ଟିଏମ୍ସିର ୪ଠ ବିଧାୟକ ଯୋଗାଯୋଗରେ ଅଛନ୍ତି ବିଜେପି ଘୋଡାବେପାର କରୁଛି: ତୃଣମୂଳ କଂଗ୍ରେସ
ନୂଆଦିଲ୍ଲୀ(ଏଜେନ୍ସି): ପ୍ରଥମଥର ପାଇଁ ପଶ୍ଚିମବଙ୍ଗ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ବିଦ୍ରୋହ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସିଧାସଳଖ ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଟିଏମ୍ସିର ୪ଠଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଅପରପକ୍ଷେ ଟିଏମ୍ସି ମୋଦିଙ୍କ ଏପ୍ରକାର ଦୃଢ଼ୋକ୍ତିକୁ ଖଣ୍ଡନ କରିବା ସହ ବିଜେପି ଘୋଡାବେପାର କରୁଥିବା ଅଭିଯୋଗ କରିଛି ।
ସୋମବାର ଶ୍ରୀରାମପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ମୋଦି କହିଛନ୍ତି, ବିଜେପି ଏଠାରେ ଜିତିଲେ ମମତାଙ୍କ ବିଧାୟକମାନେ ଦଳ ଛାଡ଼ି ତାଙ୍କ ପାଖକୁ ଚାଲି ଆସିବେ । ତୃଣମୂଳ କଂଗ୍ରେସର ୪ଠ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦିଦି ପୁଲିସ୍ ବାହିନୀକୁ ନିଜର ବ୍ୟକ୍ତିଗତ ସୁରକ୍ଷା ଏଜେନ୍ସି ଭଳି ବ୍ୟବହାର କରୁଛନ୍ତି । ନିର୍ବାଚନ ସମୟରେ ଟିଏମ୍ସିର ଗୁଣ୍ଡାମାନେ ବୁଥ ରିଗିଂ କରୁଥିବା ବେଳେ ଲୋକଙ୍କୁ ମତାଧିକାର ସାବ୍ୟସ୍ତରେ ବାଧା ସୃଷ୍ଟି କରୁଛନ୍ତି । ଏଥିସହ ଟିଏମ୍୍ସିର ଗୁଣ୍ଡା ବାହିନୀ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି । ସେମାନେ ବିଜେପି ନେତାମାନେ କେମିତି ପ୍ରଚାର ନ କରିପାରିବେ ସେନେଇ ବ୍ୟବସ୍ଥା କରୁଛନ୍ତି ।
ଏହି ଅବସରରେ ମମତା ତାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ‘ଏମିତି ରସଗୋଲା ଦେବି ଯେ, ଦାନ୍ତ ଭାଙ୍ଗିଯିବ’ ଉପରେ ପ୍ରତିକ୍ରିୟା ଦେଇ ମୋଦି କହିଛନ୍ତି ଯେ, ପିଏମ ଯେଉଁ ରାଜ୍ୟର ମାଟି ବଡ଼ ବଡ଼ ମହାପୁରୁଷଙ୍କୁ ଜନ୍ମ ଦେଲା, ସେଠାରୁ କଙ୍କଡ ବିଶିଷ୍ଟ ରସଗୋଲା ତାଙ୍କ ପାଇଁ ପ୍ରସାଦ ସମାନ । ମୋଦି କହିଛନ୍ତି ଯେ ପୂରା ଦେଶ ଏଥର କହୁଛନ୍ତି ଯେ, ପଶ୍ଚିମବଙ୍ଗରେ ନୂତନ ଭାରତର ନିର୍ମାଣ ପାଇଁ ଐତିହାସିକ ଜନାଦେଶ ଦିଆଯାଉଛି । ପ୍ରତ୍ୟେକ ପର୍ଯ୍ୟାୟରେ ଜନତା ଭରପୂର ମତଦାନ କରୁଛନ୍ତି । ଏହାକୁ ଦେଖି ମହା ଅପମିଶ୍ରଣକାରୀଙ୍କ ହୃଦ୍କମ୍ପନ ବଢି ଯାଉଛି । ସେମାନେ ଚିନ୍ତିତ ହୋଇ ପଡୁଛନ୍ତି । ଯେଉଁମାନେ ପ୍ରଥମେ ମୋଦିଙ୍କୁ ଗାଳି ଦେଉଥିଲେ, ଏବେ ଧିରେ ଧିରେ ଇଭିଏମ୍କୁ ଗାଳି ଦେବା ଆରମ୍ଭ କରି ଦେଇଛନ୍ତି ।


