ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ

ନୂଆପଡ଼ା,(ଲିଲାମ୍ବର ନାଗ): ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ ଅନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ଏପିଡି କ୍ଷମାନିଧି ଭୋଇ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଦ୍ୱାରିକାନାଥ ଶତପଥୀଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର ବେକାର ଯୁବକଯୁବତୀମାନଙ୍କୁ କେବଳ ଚାକିରି ପଛରେ ନ ଦୌଡ଼ି ଉଦ୍ୟୋଗୀ ଭାବେ ଗଢ଼ି ଉଠିବାକୁ ଆହ୍ୱାନ ଦେଇଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ମାଧ୍ୟମରେ ଅନଲାଇନ ଫାଇଲ ଓ ଚିଠିପତ୍ର ଆଦାନ–ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ତହସିଲଦାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପ ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ବିଗତ ମାସର ଉନ୍ନୟନମୂଳକ କାର୍ଯ୍ୟରେ ଥିବା ବାଧା, ବିସଙ୍ଗତି ଓ ସେଗୁଡ଼ିକର ସମାଧାନ ସହ ପ୍ରତ୍ୟେକ ବିଭାଗର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପର୍ଯ୍ୟଟନ ବିଭାଗ ସମେତ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ରାସ୍ତା ଓ ଗୃହନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଏବଂ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜଳସେଚନ, ପଞ୍ଚାୟତିରାଜ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଜଙ୍ଗଲ, ଖଣି ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ତହସିଲଦାରମାନଙ୍କ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପଶୁ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଖେଳପଡ଼ିଆ ପାଇଁ ଜମି ପଟ୍ଟା ପ୍ରଦାନ ଓ ନୂତନ ଭବନ ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ପେନସନ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଅନିୟମିତତା ରୋକିବା ଉଦ୍ଦେଶ୍ୟରେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ପେନସନଭୋଗୀଙ୍କ ଉପରେ ସର୍ଭେ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସର୍ଭେ କାର୍ଯ୍ୟକୁ ୧୫ ଦିନ ମଧ୍ୟରେ ସମାପ୍ତ କରିବା ସହ ଉପ ଜିଲ୍ଲାପାଳଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସହରାଞ୍ଚଳରେ ଜବରଦଖଲ ରୋକିବାକୁ ନିର୍ଦ୍ଦେଶ ଦେବା ସହ ନୂଆପଡ଼ା ଓ ଖଡ଼ିଆଳ ରୋଡ଼ ଏନଏସି ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ବଣ୍ଟନ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା।ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରି ଜିଲ୍ଲାକୁ ଦ୍ରୁତ ଉନ୍ନୟନ ପଥରେ ଆଗେଇ ନେବା ପାଇଁ ଆହ୍ୱାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ