୧୬ ଦିନରେ ୭୦ କୋଟି ଆଦାୟ କଲାଣି ସେସୁ
ଭୁବନେଶ୍ୱର: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ସ୍ୱତନ୍ତ୍ର ଅଭିଯାନ ଜରିଆରେ ଖିଲାପା ଗ୍ରାହକଙ୍କ ନିକଟସ୍ଥ ପ୍ରାୟ ୭୦ କୋଟି ଟଙ୍କାର ବିଜୁଳି ବକେୟା ଆଦାୟ କରିଛି । ଏହାଛଡ଼ା ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଂଶସ୍ୱରୂପ କମ୍ପାନି ବିଲ୍ ଦାଖଲରେ ବିଫଳ ୨୦ ହଜାର ଖିଲାପ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ବିଜୁଳି ସଂଯୋଗ କାଟିଛି ।
ସେସୁ ପକ୍ଷରୁ ପ୍ରକାଶିତ ବିବୃତି ମୁତାବକ, ଖିଲାପୀ ଗ୍ରାହକଙ୍କଠାରୁ ବକେୟା ବିଜୁଳି ବିଲ ଆଦାୟ ପାଇଁ ଜାନୁଆରୀ ୧୬ ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଦେୟ ସଂଗ୍ରହ ଓ ବିଜୁଳି କାଟ ଅଭିଯାନ ସୋମବାର ଷୋଡ଼ଶ ଦିନରେ ପହଞ୍ଚିଛି । ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ଗ୍ରାହକ ୬୨ କୋଟି ୩୪ ଲକ୍ଷ ଟଙ୍କାର ବକେୟା ଦାଖଲ କରିଛନ୍ତି । ଏହାଛଡ଼ା ଅନଲାଇନରେ ଖିଲାପୀ ଗ୍ରାହକଙ୍କ ନିକଟରେ ଆଉ ୭ କୋଟି ୨୨ ଲକ୍ଷ ଟଙ୍କା ଅସୁଲ ହୋଇଛି । ଏହିଭଳି ଭାବେ ଗ୍ରାହକଙ୍କ ନିକଟରୁ ୬୯ କୋଟି ୫୬ ଲକ୍ଷ ଟଙ୍କାର ବକେୟା ବିଜୁଳି ବିଲକୁ ସଂଗ୍ରହ କରାଯାଇଛି । ପ୍ରକାଶ ଥାଉ କି, ଅଭିଯାନ ଅଧୀନରେ ସ୍ୱତନ୍ତ୍ର ବିଜୁଳି କାଟ ସ୍କ୍ୱାର୍ଡ କମ୍ପାନୀ ଦ୍ୱାରା ପରିଚାଳିତ ୨୦ଟି ଯାକ ଡିଭିଜନରେ ଖିଲାପୀ ବ୍ୟବସାୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ଦେୟ ପ୍ରଦାନ ପାଇଁ ପ୍ରବର୍ତ୍ତାଇଛନ୍ତି । ଏଥିରେ ବିଫଳ ଉପଭୋକ୍ତାଙ୍କ ବିଜୁଳି ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏଭଳି ୨୦,୫୬୬ ଜଣ ଖିଲାପୀ ଗ୍ରାହକଙ୍କ ବିଜୁଳି ସଂଯୋଗକୁ କାଟିଛନ୍ତି ସେସୁ କର୍ତ୍ତୃପକ୍ଷ । ଅନ୍ଧାରରେ ରହି ଚେତିବା ପରେ ସେମାନଙ୍କ ମଧ୍ୟରୁ ୧୦,୦୦୦ ଗ୍ରାହକ ବକେୟା ବିଲ୍ ଦାଖଲ କରି ପୁନଃ ସଂଯୋଗ ନେଇଛନ୍ତି ।
ବିବୃତି ମୁତାବକ ସେସୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗ୍ରାହକମାନଙ୍କ ନିକଟରୁ ୨ କୋଟି ୧୧ ଲକ୍ଷ ଟଙ୍କା ଅସୁଲ କରିଛି । ସେହିପରି ବିଲ୍ ପ୍ରଦାନରେ ବିଫଳ ହୋଇଥିବା ୫୨୦ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ବିଜୁଳି ସଂଯୋଗକୁ କାଟି ଦେଇଛନ୍ତି । ୨୦୧୯ ଡିସେମ୍ବରରେ ବିଜୁଳି କାଟ ଅଭିଯାନ ଘୋଷଣା ହେବା ସୁଦ୍ଧା ବିଭିନ୍ନ ବର୍ଗର ଗ୍ରାହକଙ୍କ ଉପରେ ସେସୁର ମୋଟ ୧,୯୭୧ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ଥିଲା । ଏମାନଙ୍କ ମଧ୍ୟରୁ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୨୬୦ କୋଟି ବାକି ଥିଲା ବେଳେ ଘରୋଇ ଗ୍ରାହକଙ୍କ ଉପରେ ୧,୨୦୦ କୋଟି ବାକି ପଡ଼ିଥିଲା । ପ୍ରଥମ ପର୍ଯ୍ୟାୟରେ ଖିଲାପୀ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଘରୋଇ ଗ୍ରାହକଙ୍କ ନିକଟରେ ସେସୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପହଞ୍ଚିବ ।