ଆ’ ଡ଼ାକିଲେ ଆସୁଛନ୍ତି ୧୩୨ ମୟୂର
ଭୁବନେଶ୍ୱର : ନରାଜ ଗାଁର ୨୧ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ଡ଼ାକୁଛନ୍ତି ପିକ୍କ ମ୍ୟାନ୍ । କାହ୍ନୁ ବି ପଡ଼ିଛନ୍ତି ମୟୂରଙ୍କ ପ୍ରେମରେ । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସମ୍ପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ । ପକ୍ଷୀମାନଙ୍କ ସୁରକ୍ଷା ଓ ସେମାନଙ୍କ ସଂରକ୍ଷଣ ଚିନ୍ତାରେ କାହ୍ନୁଙ୍କ ସମର୍ପିତଭାବ ଦେଖିବା ପରେ ଭୁବନେଶ୍ୱରସ୍ଥିିତ ବି.ଆଇ. ପ୍ରୋଫେସନାଲସ୍ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ କାହ୍ନୁଙ୍କୁ ସମ୍ବର୍ଦ୍ଧିତ କରିଛି । ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି ଯେ, ପିକ୍କ ଭ୍ୟାଲି କୁହାଯାଉଥିବା ନରାଜ ପାହାଡ଼ ୧୯୯୯ ମସିହାରେ ଏକ ପ୍ରକାର ମୟୂର ଶୂନ୍ୟ ହୋଇଯାଇଥିଲା । କାହ୍ନୁଙ୍କ ଜେଜେ ପାଣୁ ବେହେରା ୩ଟି ମୟୂରଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା ଓ ଯତ୍ନ କରୁଥିଲେ । ୨୦୧୭ରେ ପାଣୁଙ୍କ ଦେହାନ୍ତ ହେଲାବେଳକୁ ଏହି ଜାତୀୟ ପକ୍ଷୀଙ୍କ ସଂଖ୍ୟା ଶତାଧିକ ହୋଇଥିଲା । ଜେଜେଙ୍କ ସହିତ ପାହାଡ଼ ଉପରେ ମୟୂରଙ୍କୁ ଖାଦ୍ୟ ଦେବାର ଆନନ୍ଦ ନେଉଥିବା ନାତି କାହ୍ନୁ ଜେଜେଙ୍କ ମୃତ୍ୟୁ ପରେ ମୟୂରଙ୍କ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ।୨୦୧୩ ମସିହାରୁ ନିଜ ଜେଜେଙ୍କ ସହ ମୟୂରଙ୍କ ଦେଖାରଖା କାମରେ ନିୟୋଜିତ କାହ୍ନୁ କଟକ ରଘୁନାଥଜୀଉ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ ବି ମୟୂରଙ୍କ ସୁରକ୍ଷା ଦାୟିତ୍ୱରୁ ଓହରି ଯାଇନାହାଁନ୍ତି । ବିନା ସରକାରୀ ସହାୟତା ଓ ପ୍ରୋତ୍ସାହନରେ ବିଗତ ୭ ବର୍ଷ ଧରି କାହ୍ନୁଙ୍କ ଏଭଳି ମୟୂରଙ୍କୁ ନିଚ୍ଛକ ଭଲ ପାଇବାର ନିଦର୍ଶନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ, କେଶବ କୁମାର ଭୁଜବଳ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ବି.ଆଇ. ପ୍ରୋଫେସନାଲସ୍ର ଇଂ ଧୀରେନ୍ଦ୍ର କର, ଇଂ ସୁବ୍ରତ କୁମାର ବଳ, ଇଂ ଭାଗ୍ୟଶ୍ରୀ ମିଶ୍ର, ଇଂ ସୁଶାନ୍ତ ସାହୁ, ଇଂ ସୁଚିସ୍ମିତା ସେନାପତି ପ୍ରମୁଖ କହନ୍ତି ।


