ଦୁବାଇରେ ଅଟକ ଓଡ଼ିଆ ମହିଳାଙ୍କ ଉଦ୍ଧାର ମାମଲା:ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ(ଓ୍ବାଇଏନଏସ): ଦୁବାଇରେ ବେଆଇନ ଭାବେ ବନ୍ଦୀ ଅବସ୍ଥାରେ ଏକ ଭିଲ୍ଲାରେ ରଖାଯାଇଥିବା ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳର ଜଣେ ମହିଳାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପୀଡ଼ିତ ମହିଳାଙ୍କୁ ଉଦ୍ଧାର ପାଇଁ ଟିଟିଲାଗଡ଼ ଅଞ୍ଚଳର ଜଣେ ସାମାଜିକ କର୍ମୀ ରଞ୍ଜୁ ରାଇମନ ଦାୟର କରିଥିବା ହେବିିୟସ କର୍ପସ ପିଟିସନର ହାଇକୋର୍ଟରେ ଶୁଣାଣି ସମୟରେ ଓଡ଼ିଶାର ଜଣେ ନାଗିରିକ ବିଦେଶରେ ବେଆଇନ ଭାବେ ଅଟକ ରହିଥିବା ଦର୍ଶାଯାଇଥିଲା। ଏହି ପ୍ରସଂଗରେ କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ବଳିଷ୍ଠ ନଥିପତ୍ରର ଅନୁପସ୍ଥିତିରେ ଫଳପ୍ରଦ ପଦକ୍ଷେପ ଗ୍ରହଣ ସୁନିଶ୍ଚିତ କରାଯାଇ ପାରୁ ନାହିଁ। ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ପାସପୋର୍ଟ ସମେତ ପୀଡ଼ିତାଙ୍କ ସବିଶେଷ ତଥ୍ୟ ପ୍ରଦାନ କରାଯିବା ଆବଶ୍ୟକ। ବଲାଙ୍ଗୀର ଡିଏସପି ପୀଡ଼ିତାଙ୍କ ପାସପୋର୍ଟର ଫଟୋକପି ପାଇଥିବା ନେଇ ତାଙ୍କ ଅଭିଭାବକଙ୍କୁ କହିଥିଲେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଡିଏସପିଙ୍କ ନିକଟରେ ଥିବା ଏ ସଂପର୍କିତ ସମସ୍ତ ନଥିପତ୍ର ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ (ଡିଏସଜିଆଇ)ଙ୍କ ନିକଟକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ନଥିପତ୍ର ହସ୍ତଗତ ହେବା ପରେ ପୀଡ଼ିତାଙ୍କୁ ସ୍ବଦେଶକୁ ଫେରାଇ ଆଣିବାକୁ ଡିଏସଜିଆଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମେ ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ ତିନୋଟି ସନ୍ତାନର ଜନନୀ ପୀଡ଼ିତାଙ୍କୁ ତାଙ୍କ ସ୍ବାମୀ ମୁମ୍ବାଇରେ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ରହିଛି। ସଂପୃକ୍ତ ମହିଳା ପୀଡ଼ିତାଙ୍କୁ ଦୁବାଇ ନେଇ ଯାଇ ସେଠାରେ ଜଣେ ସେଖ୍ଙ୍କୁ ବିକ୍ରି କରି ଦେଇଥିଲେ। ଏହପରେ ଦୁବାଇର ଏକ ଭିଲ୍ଲାରେ ମହିଳାଙ୍କୁ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ଅଟକ ରଖାଯାଇଛି। ପୀଡ଼ିତାଙ୍କ ଠାରୁ ତାଙ୍କ ପାସପୋର୍ଟ ଓ ଭିସା ଛଡ଼ାଇ ନିଆଯାଇଛି। ନିକଟରେ ପୀଡ଼ିତା ସ୍ଥାନୀୟ ଲେକଙ୍କ ସହାୟତାରେ ଏକ ଭିଡିଓ କ୍ଲିପ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରାଇ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏହି ଭିଡିଓରେ ବୁର୍ଜ ଖଲିଫା କୋଠା ମଧ୍ୟ ଦୃଶ୍ୟମାନ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ବାପା ଟିଟିଲାଗଡ଼ ଥାନାରେ ଏତଲା ଦେବା ସହିତ ପୀଡ଼ିତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏତଲା ପଞ୍ଜୀକରଣ ହୋଇ ନଥିଲା। ଏହାପରେ ପୀଡ଼ିତାଙ୍କ ପରିବାର ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅନ୍ୟପକ୍ଷରେ ପୀଡ଼ିତାଙ୍କ ତିନି ପିଲା ଅଜାଙ୍କ ପାଖରେ ରହି ମା’କୁ ଅପେକ୍ଷା କରି ରହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।


