ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର – ଶିରିପୁରସ୍ଥିତ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ୨୫ ତାରିଖ ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ପ୍ରମୁଖ ବକ୍ତାଭାବେ ଯୋଗ ଦେଇ ଓଜସ୍ୱିନୀ ସାରଗର୍ଭକ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହ ଛାତ୍ରୀମାନଙ୍କର ସମୁଜ୍ଜ୍ୱଳ ଭବିଷ୍ୟତ ସମ୍ବନ୍ଧରେ ହୃଦୟସ୍ପର୍ଶୀ ଆଲୋକପାତ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶିକା ଡଃ ପ୍ରୀତି ପ୍ରତିଭା ଭୋଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ, ଛାତ୍ରୀମାନଙ୍କ ପ୍ରତି ଅଧ୍ୟାପିକା ଅଧ୍ୟପକମାନଙ୍କର ଗୁରୁଦାୟିତ୍ୱ ସମ୍ପର୍କରେ ସୁନ୍ଦର ଭାବେ ରେଖାପାତ କରି ସ୍ୱରଚିତ କବିତା ଶୁଣାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନା ପଟ୍ଟନାୟକ ଅନ୍ୟତମ ଅତିଥି ରୂପେ ଆମ୍ଭମାନଙ୍କ ଗହଣରେ ରହି ଅନୁଷ୍ଠାନର ଅତୀତ ଗୌରବର ଗାଥା ସ୍ମତିଚାରଣ କରିବା ପୂର୍ବକ ଉତ୍ତରୋତ୍ତର ଉନ୍ନତି ନିମନ୍ତେ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବୋପରି ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ରଙ୍କ ସଭାପତିତ୍ୱରେ ଉତ୍ସବଟି ଶତମୁଖ ହୋଇ ଉଠିଥିଲା । ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନୋମୁଗ୍ଧକର ତଥା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।


