ବି.ଏଡ଼୍. କଲେଜ ବନ୍ଦ ଓ ବ୍ଲକଗ୍ରାଣ୍ଟ ସ୍କୁଲ୍ ମିଶ୍ରଣ ବିରୋଧରେ ଶିକ୍ଷାମନ୍ତ୍ରୀଙ୍କୁ ଏଆଇଡ଼ିଏସ୍ଓର ଦାବୀ
ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ବି.ଏଡ଼୍. ଓ ଏମ୍.ଏଡ଼୍ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷକ ଓ ଭିତ୍ତିଭୂମି ଅଭାବରୁ ବନ୍ଦ ହେବା, ବ୍ଲକଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା, ଶିକ୍ଷକ ଏବଂ ଅଧ୍ୟାପକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟଦାବୀ ସମ୍ବଳିତ ଗଣତାନ୍ତ୍ରିକ ଆନ୍ଦୋଳନରେ ଯୋଗଦାନ ଉପରେ ସରକାର କଟକଣା ଲଗାଇବା ବିରୁଦ୍ଧରେ ଏଆଇଡ଼ିଏସ୍ଓ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସଭାପତି ନସିମ ସରକାର, ସମ୍ପାଦିକା ସ୍ୱସ୍ତି ସଙ୍ଗୀତା ଦଳାଇ, ଉପସଭାନେତ୍ରୀ ସପ୍ତର୍ସିନୀ ରାଉଳ ପ୍ରମୁଖ ଶିକ୍ଷାମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଠାରେ ସୂଚାନଯୋଗ୍ୟ ଏନ୍ସିଟିଇ (ନ୍ୟାସନାଲ କାଉନ୍ସିଲ୍ ଫର୍ ଟିଚର ଏଜୁକେଶନ) ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଦର୍ଶାଇ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷରୁ ରାଜ୍ୟର ପ୍ରାୟ ସମସ୍ତ ବି.ଏଡ଼୍. ଓ ଏମ୍. ଏଡ୍ କୋର୍ସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଫଳରେ ସରକାରଙ୍କ ଚରମ ଅବହେଳା ଯୋଗୁ ରାଜ୍ୟର ପ୍ରାୟ ସମସ୍ତ ଶିକ୍ଷକ ତାଲିମ ଅନୁଷ୍ଠାନଗୁଡ଼ିକ ବନ୍ଦ ହେବାକୁ ଯାଉଛି ଏବଂ ରାଜ୍ୟର ହଜାର ହଜାର ବି.ଏଡ଼୍ ଓ ଏମ୍.ଏଡ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ସେହିପରି ସରକାର ଚଳିତ ବର୍ଷଠାରୁ ବ୍ଲକଗ୍ରାଣ୍ଟ ସ୍କୁଲ୍ ଗୁଡ଼ିକ ପାଖ ସରକାରୀ ସ୍କୁଲ୍ରେ ମିଶ୍ରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଫଳରେ ଶିକ୍ଷାର ବିକାଶ ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗରେ ଗଢି ଉଠିଥିବା ବହୁ ସ୍କୁଲ୍ ବନ୍ଦ ହୋଇଯିବ ଏବଂ ଛାତ୍ରଛାତ୍ରୀମାନେ ନିକଟରେ ଥିବା ସ୍କୁଲ୍ରେ ପଢିବାର ଯେଉଁ ସୁଯୋଗ ପାଉଥିଲେ, ସେଥିରୁ ବଞ୍ôଚତ ହେବେ । ବହୁ ଛାତ୍ରଛାତ୍ରୀଙ୍କର ପାଠପଢାରେ ଡ଼ୋରୀ ବନ୍ଧା ହେବ ଏବଂ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ । ଏହାଛଡ଼ା ଶିକ୍ଷକ, ଅଧ୍ୟାପକମାନଙ୍କୁ ଆନ୍ଦୋଳନରୁ ବାରଣ କରିବା ପାଇଁ ଯେଉଁ ନିର୍ଦ୍ଦେଶନାମା ଦିଆଯାଇଛି ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ସେମାନଙ୍କର ମୌଳିକ ଅଧିକାରକୁ ହରଣ କରୁଛି ବୋଲି ସଂଗଠନ ପକ୍ଷରୁ ଦର୍ଶାଯାଇଛି । ସରକାର ଅବିଳମ୍ବେ ଏହି ସମସ୍ତ ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଶିକ୍ଷା ସ୍ୱାର୍ଥବିରୋଧୀ ନିଷ୍ପତ୍ତିଗୁଡ଼ିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଦୁର୍ବାର ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏଆଇଡ଼ିଏସ୍ଓ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।