ଅରୁଣିମାର ଦ୍ୱିତୀୟ ଦିନ: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ
କଳିଙ୍ଗନଗର: ଅରୁଣିମାର ଦ୍ୱିତୀୟ ଦିନ ଜଳ ସମ୍ପର୍କିତ ମାମଲା ଉପରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ । ଯାଜପୁର ଜିଲ୍ଲାରୁ ପ୍ରାୟ ୪୦୦ ଜଣ ଯୁବକ ଯୁବତୀ ବିଶେଷଜ୍ଞମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଅରୁଣିମା କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଟାଟା ଷ୍ଟିଲର ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରୁଛି,ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଅଂଚଳର ବିକାଶ ଯାତ୍ରାରେ ସେମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଜାତି ସଂଘ ପକ୍ଷରୁ ୨୦୧୮-୨୮କୁ ଜଳ ଦଶନ୍ଧି ରୂପେ ଘୋଷଣାରୁ ଅନୁପ୍ରେରିତ ହୋଇ ଏଥରର ଅରୁଣିମାରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ନିଜ ଚାଷ ଜମିକୁ ଜଳ ସେଚନ କରିବା ପାଇଁ ୧ କିଲୋମିଟର ଲମ୍ବା କ୍ୟାନେଲ ନିର୍ମାଣ କରିଥିବା କେନ୍ଦୁଝର ଜିଲ୍ଲା ବାଂଶପାଣି ବ୍ଲକ୍ ଅନ୍ତର୍ଗତ ବୈତରଣୀ ଗ୍ରାମର ୭୦ ବର୍ଷୀୟ ଶ୍ରୀ ଦୈତାରୀ ନାୟକ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଦର୍ଶକମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳର ଲୋକମାନେ ଏକତ୍ରିତ ହୋଇ ଜଳ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଏହି ପଦ୍ମଶ୍ରୀ ପୁରସ୍କାର ବିଜେତା ମତ ପ୍ରକାଶ କରିଥିଲେ । ଶ୍ରୀ ନାୟକ କହିଥିଲେ ଯେ, “ଲୋକମାନେ ବାର୍ହ୍ୟ ସାଧନ ଉପରେ ନିର୍ଭର ନ କରି ସବୁ କାର୍ଯ୍ୟ ନିଜ ହାତକୁ ନେଲେ ଏହାର ସମାଧାନ ବାହାରି ପାରିବ” । ନିତି ଆୟୋଗ ଅଟଳ ଅଭିନବ ମିଶନ୍ ସହଭାଗିତାରେ ଋଷିଆର ସୋଚିରେ ଗଭୀର ପ୍ରଯୁକ୍ତି ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଜଳ ବଂଟନ ମେସିନ୍ ନିର୍ମାଣ କରିଥିବା ଓଡ଼ିଶାର ବ୍ରହ୍ମପୁରର ଏକାଦଶ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କଳିଙ୍ଗନଗର ଏଡିଏମ୍ ଶ୍ରୀ ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମ ବିକାଶରୁ ଶ୍ରୀ ନରହରି ରାଉତ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ଦୀର୍ଘସ୍ଥାୟୀ ଜଳ ସଂରକ୍ଷଣ ପ୍ରଣାଳୀ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।ମହିଳା ଉଦ୍ୟୋଗୀ ଓ ଚାଷୀମାନଙ୍କ ସମାବେଶ ସହିତ ଆସନ୍ତାକାଲି ଉକ୍ତ କାର୍ଯ୍ୟକ୍ରମର ସମାପନ ହେବ ।