ଶ୍ରୀ ରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ପ୍ରତିଷ୍ଠାତା କର୍ମଯୋଗୀ ସ୍ୱାମୀ ବୈରାଗ୍ୟାନନ୍ଦଙ୍କ ବିୟୋଗ
ଭୁବନେଶ୍ୱର, -: ଶ୍ରୀ ରାମକୃଷ୍ଣ ଆଶ୍ରମ, ମଦନପୁର, ରାମପୁରର ପ୍ରତିଷ୍ଠାତା କର୍ମଯୋଗୀ ବୈରାଗ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କର ୭୫ବର୍ଷ ବୟସରେ ଆଜି ପ୍ରାତଃ ୧.୫୫ ମିନିଟ୍ ସମୟରେ ଭୁବନେଶ୍ୱର ନିଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନଠାରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ଦିବ୍ୟଜୀବନ ସଂଘର ସାଧୁ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ସ୍ୱାମୀ ସତ୍ୟକାମାନନ୍ଦ ମହାରାଜ, ଆର୍ଯ୍ୟସମାଜ ପକ୍ଷରୁ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର, ଶ୍ରୀ ରାମକୃଷ୍ଣ ଆଶ୍ରମ ପରିଚାଳନା କମିଟି ସଦସ୍ୟ ପର୍ଶୁରାମ ଦ୍ୱୀବେଦୀ ପ୍ରମୁଖ ମରଶରୀରରେ ପୁଷ୍ପମାଲ୍ୟ ଦେବା ପରେ ପୂର୍ବାହ୍ନ ୮ ଘଟିକାରେ ସ୍ୱାମୀ ଭୀରେମାନନ୍ଦଙ୍କ ହେପାଜତରେ ମରଶରୀର ଶ୍ରୀ ରାମକୃଷ୍ଣ ଆଶ୍ରମ ମଦନପୁର, ରାମପୁର ଅଭିମୁଖେ ଯାତ୍ରା କରିଥିଲା । ଆଜି ସନ୍ଧ୍ୟାରେ ଆଶ୍ରମ ପରିସରରେ ସଂସ୍ଥାର କାର୍ଯ୍ୟ ବିଧିମତେ ସମ୍ପନ୍ନ ହୋଇଛି । ସ୍ୱାମୀଜୀଙ୍କ ବିୟୋଗ ଖବର ପାଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ବରିଷ୍ଠ ପ୍ରଶାସକ ଶ୍ରୀନିବାସ ରଥ, ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ନରେନ୍ଦ୍ର କୁମାର ମିଶ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଏକାମ୍ର ସତ୍ୟସେବା ଆଶ୍ରମର ସୁରେନ୍ଦ୍ର ନାଥ ମହାନ୍ତି, ବାବା ବାଳକାନନ୍ଦ ମହାରାଜ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଆନନ୍ଦ ବ୍ରହ୍ମଚାରୀ, ଯୋଗଗୁରୁ ନାରାୟଣ ନନ୍ଦ, କୁଳପତି ଡ଼ଃ ହରେକୃଷ୍ଣ ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଜଣେ କୃଷି ବିଶାରଦ ଓ ଦୀନଜନ ବନ୍ଧୁଙ୍କୁ ହରାଇଲା ବୋଲି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱାମୀଜୀଙ୍କ ଅନୁରୋଧରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୪ ମସିହାରେ ଆଶ୍ରମକୁ ଆସିଥିଲେ ।