ସାଇନାଥ ମନ୍ଦିରରୁ ଲୁଟ୍ ଘଟଣା: ସନ୍ଧାନୀ କୁକୁର ସହାୟତାରେ ତନାଘନା

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳି ଥାନା ପୋଚିଲିମା ସାଇନାଥ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଲୁଟେରା ଗୋଷ୍ଠୀ ମନ୍ଦିରରୁ ସିସିଟିଭି କ୍ୟାମେରା ତାର କାଟି ସୁନା, ରୂପା ଅଳଙ୍କାର ସମେତ ୨ଟି ହୁଣ୍ଡି ଭାଙ୍ଗି ଲୁଟି ନେଇ ଯାଇଥିଲେ।‌ ସଂପୃକ୍ତ ଲୁଟ୍ ଘଟଣାରେ ସୋମବାର ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାର ତନାଘନା କରିଛି। ତେବେ ଲୁଟ୍ ଘଟଣାରେ ଲୁଟେରା ଗୋଷ୍ଠୀଙ୍କ ସଠିକ୍ ତଥ୍ୟ ପୁଲିସ ପାଖରେ ପହଞ୍ଚି ପାରିନାହିଁ। ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ସମ୍ମୁଖ ଭାଗରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ତାର କାଟି ମନ୍ଦିର ଦ୍ବାର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ୨ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ୩ଟି ରୁପା ମୁକୁଟ, ପ୍ରାୟ ୨ ଭରି ଓଜନର ସୁନା ଛାଉଣୀର ହାର, ରୁପା ଥାଳିଆ, ଲୋଟା ସମେତ ମନ୍ଦିର ଭିତରେ ଥିବା ୨ଟି ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ରବିବାର ଭୋର ସମୟରେ ମନ୍ଦିର ପୂଜାରୀ ମନ୍ଦିରରେ ପହଞ୍ଚି ତାଲା ଭଙ୍ଗାଯାଇଥିବା ଏବଂ ମନ୍ଦିର ଭିତରେ ଥିବା ସାଇନାଥ, ଗଣେଶ ଓ ତ୍ରୀଦେବଙ୍କ ରୁପା ମୁକୁଟ, ସାଇନାଥଙ୍କ ବେକରୁ ସୁନା ଛାଉଣୀର ହାର, ୨ଟି ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଚୋରୀ ଘଟଣା ସମ୍ପର୍କରେ ମନ୍ଦିର ପୂଜାରୀ, ମନ୍ଦିର ଟ୍ରଷ୍ଟ ସଭାପତିଙ୍କୁ ଅବଗତ କରିଥିଲେ। ଏ ନେଇ ମନ୍ଦିର ଟ୍ରଷ୍ଟ ସଭାପତି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମନ୍ଦିର ଟ୍ରଷ୍ଟ ସଭାପତି ପବିତ୍ର ମୋହନ ପାଣିଗ୍ରାହୀ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୩୧୧/୨୬ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ରାତ୍ରକାଳୀନ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି ହେଉନଥିବାରୁ ଲୁଟେରା ଗୋଷ୍ଠୀ ପୁଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଗୋଟିଏ ପଟରେ ଗୋଟିଏ ଲୁଟ୍ କରି ପୁଲିସ ଆଖିରେ ଧୂଳି ଛାଟି ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି। ଗତ ପ୍ରାୟ ୩ ମାସ ପୂର୍ବେ ହିଞ୍ଜିଳି ଥାନା ଇଲାକାର ୫ଟି ପୃଥକ ମନ୍ଦିରରୁ ଲୁଟ୍ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଶନିବାର ବିଳମ୍ବିତ ରାତିରେ ପୋଚିଲିମା ସାଇନାଥ ମନ୍ଦିରରୁ ବଡ ଧରଣର ଲୁଟ୍ ଘଟଣା ପୁଲିସ ପ୍ରଶାସନର ନିଦ ହଜାଇ ଦେଇଛି। ସ୍ଥାନୀୟ ଅଞ୍ଚଳରେ ଲଗାତାର ଲୁଟ୍ ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରାତ୍ରୀକାଳୀନ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାର ତଦନ୍ତ ଚାଲିଛି। ଯଥାଶୀଘ୍ର ଲୁଟେରା ଗୋଷ୍ଠୀଙ୍କୁ କାବୁ କରି କୋର୍ଟ ଚାଲାଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ