ଡ୍ରେନ ନିର୍ମାଣକୁ ଭୁଲିଗଲା ପୂର୍ତ୍ତ ବିଭାଗ, ଆଣ୍ଠୁଏ ପାଣିରେ ଘଟୁଛି ଦୁର୍ଘଟଣା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଟି ଏକ ବ୍ୟବସାୟିକ ପେଣ୍ଠ ସ୍ଥଳି ଭାବେ ଜଣାଶୁଣା। ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ବ୍ୟବସାୟ ନିମନ୍ତେ ଆସୁଥିବା ବେଳେ ବର୍ତମାନ ସମୟରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଯାତାୟାତ କ୍ଷେତ୍ରରେ ନାନା ଅସୁବିଧା ଉପୁଜୁଥିବା ବେଳେ ବଉଳା ଓ ହଦଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ଘଟୁଛି। ଆନନ୍ଦପୁର -ଭଦ୍ରକ ରାସ୍ତା ନିର୍ମାଣ ସମୟରେ ଡ୍ରେନ ନିର୍ମାଣ ନହେବାରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। କିଛି ବ୍ୟବସାୟୀ ଦୋକାନର ସମ୍ମୁଖ ଭାଗକୁ ପୋତି ଦେଇଥିବାରୁ ବର୍ଷା ଜଳ ରାସ୍ତା ଉପରେ ଲହଡି ଖେଳୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ସରକାରୀ ଜମି ଥିଲେ ତାହାକୁ ଜବର ଦଖଲ କରିନେଇ ଡ୍ରେନେଜ ବ୍ୟବସ୍ଥା କୁ ବନ୍ଦ କରିଦେବା ସହ କଂକ୍ରିଟ ରାସ୍ତା ଉପରେ ମୋରମ ପକାଇ ଅବରୋଧ କରିଦେଇ ଥିବାରୁ ଏବେ ରାସ୍ତାଟି ସଂକୁଚିତ ହୋଇ ପଡିଛି। ଯାହାଦ୍ୱାରା ଯାତାୟାତ କ୍ଷେତ୍ରରେ ଅସୁବିଧା ହେଉଛି। ସେହିପରି ଛେନାପଦି ଛକରୁ ବଉଳା, ହଦଗଡ଼କୁ ସଂଯୋଗ କରୁଥିବା ରାସ୍ତାର ସଂଯୋଗୀ ସ୍ଥଳକୁ ନିର୍ମାଣ କରାଯାଉ ନଥିବାରୁ ସାମାନ୍ୟ ବର୍ଷା ହେଲେ ଏଠାରେ ଦୁଇ ରୁ ତିନି ଫୁଟ ଉଚ୍ଚାର ପାଣି ଜମି ରହୁଛି। ରାସ୍ତାର କଂକ୍ରିଟ ଉଠିଯାଇ ଖାଲ ସୃଷ୍ଟି ହୋଇ ଥିବାରୁ ନିୟମିତ ଦୁର୍ଘଟଣା ଘଟି ଅନେକ ବାଇକ ଆରୋହୀ ଆହତ ହେଉଥିବା ବେଳେ ଅନେକ ସମୟରେ ଅଟୋ ଏବଂ ଟ୍ରାକ୍ଟର ଓଲଟି କ୍ଷୟ କ୍ଷତି ଘଟୁଛି। ବାରମ୍ବାର ଏନେଇ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଉ ଥିଲେ ବି ପୂର୍ତ୍ତ ବିଭାଗ ଗୁରୁତ୍ୱ ଦେଉନି। ଏନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତି କରାଯାଇଛି। ଯଦି ଶାସଙ୍ଗ ଛକ ପଟୁ ପେଟ୍ରୋଲପମ୍ପ କେନାଲ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯାଆନ୍ତା ତେବେ ଏପରି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।


