ଅସୁରକ୍ଷିତ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାର: ମରାମତି ଓ ନିର୍ମାଣ ପ୍ରତି ଦିଆଯାଉନି ଦୃଷ୍ଟି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଝାଞ୍ଜିରେ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅନ୍ୟ ପଟେ ରାସ୍ତା ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମଗାର ବିପଦ ସଂକୁଳ ରେ ଥିବାରୁ ବର୍ଷା ଦିନରେ ପାଣି ଗଳୁଛି । ଏଭଳି ସ୍ଥିତିରେ ଯାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଯାତାୟତ ନିମନ୍ତେ ବସ କୁ ଅପେକ୍ଷା ପାଇଁ ନାନା ସମସ୍ୟା ଭୋଗୁଛନ୍ତି । ବିଶେଷକରି ଯାତ୍ରୀ ଙ୍କ ସୁରକ୍ଷା ତଥା ରହଣି ପାଇଁ ବିଭିନ୍ନ ସ୍ଥାନରେ ବସଷ୍ଟପ ବା ରାସ୍ତା ପାର୍ଶ୍ୱରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି। ଏଠାରେ ଯାତ୍ରୀ ମାନେ ବିଶ୍ରାମ ନେବା ସହ ଯାତାୟତ ପାଇଁ ବିଭିନ୍ନ ବସକୁ ଅପେକ୍ଷା କରନ୍ତି। ଖରା ଓ ବର୍ଷା ସମୟରେ ଆଶ୍ରୟ ମଧ୍ୟ ନେଇଥାନ୍ତି। ବହୁବର୍ଷ ଧରି ପୁରୀ ଜିଲ୍ଲା କାକଟପୁର ରୁ ଅସ୍ତରଙ୍ଗ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ମଲାମାଛ ଛକ, ମୂଳାଗଡ ଛକ, କାକଟପୁର କଲେଜ ଛକ ସମେତ ବଲରା ନିକଟରେ ପୂର୍ବରୁ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମଗାର ଏବେ ଜରାଜୀର୍ଣ୍ଣ ହୋଇଥିବା ବେଳେ ଏହା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। ଅନେକ ବିପଦଜନ୍ନକ ଭାବେ ପଡ଼ିରହିଛି। କେଉଁଠି ଭାଙ୍ଗିରୁଜି ନଷ୍ଟ ହେଲାଣି ତ ପୁଣି କେଉଁଠି ଜବର ଦଖଲ ହୋଇ ରହିଛି। ଫଳରେ ଯାତ୍ରୀ ମାନେ ବିଶ୍ରାମ ନେବାରେ ନାନା ସମସ୍ୟା ଭୋଗୁଛନ୍ତି। ରାଜ୍ୟ ସରକାର ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟ୍ୟମରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ରୂପାନ୍ତୀକରଣ ନାଁରେ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଛନ୍ତି। ହେଲେ ଏ ସବୁ ଯାତ୍ରୀ ବିଶ୍ରାମ ଗୃହ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉ ନାହିଁ।ଏହି ପରି ଭାବେ କାକଟପୁର ବ୍ଲକ ଅଂଚଳରେ ଅନେକ ଯାତ୍ରୀ ବିଶ୍ରାମଗାର ଜରାଜୀର୍ଣ୍ଣ ଅବସ୍ଥାରେ । ଯାହାକି ଏହି ସମସ୍ୟା ପାଇଁ ଯାତ୍ରୀ ବର୍ଷା, ଖରା ଓ ଶୀତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଯାତ୍ରୀ ଯାତ୍ରୀଙ୍କ ମଧ୍ୟରେ ଦାବୀ ହେଉଛି।


