ସୀମାନ୍ତରେ ମାଓବାଦୀଙ୍କ ଗୁପ୍ତ ବଙ୍କର ଠାବ, ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓ ଦମନ ଅଭିଯାନ ସମୟରେ ପୋଲିସ ଦ୍ଵାରା ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ପିଡିଆ ପୋଲିସ ଓ ଗଙ୍ଗାଲୁର ଥାନା ପୋଲିସର ଦଳ ଦ୍ଵାରା ଏକ ମିଳିତ ମାଓ ଦମନ ଅଭିଯାନ ଡୋଡିତୁମନାର ଜଙ୍ଗଲରେ ଜାରି ରହିଥିଲା। ଏହି ସମୟରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଏକ ବଙ୍କରକୁ ଠାବ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଉପକରଣକୁ ପୋଲିସ ଦ୍ଵାରା ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ବିଜିଏଲ୍ ଲଞ୍ଚର, ୨୯ଟି ବିଜିଏଲ୍ ସେଲ୍, ପ୍ରାୟ ୫୦ ମିଟର କର୍ଡେକ୍ସ ୱାୟାର ସହ ବହୁ ବିସ୍ଫୋରକ ସାମଗ୍ରୀ ରହିଛି। ଏହାସହ ମାଓବାଦୀଙ୍କ ବ୍ୟବହୃତ ଜେନେରେଟର, ସୋଲାର ପ୍ଲେଟ, ବ୍ୟାଟେରୀ, ୱେଲ୍ଡିଂ ମେସିନ ଓ ଲେଥ ମେସିନ ଭଳି ଅନେକ ଉପକରଣ ମଧ୍ୟ ଜବତ କରାଯାଇଛି। ତେବେ ଏହାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ତାକୁ ବଢ଼ାଇ ଦିଆଯାଇଥିବା ବେଳେ ଆଖପାଖ ଜଙ୍ଗଲରେ ମଧ୍ୟ ସୁରକ୍ଷାବଳଙ୍କ ପକ୍ଷରୁ ଘନଘନ ସର୍ଚ୍ଚ ଅଭିଯାନ ଜାରି ରହିଛି।


