ଦିଗପହଣ୍ଡି ରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ୱାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତା କଡ ରେ ନିର୍ମାଣାଧୀନ ମେଡ଼ିକାଲ କୋଠା ପରିସରରୁ ପ୍ରାୟ ୭ ଫୁଟ ଲମ୍ବ ର ଏକ ଅଜଗର (ପାଇଥନ୍) ସାପ କୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି। ଅଜଗର ସାପ ଟି ସେଠାରେ ରହି ଗର୍ଜନ କରୁଥିବା ବେଳେ ସେଠାରେ କାମକରୁଥିବା କିଛି ଶ୍ରମିକ ସାପ ଟିକୁ ପ୍ରଥମେ ଦେଖିଥିଲେ।ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। ଏନେଇ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ବନ ବିଭାଗ କର୍ତ୍ତୃପକ୍ଷ ସ୍ନେକ ହେଲ୍ପଲାଇନ ସଦସ୍ୟ କାଳିଆ ନାହାକ ଙ୍କୁ ଜଣାଇଥିଲେ। ସେ ସେଠାରେ ପହଞ୍ଚି ଅତ୍ୟନ୍ତ ସନ୍ତର୍ପଣ ସହକାରେ ପୁରୁଷ ପ୍ରଜାତିର ଅଜଗର ( ପାଇଥାନ୍ ) ସାପ କୁ ଧରି ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡିଥିଲେ। ଅଜଗର ଟି କେନାଲ ପାଣି ରେ ଭାସି ଆସିଥିବା ଲୋକେ ଅନୁମାନ କରିଛନ୍ତି। ଗତ କିଛିଦିନ ପୂର୍ବେ ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ପିଏଚଡି ରୋଡ଼ କେନାଲ କଡ ମୋବାଇଲ ଟାୱାର ନିକଟରୁ ପ୍ରାୟ ୧୨ ଫୁଟ ଲମ୍ବ ର ଏକ ଅହିରାଜ (କିଙ୍ଗକୋବ୍ରା) ସାପ କୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ନିକଟସ୍ଥ ଚାଙ୍ଗୁଡି ଦେଇ ଜଙ୍ଗଲରେ ଛାଡ଼ିଥିଲେ। ଅପରପକ୍ଷରେ ନିକଟସ୍ଥ ଜଙ୍ଗଲରୁ ଅଜଗର, ଅହିରାଜ ଭଳି ସାପ ଗୁଡିକ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ର ଯଥେଷ୍ଟ କାରଣ ଜଣାପଡୁନାହିଁ। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଅହିରାଜ,ଅଜଗର ଭଳି ସାପ ଗୁଡ଼ିକ ଜନବସତି କୁ ଚାଲି ଆସୁଥିବା ପ୍ରାଣୀ ବିଜ୍ଞାନୀ ମାନଙ୍କ ସହ ଆଲୋଚନା ରୁ ଜଣାପଡ଼ିଛି।


