ଗୃହରୁ କଳା କନା ବୁଲାଇଲେ ଦୁର୍ବୁତ୍ତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ମଟରାଗାଡିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କବାଟ ତାଲା ଭାଙ୍ଗି ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଲୁଟ ହୋଇଛି । ଯାତ୍ରା ଚାଲିଥିବାବେଳେ ଏହାରି ସୁଯୋଗରେ ଲୁଟେରାମାନେ ରାମଚନ୍ଦ୍ର ସେଠୀଙ୍କ ଘରୁ ସୁନା ଗହଣା ସହିତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗାଁରେ ଯାତ୍ରା ଚାଲିଥିବାବେଳେ ଗତକାଲି ରାତିରେ ରାମଚନ୍ଦ୍ରଙ୍କ ପରିବାର ଲୋକେ ଯାତ୍ରା ଦେଖିବାପାଇଁ ଯାଇଥିଲେ । ଘରେ ତାଙ୍କର ବଡଭାଇ ରବିନ୍ଦ୍ର ରହିଥିଲା । ବିଳମ୍ବିତ ରାତିରେ ଲୁଟେରାମାନେ ତାଙ୍କ ଘରେ ପସି ରବିନ୍ଦ୍ର ରହୁଥିବା ରୁମର ବାହାରପଟୁ ତାଲା ପକାଇଦେଇ ଅନ୍ୟ ଘରର ତାଲା ଭାଙ୍ଗି ଘରେ ଗଡରେଜରେ ଥିବା ୩ହଳ କାନଫୁଲ, ମୋଟିଏ ନେକଲେସ, ୫ଟା ସୁନାମୁଦି, ଗୋଟିଏ ସୁନା ଚେନ, ୨ଟି ନାକଫୁଲ, ୨ହଳ ପାଉଁଜି, ୨୦ଟି ଶାଢ଼ି, ନଗଦ ୫୦୦୦ଟଙ୍କା ସମେତ ୯ହଳ ପ୍ୟାଣ୍ଟ ସାର୍ଟ କପଡା ଲୁଟି ନେଇଛନ୍ତି । ରବିନ୍ଦ୍ର ପରିଶ୍ରା କରିବାକୁ ଉଠିଲା ବେଳକୁ କବାଟ ବାହାରପଟୁ ବନ୍ଦ ଥିବା ଦେଖିବାପରେ ତୁରନ୍ତ ରାମଚନ୍ଦ୍ରଙ୍କୁ ଫୋନ କରି ଡାକିଥିଲେ । ସଙ୍ଗେ ସଙ୍ଗେ ରାମଚନ୍ଦ୍ର ପହଞ୍ଚି କବାଟ ଖୋଲିବା ପରେ ଭାଉଜଙ୍କ ଘରର କବାଟର ତାଲା ଭଙ୍ଗା ଯାଇଥିବା ଓ ଗଡରେଜ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ରାମଚନ୍ଦ୍ର ଆଜି ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ସୋସୋ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।