ଗ୍ରୀଷ୍ମ ଉତ୍ସବର ମଜା ଉଠାଇଲେ କବ୍ ବୁଲ୍ବୁଲ୍
ରାଜ୍ୟ ସ୍କାଉଟ ଗାଇଡ୍ ମୁଖ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳୀନ ଉତ୍ସବର ଆଜି ଦିନଟି ଥିଲା କବ୍ ବୁଲ୍ବୁଲ୍ମାନଙ୍କ ପାଇଁ ଏକ ଆମୋଦର ଦିନ । ସକାଳୁ ସକାଳୁ ପିଲାମାନେ ଶାରୀରିକ କଳା କୌଶଳ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପରେ ତାରାଗଳ୍ପ ଏବଂ ଜଙ୍ଗଲୀ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦିନ ୧୨ଟା ବେଳକୁ ଆରମ୍ଭ ହୋଇଥିଲା ରେନ୍ ଡ୍ୟାନ୍ସ । ଗୀତର ଲହରୀ ଏବଂ ନୃତ୍ୟର ତାଳେ ସାୱାର ବାଥ୍ର ମଜା ନେଇଥିଲେ କବ୍ ବୁଲ୍ବୁଲ୍ । ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଆଗରେ ଉତ୍ତାପ ଯେପରି ହାର୍ ମାନିଥିଲା । ହର୍ଷୋଲ୍ଲାସ ଭିତରେ ଗ୍ରୀଷ୍ମର ତାପକୁ ଭୁଲିଯାଇଥିଲେ ସମସ୍ତେ । ଖାଦ୍ୟ ଖାଇବା ପରେ ଅପରାହ୍ନ ସ୍ଲାଇଡିଙ୍ଗ୍ (ଖସଡା) ଖେଳ ଏବଂ ଡିଆଁ ଖେଳରେ କବ୍ ବୁଲ୍ବୁଲ୍ ଅତି ଉଲ୍ଲାସର ସହିତ ଭାଗ ନେଇ ସମସ୍ତ କଷଣକୁ ଭୁଲିଯାଇଥିଲେ । ପରେ ପରେ ଆରମ୍ଭ ହୋଇଥିଲା ମୀନା ବଜାର । ପାରମ୍ପରିକ ବ୍ୟବସାୟୀକ ପୋଷାକ ପରିଧାନ କରି କବ୍ ବୁଲ୍ବୁଲ୍ମାନେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ କରୁଥିବାର ଦୃଶ୍ୟ ଏକ କ୍ଷୁଦ୍ର ବଜାରର ଭ୍ରମ ସୃଷ୍ଟି କରିଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ର ବୁଲି ବୁଲି ପିଲାମାନଙ୍କର ଏହି ଆନନ୍ଦ ଉପଭୋଗ କରୁଥିବା ଦୃଶ୍ୟରେ ସ୍ମିତହାସ୍ୟ ସହ ଗ୍ରୀଷ୍ମ କାଳୀନ ଉତ୍ସବର ସଫଳତା ଅନୁଭବ କରୁଥିଲେ । ସନ୍ଧ୍ୟା ସମୟରେ କବ୍ ବୁଲ୍ବୁଲ୍ମାନଙ୍କର ପାରମ୍ପରିକ ଉତ୍ସବ ଲାଲ୍ଫୁଲ ଏବଂ କଳରବରେ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅଧିକ ଆମୋଦ ପ୍ରମୋଦ ପ୍ରଦାନ କରିଥିଲା ।