ଟିଣ ବୋଝେଇ ପିକ୍ଅପ ଧକ୍କାରେ ଶ୍ରମିକ ମୃତ୍ୟୁ

ବେଲଗୁଣ୍ଠା,(ଶିବରାମ ଚୈାଧୁରୀ)  : ଟିଣ ବୋଝେଇ ହୋଇ ଆସିଥିବା ପିକ୍ଅପରୁ ଟିଣ ଓହ୍ଲାଇବା ପାଇଁ ଆସିଥିବା ଜଣେ ଶ୍ରମିକ ସେହି ଗାଡି ଧକ୍କାରେ ମୃତ୍ୟୁବରଣ କରିବା ଭଳି ଏକ ଦୁଖଦ ଘଟଣା ଘଟିଛି ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରେ ।ଖବରରୁ ଜଣାପଡିଛି ଯେ,ବେଲଗୁଣ୍ଠା ୪ନଂ ୱାର୍ଡର ରଙ୍ଗଣିପାଟଣାର ବୁଲୁ ଜେନା(୪୨),ନୁଆ କୋକଲୁଣ୍ଡା ଓ ରାଜନପଲ୍ଲୀ ମଧ୍ୟରେ ଚାଲିଥିବା ଅଳିଆ ପ୍ରୋସେସିଂ ପ୍ଲାଣ୍ଟ ରେ ଦିନ ମଜୁରିଆ ଭାବେ କାମ କରିଆସୁଥିଲେ ।ସଂଧ୍ୟା ୫.୩୦ମି ସମୟରେ ପାଇଁ ପିକ୍ଅପ ଭ୍ୟାନ୍ ରେ କିଛି ଟିଣ ଆସିଥିଲା ।ବୁଲୁଙ୍କ ସମେତ ତିନି ଜଣ ଶ୍ରମିକ ଟିଣ ଓହ୍ଲାଇବା ପାଇଁ ଗାଡି ନିକଟକୁ ଆସିଥିଲେ ।ଟିଣ ଓହ୍ଲାଇବାରେ ଅସୁବିଧା ହେବାରୁ ଗାଡିଟି ବୁଲାଇ ଏକ ଖାଲ ଅଞ୍ଚଳକୁ ଗାଡି ପଛୁଆ ନେଉଥିବା ବେଳେ ଗାଡିରେ ଲୋଡ୍ ହୋଇଥିବା ଟିଣ ବୁଲୁଙ୍କ ପେଟରେ ବାଜିଥିଲା ଏବଂ ବୁଲୁ ଗୁରୁତର ଆହତ ହୋଇଥିଲେ ।ଆହତ ବୁଲୁ ଙ୍କୁ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଉଦ୍ଧାର କରି ବେଲଗୁଣ୍ଠା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଶବ ଜବତ କରି ଭଞ୍ଜନଗର ବ୍ୟବଛେଦ ପାଇଁ ପଠାଇଥିଲେ ।ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ।ବେଲଗୁଣ୍ଠା ପୋଲିସ ପିକ୍ଅପ ଭ୍ୟାନକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି ।ପ୍ରକାଶ ଥାଉ କି, ବୁଲୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।ତାଙ୍କର ୧୦ବର୍ଷ ଓ ୫ ବର୍ଷର ଦୁଇଟି ଝିଅ ଅଛନ୍ତି ।ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସହାୟତା ପାଇଁ ଜନସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ