୬୩ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଉଦଯାପିତ
କୋଣାର୍କ -(ଗଣେଶ ଚନ୍ଦ୍ର ବେହେରା) ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୧୦ କିମି ଦୂରରେ ଅବସ୍ଥିତ ଐତିହାସିକ ବୌଦ୍ଧପୀଠ କୁରୁମ ଠାରେ କୁରୁମ ବୌଦ୍ଧପୀଠ ବିକାଶ ପରିଷଦ ଆନୁକୂଲ୍ୟରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ୬୩ତମ ବୌଦ୍ଧ ଜୟନ୍ତୀ ଉତ୍ସବ ସୋମବାର ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଦୁଇଦିନିଆ ବୁଦ୍ଧ ଜୟନ୍ତୀ ଉତ୍ସବରେ ପ୍ରତ୍ଯହ ବରିଷ୍ଠ ଶିକ୍ଷାବିତ ତଥା ପ୍ରବଚକ ଗନ୍ଧର୍ବ ସେନାପତି ଗୌତମବୁଦ୍ଧଙ୍କ ଆତ୍ମ ଜୀବନ, ଧର୍ମ ଓ ଆଲୌକିକ ଗୁଣାବଳୀ ସମ୍ପର୍କରେ ପ୍ରବଚନ ମାଧ୍ୟମରେ ଉପସ୍ଥିତ ଶ୍ରୋତାମାନଙ୍କ ଆଗରେ ଆଲୋକପାତ କରିଥିଲେ। ଏହି ଉଦଘାଟନୀ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଭୁବନେଶ୍ବରର ମା କୁରୁକୁରୀ ଭଜନ ମଂଚ ପକ୍ଷରୁ ଆଧ୍ୟାତ୍ମିକ ଧର୍ମୀ ଭଜନ ପରିବେଷଣ କରାଯାଇଥିଲା। ପରେ ପରେ ସୁଆଣ୍ଡୋର ଅଷ୍ଟ ଭୁଜା ଗୋଟିପୁଅ ନୃତ୍ୟ ଦଳ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ବିତୀୟାର୍ଦ୍ଧରେ ଇତିଶ୍ରୀ ବରାଳଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣରେ ବୌଦ୍ଧପୀଠ ଠାରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଶେଷରେ ମା ମଙ୍ଗଳା ଘୋଡା ନାଚ ଗ୍ରପର ଗୁରୁ ଶଙ୍କର ବେହେରା ଓ ସାଥି କଳାକାର ମାନଙ୍କ ଦ୍ଵାରା ଚିତାକର୍ଷକ ଘୋଡ଼ା ନାଚ ପରିବେଷଣ କରାଯାଇଥିଲା। ପରିଷଦର ସଭାପତି ହରେକୃଷ୍ଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅତିଥି ଭାବରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରା, ପରିଷଦର ସଂପାଦକ ମଙ୍ଗରାଜ ବିଶ୍ବାଳ ପ୍ରମୁଖ ଯୋଗଦେଇ ଏହି ଗୌତମ ବୁଦ୍ଧଙ୍କ ସମାଜ ପ୍ରତି ଦିଗଦର୍ଶନ ଓ ଚିନ୍ତା ଚେତନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ମଂଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ ତପନ କୁମାର ନାୟକ, ପ୍ରଫୁଲ୍ଲ କୁମାର ସେନାପତି, ବାନାମ୍ବର ଭୂୟାଁ, ଦିଲ୍ଲିପ କୁମାର ନାୟକ, ଅଭୟ ସ୍ବାଇଁ, କପିଳ ଭୂୟାଁ ଅଭୟ କୁମାର ବିଶ୍ବାଳ ଓ ମେଘନାଦ ସ୍ବାଇଁଙ୍କ ସମେତ ଚାରିଗାଁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।