ଓଡିଶା ବିପର୍ଯ୍ୟୟକୁ ଅବିଳମ୍ବେ ‘ଜାତୀୟ ବିପତି’ ଘୋଷଣା କର
ଏ ଦ୍ୱିଦଶକର ଅନ୍ତିମ ପାଦରେ ସର୍ବାଧିକ ବିଭୀଷିକାମୟ ‘ଫଣୀ’ର ଫୁତ୍କାର ନିସ୍ତବ୍ଧ ଶ୍ମଶାନରେ ପରିଣତ କରିଦେଇଛି ତମାମ୍ ଓଡିଶାର ଉପକୂଳବର୍ତୀ ଭୂଖଣ୍ଡକୁ । ମାତ୍ର କେତୋଟି ଘଂଟାର ନିଷ୍ଠୁରନିର୍ମମ ସାମୁଦ୍ରିକ ତୋଫାନର ଅଭୂତପୂର୍ବ ପ୍ରଳୟ ପ୍ରବାହରେ ନିଶ୍ଚିହ୍ନ ହୋଇଯାଇଛି ବର୍ଷବର୍ଷର ସଂଚିତ ସମ୍ବଳ – ବିଶାଳବୃକ୍ଷ ସମ୍ପଦ – ସବୁଜ ଶସ୍ୟଶ୍ୟାମଳ ପଲ୍ଲିଜୀବନ – ଗୃହପାଳିତ ପଶୁପକ୍ଷୀ ଏବଂ ସମୃଦ୍ଧ ଶିଳ୍ପାଂଚଳ । ଗ୍ରାମ ଓ ସହର – ସବୁ ଧ୍ୱସ୍ତ – ସବୁ ବିଧ୍ୱସ୍ତ – ଯାହା ଗଢିଉଠିବା ପାଇଁ ଲାଗିଥିଲା ବର୍ଷବର୍ଷ – ଦଶକଦଶକ – ମାତ୍ର କେତୋଟି ମୁହୂର୍ତ ମଧ୍ୟରେ ସେସବୁ ଆଜି ବିକଳ ଭଗ୍ନସ୍ତୂପ । ଭୌଗୋଳିକ ସ୍ଥିତି ଆଜି ଏକ ମହାଦୁଃସ୍ଥିତି । ରାଜନୀତିର ରଥଚକ୍ର ତଳେ ଭୋକର ଭୂଗୋଳ ଦୁଃଖିନୀ ଓଡିଶା ପେଶି ହୋଇନଯାଉବୋଲି ଶ୍ରମିକନେତା ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।
ଗଲା ୨୦୦ବର୍ଷ ଭିତରେ ଓଡିଶା ଅତି କମ୍ରେ ୪୦୦ ପ୍ରଳୟଙ୍କର ବାତ୍ୟାର ପ୍ରହାରରେ ଜର୍ଜରିତ ହୋଇଛି । ଧ୍ୱସ୍ତ-ବିଧ୍ୱସ୍ତ ହୋଇଛି – ଗାଁଗଣ୍ଡା – ସଦରସହର – ଆଉ ହେକ୍ଟର ହେକ୍ଟର ଫସଲ କିଆରି ସମେତ ଏକର ଏକର ସମ୍ୁନ୍ନତ ଶିଳ୍ପାଂଚଳ । କିନ୍ତୁ ଓଡିଶାର ଇତିହାସ ପାଉଁଶ ତଳର ନିଆଁପରି ଝଟକି ଉଠି ତାର ଅପରାଜେୟ ଅସ୍ତିତ୍ୱକୁ ଦୁନିଆର ଦରବାରେ ସାବ୍ୟସ୍ତ କରିଆସିଛି । ଏହାର ମୂଳ ରହସ୍ୟ ହେଉଛି – ଏ ମନ୍ତ୍ରପୂତ ମାଟିର ଚିରସଂଗ୍ରାମୀ ମେହନତୀ ମଣିଷମାନଙ୍କର ଅନମନୀୟ ଇଚ୍ଛାଶକ୍ତି । ଅଥଚ ସେଇ ୨୦୦ବର୍ଷର ଦୁର୍ବାର ଇଚ୍ଛାଶକ୍ତିକୁ ଆଜି ଏଇ ୨୦ବର୍ଷର ଏକଚାଟିଆ ରାଜନୀତିର ଶାସନନୀତି ଏକ ଚରମ ନିଷ୍କ୍ରିୟତାର କରାଳ କୃଷ୍ଣବିବର ଆଡକୁ ନିକ୍ଷେପ କରିଦେଇଛି । ଦି’ଟଙ୍କିଆ ଚାଉଳରୁ ଆରମ୍ଭ କରି ମାହାଳିଆ ମୋବାଇଲ ଯୋଗାଣ ପର୍ଯ୍ୟନ୍ତ ଲୋକଙ୍କୁ ଭୋଟ୍ ରାଜନୀତିର ପଲାରେ ବଟକରା ରୂପେ ବ୍ୟବହାର କରିବାକୁ ଯାଇ ଗୋଟାଏ ଆତ୍ମପ୍ରଚାରସର୍ବସ୍ୱ ସରକାର ଆମ ସଂଗ୍ରାମୀ ଓଡିଆ ଜାତିକୁ ଦେଢଗୋଡିଆ କରିଦେଇଛି – କହିଲେ ଚଳେ । ସେଥିପାଇଁ ଆଜି ‘ଫଣୀ’ର ଫୁତ୍କାରରେ ଅଧାଓଡିଶା ଅନ୍ଧାର । ଏଣେ ମହମବତି ଜୁଳୁଜୁଳୁ ହୋଇ ଜଳି ଉଠୁଉଠୁ ଲିଭିଯାଉଛି ଆଉ ତେଣେ ଲଣ୍ଠନ ପାଇଁ ଟୋପେ କିରୋସିନି ମିଳିବା ମୁସ୍କିଲ । ଆମକୁ ସାହାଯ୍ୟ କରିବାପାଇିଁ ଆନ୍ଧ୍ର, କେରଳ ଓ ପଶ୍ଚିମବଙ୍ଗରୁ ଦକ୍ଷ ମାନବଶକ୍ତି ଆଗେଇଆସିବା ଓଡିଶାର ବିଗତ ବୀରତ୍ୱର ବୁନିଆଦିକୁ ୨୦୦୦ବର୍ଷ ତଳକୁ ପଛେଇନେଇଛି । ଆମ ଆଖିଆଗରେ ଘୋର ଲଜ୍ଜାକର ଐତିହାସିକ ଅସ୍ତିତ୍ୱର ସଂକଟ ଉପୁଜିଛି – ଏପରି ସର୍ବନାଶକୁ ନିଜର ପୁଷମାସରେ ପରିଣତ କରି ‘ବେଡି ଉପରେ କୋରଡାମାଡ’ ପରି ଓଡିଶାର ଶାସନ ଓ ପ୍ରଶାସନ ଏକ ମିଳିତଚକ୍ର ଗଠନପୂର୍ବକ ହଜାର ହଜାର କୋଟିଟଙ୍କା କେନ୍ଦ୍ରଠାରୁ ଏଇ ମଉକାରେ ହାତେଇ ଆଣିବାକୁ ପାଗ ଭିଡିଲେଣି । ଏଣେ କିନ୍ତୁ ଜନଗଣଙ୍କ ପାଇଁ କଚେରୀ ବରଖାସ୍ତର କଳାଦିନ ଆହୁରି ପାଖେଇଆସୁଛି ।
ଶ୍ରୀ ନାୟକ ବିନମ୍ର ନିବେଦନ କରି ଲେଖିଛନ୍ତି – ଏଣିକି ବେସରକାର ସଂସ୍ଥାମାନଙ୍କର କର୍ତୃପକ୍ଷଦଳ ଲୋକଙ୍କ ପାଇଁ କୋଟିକୋଟି ଟଙ୍କା ପ୍ରତ୍ୟକ୍ଷ ଭାବରେ ଖର୍ଚ୍ଚ କରିବାପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ । ଆପଦଗ୍ରସ୍ତ ଦୁଃଖୀଦୁର୍ଗତ ଦଳଦଳ ମଣିଷ ପାଖରେ ଅତି ଆପଣାର ଭାଇବିରାଦର ଭଳି ଛିଡାହୋଇପାରିଲେ ହିଁ କେବଳ ଏ ‘ଫଣୀ’ କାହିଁକି ଆଗକୁ ଆସୁଥିବା ଅଚାନକ ଅନେକ ବାତ୍ୟାର ଚଢଉକୁ ମଧ୍ୟ ମାଟିର ମଣିଷ ଖାତିର କରିବନାହିଁ । କାରଣ ଅର୍ଥଶକ୍ତି ନୁହେଁ, ଇଚ୍ଛାଶକ୍ତିର ଜାଗରଣ ହେଉଛି – ଏ ମହାସଂକଟକାଳରେ ଆମର ସର୍ବାଧିକ ମୂଲ୍ୟର ମାନସିକ ପୁଞ୍ଜି । ଏ କଥା ମନରେ ହେଜି ଆମେ ଓଡିଆ ଭାଇଭଉଣୀଏ ଆସନ୍ତୁ ଏକାଠି ହେବା – ଅନ୍ତରାତ୍ମାରେ ପ୍ରକୃତି ସହିତ ନୁହେଁ – ବରଂ ଅମଣିଷମାନଙ୍କର ମିଳିତଚକ୍ର ଦ୍ୱାରା ସର୍ବସ୍ୱାନ୍ତ ହୋଇଚାଲିଥିବା ସମାଜକୁ ରକ୍ଷା କରିବାକୁ କଦମ ସହ କଦମ ମିଳାଇ ଆଗେଇ ଚାଲିବା । ବରଂ ‘ଫଣୀ’ଦୁର୍ଗତ ଫୁଙ୍ଗୁଳା ଓଡିଶା ଭୂଇଁର ଏ ଚରମ ବିପର୍ଯ୍ୟୟକୁ ବର୍ତମାନ କେନ୍ଦ୍ର ସରକାର ‘ଜାତୀୟ ବିପତି’ ରୂପେ ଆଶୁଘୋଷଣା ଜାରି କରି ମାନବିକ ନ୍ୟାୟ ପ୍ରଦାନ କରିବାର ଆଦର୍ଶ ନଜିର୍ ବିଶ୍ୱଦରବାର ଆଗରେ ସୃଷ୍ଟି କରନ୍ତୁ – ଆମର ଦାବୀ ।
ପ୍ରକାଶନ ଓ ପ୍ରସାରଣ ପାଇଁ
ମାୟାଧର ନାୟକ
ତା – ୧୧/୦୫/୨୦୧୯
ମୋ : ୯୮୬୧୦୩୪୧୬୩