ଅସ୍ତରଙ୍ଗରେ ନିର୍ମାଣ ହେବ ଫ୍ଲାଏଓଭର

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଆଉ ଅପେକ୍ଷା ନୁହେଁ ଅସ୍ତରଙ୍ଗର ଦିନ ଆସିଗଲା ମୁଖ୍ୟ ବଜାରର ବ୍ୟବସାୟୀଙ୍କ ମୁହଁରେ ଆଜି ଏହି କଥା । କାରଣ ଉପକୂଳ ରାଜପଥ ଏନଏଚ–୩୧୬ ଏ ଉପରେ ଅସ୍ତରଙ୍ଗ ଆଉ ଗୋଟିଏ ଛକ ରହିବ ନାହିଁ। ଏହା ପାଲଟିବ ଓଡିଶା ଉପକୂଳର ସବୁଠୁ ବଡ ସଂଯୋଗସ୍ଥଳ। ବଡ଼ପୋଖରିଆ–ମସାକଣି ଉପକୂଳ ରାଜପଥ ପ୍ୟାକେଜ୍–୨ ର ଚେନେଜ୍ ୯.୦ କି.ମି. ଠାରେ, ଅର୍ଥାତ୍ ଅସ୍ତରଙ୍ଗ ମୁଖ୍ୟ ବଜାର ଠିକ୍ ପାଖରେ। ଏଠାରେ ଉପକୂଳ ରାଜପଥ ନିମାପଡ଼ା–କାକଟପୁର–ଅସ୍ତରଙ୍ଗ ଏମଡିଆର କୁ କ୍ରସ୍ କରୁଛି। ଦିନକୁ ହଜାର ହଜାର ଗାଡି, ଟ୍ରକ୍, ବାଇକ୍ ଓ ଭକ୍ତଙ୍କ ଗହଳିରେ ଏହି ଛକ ଏକ ମୃତ୍ୟୁକୂପ ପାଲଟିଥିଲା। ସରକାର ଏଠାରେ ଏକ ଅତ୍ୟାଧୁନିକ ଫ୍ଲାଏଓଭର ସହ ଉଭୟ ପାର୍ଶ୍ୱରେ ସର୍ଭିସ ରୋଡ୍ ନିର୍ମାଣ କରିବେ। ଲକ୍ଷ୍ୟ ଗୋଟିଏ ସୁରକ୍ଷିତ, ଦ୍ରୁତ ଓ ନିରବଚ୍ଛିନ୍ନ ଯାତାୟାତ। ପ୍ରଥମ ପର୍ଯ୍ୟାୟରେ ୨-ଲେନ୍ ପେଭ୍ଡ୍ ଶୋଲ୍ଡର। କିନ୍ତୁ ଯୋଜନା ବଡ। ଭବିଷ୍ୟତରେ ଚାହିଦା ବଢିଲେ ସିଧା ୪-ଲେନ୍ କୁ ଅପଗ୍ରେଡ୍ ହେବ। ମାନେ ଅସ୍ତରଙ୍ଗକୁ ଦେଖି ସରକାର ଆଗୁଆ ହିଁ ରାସ୍ତା ପ୍ରସ୍ତୁତ କରୁଛନ୍ତି। ବଡ଼ପୋଖରିଆ, ପୁରୀ, ପାରାଦ୍ୱୀପ ରୁ ଆସୁଥିବା ଗାଡି ସିଧା ଏକ୍ଜିଟ୍ ନେଇ ଅସ୍ତରଙ୍ଗ ବଜାର, ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର, ଜାହାନିଆ ପୀର ପୀଠ, ନୂଆଗଡ଼ ଫିସିଂ ୟାର୍ଡ, ଅସ୍ତରଙ୍ଗ ବେଳାଭୂମି ଯିବେ। ଆଉ ଫେରିବା ବେଳେ ଅସ୍ତରଙ୍ଗ, ନୂଆ ହାଟ, ଚାରିଛକରୁ ସିଧା ଉପକୂଳ ରାଜପଥରେ ଏଣ୍ଟ୍ରି ନେଇ ପୁରୀ-ପାରାଦ୍ୱୀପ ଦୌଡିବେ। ସମୟ ବଞ୍ଚିବ, ଇନ୍ଧନ ବଞ୍ଚିବ। ଏହା କେବଳ ରାସ୍ତା ନୁହେଁ, ଏହା ଗୋଟିଏ ଇକୋନମିକ୍ କରିଡର। ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ଚାଲୁ ହେଲେ କୋଟି କୋଟି ଟଙ୍କାର ମାଲ୍ ଏଇଠୁ ଯିବା ଆସିବା କରିବ। ନୂଆଗଡ଼ର ମାଛ, ଅସ୍ତରଙ୍ଗ ବେଳାଭୂମିର ପର୍ଯ୍ୟଟନ, ମା’ ମଙ୍ଗଳାଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସମସ୍ତଙ୍କ ପାଇଁ ସିଧା ରାସ୍ତା।ଦୁର୍ଘଟଣା କମିବ, ଜାମ୍ ହଟିବ, ବ୍ୟବସାୟ ବଢିବ। ମୁଖ୍ୟମହାପ୍ରଭୁ ଆମ ହୃଦୟର ରଥ ଟାଣୁଛନ୍ତି। ତାଙ୍କ ଦର୍ଶନରେ ସବୁ ଦୁଃଖ ଦୂର ହେଉ। ଜୟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ଜୟ ଜଗନ୍ନାଥ ବଜାରର ଦୋକାନୀ ରମେଶ କହିଥିଲେ , ଦଶହରା ପୂଜା ସମୟରେ ୨ ଘଣ୍ଟା ଜାମ୍ ରେ ଛିଡା ହେଉଥିଲୁ। ଏବେ ଆଶା ଅଛି ଗ୍ରାହକ ସିଧା ଆମ ପାଖକୁ ଆସିବେ। ଜଣେ ବରିଷ୍ଠ ନାଗରିକ କହିଥିଲେ ୨୮ ବର୍ଷ ପରେ ଅସ୍ତରଙ୍ଗରେ ରଥ ଗଡିଲା। ଏବେ ଫ୍ଲାଏଓଭର ଆସୁଛି। ଲାଗୁଛି ଆମ ଭାଗ୍ୟ ବଦଳୁଛି। ଏହି ଜଙ୍କସନ୍ କେବଳ କଂକ୍ରିଟ୍ ନୁହେଁ। ଏହା ଅସ୍ତରଙ୍ଗର ପରିଚୟ ବଦଳାଇବ। ପର୍ଯ୍ୟଟନ, ମତ୍ସ୍ୟ ଶିଳ୍ପ, ବନ୍ଦର ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ। ଉପକୂଳ ଓଡିଶାର ବିକାଶ ଚିତ୍ରରେ ଅସ୍ତରଙ୍ଗ ଏବେ ମୁଖ୍ୟ ସ୍ରୋତ ପାଲଟିବ।ସଂକ୍ଷେପରେ କହିଲେ ଗୋଟିଏ ଫ୍ଲାଏଓଭର, ଅସ୍ତରଙ୍ଗର ହଜାରେ ସ୍ୱପ୍ନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ