୃଷ୍ଣ କୁମାର ମହାନ୍ତି ବରିଷ୍ଠ ସାମ୍ବାଦିକ ଶଶିରଂଜନ ମଲ୍ଲିକ ଏବଂ କବି-କ୍ରିଟିକ୍ ଉତ୍ପଳ ମହାନ୍ତି ନିଜନିଜର ପାଠକୀୟତା ସଂପର୍କିତ ସ୍ୱତନ୍ତ୍ର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ତଥା ଶେଷୋକ୍ତି ପ୍ରଜାପତିର ‘ସଂପାଦକ’ ରାଜେଶ ଗିରି ରଖିଥିଲା ବେଳେ ସଦସ୍ୟ ଅରଜିତ୍ ଦାସ, ପାର୍ଥ ସାରଥୀ ସାହୁ, ବିପ୍ଳବ ଦାସ ମହାପାତ୍ର, ସରସ୍ୱତୀ ଭୋଇ, ପ୍ରତିମା ତ୍ରିପାଠୀ ଏବଂ ପ୍ରୀତିକ୍ରିଷ୍ଣାଙ୍କ ମା’ ପ୍ରେୟସୀ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ କୁଳପତି ଡ. ତ୍ରିପାଠୀ ତରୁଣ ପାଠକପାଠିକାଙ୍କୁ ଉତ୍ସାହିତ କରିବା ନିମିତ୍ତ ଏହାର ଦ୍ୱିତୀୟ ପାଠକୀୟ ମଞ୍ଚ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ