ଶୀତଦିନେ ହୋଇପାରେ ହାଇପୋଥର୍ମିଆ

ଅଧିକ ଥଣ୍ଡା ପଡ଼ିବା ଫଳରେ କେତେକ ଲୋକଙ୍କ ଶରୀରର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ନିମ୍ନରେ ପହଞ୍ଚିଯାଏ। ଏପରିସ୍ଥଳେ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର। ବିଶେଷକରି ବୟସ୍କ ଓ ପିଲାଙ୍କଠାରେ ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଥିବା କାରଣରୁ ସେମାନଙ୍କ ଉପରେ ଶୀଘ୍ର ଏହାର ପ୍ରଭାବ ପଡ଼େ। ଏହି କାରଣରୁ ହାଇପୋଥର୍ମିଆ ଆଶଙ୍କା ବଢ଼ିଯାଏ। ହାଇପୋଥର୍ମିଆକୁ ସାଧାରଣ ଭାଷାରେ ମାତ୍ରାଧିକ ଥଣ୍ଡା ଲାଗିବା କୁହାଯାଏ। ଏପରିସ୍ଥିତିରେ ଶରୀରକୁ ଗରମ ରଖିବା ନିହାତି ଦରକାର।
ହାଇପୋଥର୍ମିଆ କ’ଣ : ଅଧିକ ଥଣ୍ଡା ସହିପାରୁ ନ ଥିବା ଲୋକଙ୍କ ହାତ ଗୋଡ଼ ଥଣ୍ଡା ପଡ଼ିବା ଆରମ୍ଭ ହୁଏ। ପେଟ ଯନ୍ତ୍ରଣା ମଧ୍ୟ ହେବାରେ ଲାଗେ। ବୟସ୍କ ଓ ପିଲାଙ୍କ ଶରୀର ଦୁର୍ବଳ ହୋଇଥାଏ। ଯେଉଁଥିପାଇଁ ସେମାନେ ଅଧିକ ଥଣ୍ଡା ସହିପାରନ୍ତି ନାହିଁ। ଦୁର୍ବଳ କାରଣରୁ ସେମାନଙ୍କ ଶରୀର ତାପମାତ୍ରା ସହିତ ସନ୍ତୁଳନ ରକ୍ଷା କରିପାରେ ନାହିଁ। ତେଣୁ ବିପଦ ଆହୁରି ବଢ଼ିଯାଏ। ଅନେକ ସମୟରେ ହାଇପୋଥର୍ମିଆ ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ।
ଲକ୍ଷଣ : ହାଇପୋଥର୍ମିଆ ହେଲେ ଶରୀରର ତାପମାତ୍ରା ୩୭ ଡିଗ୍ରୀରୁ କମ୍‌ ହେବାରେ ଲାଗେ। ଏଥିସହିତ ରୋଗୀଙ୍କ ସ୍ବର ଧିମା ହେବା ସାଙ୍ଗକୁ ନିଦ ମଧ୍ୟ ଲାଗେ। ଶରୀର କମ୍ପିବା ସହିତ ହାତଗୋଡ଼ ଟାଣି ହେବା ଭଳି ଲାଗେ। ଶରୀର ଉପରୁ ମସ୍ତିଷ୍କର ନିୟନ୍ତ୍ରଣ କମ୍‌ ହେବାରେ ଲାଗେ।
କ’ଣ କରିବେ : ଥଣ୍ଡାରେ ଘରୁ ବାହାରକୁ ବାହାରିବା ସମୟରେ ଗରମ ପୋଷାକ ପିନ୍ଧନ୍ତୁ। ଭୋକିଲା ପେଟରେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କାରଣ ଖାଲି ପେଟରେ ଏହି ରୋଗ ଆଶଙ୍କା ଅଧିକ ରହିଛି। ଶରୀରକୁ ଅଧିକ ତାପମାତ୍ରା ମୁଣ୍ଡରୁ ମିଳିଥାଏ। ତେଣୁ ମୁଣ୍ଡକୁ ଟୋପି କିମ୍ବା ଗରମ ପୋଷାକ ଘୋଡ଼ାଇ ରଖନ୍ତୁ। ଯେତେ ସମ୍ଭବ ହିଟରଠାରୁ ଦୂରେଇ ରହନ୍ତୁ।
ହାଇପୋଥର୍ମିଆ ସ୍ଥିତିରେ ରୋଗୀଙ୍କୁ ଗରମ ପୋଷାକ ପିନ୍ଧାଇ କୌଣସି ଗରମ କୋଠରୀରେ ଶୁଆଇ ଦିଅନ୍ତୁ। ହିଟର କିମ୍ବା ସିଧାସଳଖ ନିଆଁ ଜାଳି ଶରୀର ଗରମ କରିବା ଅଧିକ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଯଥାସମ୍ଭବ ରୋଗୀଙ୍କ ହାତ ଗୋଡ଼କୁ ମାଲିସ୍‌ କରି ତାଙ୍କ ଶରୀର ଗରମ କରନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଦିଅନ୍ତୁ ନାହିଁ। ଯଥାଶୀଘ୍ର ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ