କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀ ୫୬୦ ବୁଥ୍କୁ ଗଲେ ୩ ହଜାର ୩୬୦ ପୋଲିଂ ଅଧିକାରୀ
ପୁରୀ (ଯୁଗାବ୍ଦ ନ୍ୟୁଜ୍): ୨୯ ତାରିଖରେ ପୁରୀ ଜିଲ୍ଲାର ଦୁଇ ନିର୍ବାଚନମଣ୍ଡଳୀ ନିମାପଡ଼ା ଓ କାକଟପୁର ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଜଗତସିଂହପୁର ଲୋକସଭା ମଣ୍ଡଳୀ ଅଧିନରେ ଥିବା କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଶନିବାର ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରୁ ପୋଲିଂ ଅଧିକାରୀମାନେ ନିଜ ନିଜ ବୁଥ୍କୁ ଯାଇଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନରେ ବ୍ୟବହୃତ ଆବଶ୍ୟକ ସାମଗ୍ରୀ ତଥା ଇଭିଏମ୍ ଓ ଭିଭିପ୍ୟାଟ୍, କାଳି ସମେତ ଅନ୍ୟାନ୍ୟା ଜିନିଷକୁ ସାଙ୍ଗରେ ନେଇ ପୋଲିଂ ଅଧିକାରୀମାନେ କଡ଼ା ସୁରକ୍ଷା ବଳୟରେ ବୁଥ୍ ଅଭିମୁଖେ ଗସ୍ତ କରିଛନ୍ତି । ଦୁଇ ନିର୍ବାଚନମଣ୍ଡଳୀରେ ମୋଟ୍ ୫୬୦ଟି ବୁଥ୍ ରହିଥିଲା ବେଳେ ପ୍ରତ୍ୟେକ ବୁଥ୍ ପାଇଁ ୬ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମୋଟ୍ ଭାବରେ ୩ ହଜାର ୩୬୦ ପୋଲିଂ ଅଧିକାରୀ ନିର୍ବାଚନରେ ସାମିଲ ହୋଇଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡିରେ ଏବଂ କଡା ସୁରକ୍ଷା ବଳୟରେ ନିଆଯାଇଛି । ଅନ୍ୟପକ୍ଷରେ କାକଟପୁର ନିର୍ବାଚନମଣ୍ଡଳୀରେ ୨୮୦ ବୁଥ୍ ମଧ୍ୟରୁ ୩୧ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୩୩ଟି ବୁଥ୍କୁ ମଡେଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ତତ୍ ସହିତ ୩୧ଟି ଉତ୍ତେଜନାପ୍ରବଣ ବୁଥ୍ ଉପରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ନିମାପଡା ନିର୍ବାଚନମଣ୍ଡଳୀରେ ଥିବା ୨୮୦ ବୁଥ୍ ମଧ୍ୟରୁ ୧୯ଟି ବୁଥ୍ ଉତ୍ତେଜନାପ୍ରବଣ ବୁଥ୍ ବୋଲି ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା ବେଳେ ୪୪ଟି ମଡେଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ତେଣୁ ଏହି ଉତ୍ତେଜନାପ୍ରବଣ ବୁଥ୍ମାନଙ୍କରେ ଅଧିକ ସଂଖ୍ୟାରେ ପୁଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ସେହିପରି ଦୁଇ ନିର୍ବାଚନମଣ୍ଡଳୀ ପାଇଁ ୨ଜଣ ଅତିରିକ୍ତ ଏସ୍ପିଙ୍କୁ ନେତୃତ୍ୱରେ ଡିଏସ୍ପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ୩୮ଟି ମୋବାଇଲ ସ୍କ୍ୱାଡ ମୁତୟନ କରାଯାଇଛି । ସେହିପରି ଆବଶ୍ୟକ ସ୍ଥଳରେ ଯବାନମାନଙ୍କୁ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି । ତେବେ ଆସନ୍ତା ୨୯ ତାରିଖ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ କରାଯାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ତାଙ୍କର ମତଦାନ କରିବାର ବ୍ୟବସ୍ଥା କରାଯାଇଛି । ବିଶେଷକରି ସମସ୍ତ ବୁଥ୍ରେ ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଦିବ୍ୟାଙ୍ଗ୍ ଭୋଟର ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।


