ଶୋଷକଙ୍କୁ ଦିଅନା–ଶୋଷିତଙ୍କୁ ଦିଅ- ମାୟାଧର ୧୫ ରୁ ବାତ୍ୟାକ୍ଲିଷ୍ଟ ବିପନ୍ନ ଓଡିଶା ପାଇଁ ସହାୟତା ଅଭିଯାନ
ଯାଜପୁରରୋଡ : ଏ ଦ୍ୱିଦଶକର ସର୍ବାଧିକ ବିଭୀଷିକାମୟ ‘ଫଣୀ’ର ଫୁତ୍କାର ନିସ୍ତବ୍ଧ ଶ୍ମଶାନରେ ପରିଣତ କରିଦେଇଛି ତମାମ୍ ଓଡିଶାର ଉପକୂଳବର୍ତୀ ଭୂଖଣ୍ଡକୁ । ମାତ୍ର କେତୋଟି ଘଂଟାର ନିଷ୍ଠୁରନିର୍ମମ ସାମୁଦ୍ରିକ ତୋଫାନର ଅଭୂତପୂର୍ବ ପ୍ରଳୟ ପ୍ରବାହରେ ନିଶ୍ଚିହ୍ନ ହୋଇଯାଇଛି ବର୍ଷବର୍ଷର ସଂଚିତ ସମ୍ବଳ – ବିଶାଳବୃକ୍ଷ ସମ୍ପଦ – ସବୁଜ ଶସ୍ୟଶ୍ୟାମଳ ପଲ୍ଲିଜୀବନ – ଗୃହପାଳିତ ପଶୁପକ୍ଷୀ ଏବଂ ସମୃଦ୍ଧ ଶିଳ୍ପାଂଚଳ । ଗ୍ରାମ ଓ ସହର – ସବୁ ଧ୍ୱସ୍ତ – ସବୁ ବିଧ୍ୱସ୍ତ – ଯାହା ଗଢିଉଠିବା ପାଇଁ ଲାଗିଥିଲା ବର୍ଷବର୍ଷ – ଦଶକଦଶକ – ମାତ୍ର କେତୋଟି ମୁହୂର୍ତ ମଧ୍ୟରେ ସେସବୁ ଆଜି ବିକଳ ଭଗ୍ନସ୍ତୂପ । ଭୌଗୋଳିକ ସ୍ଥିତି ଆଜି ଏକ ମହାଦୁଃସ୍ଥିତି ବୋଲି ଶ୍ରମିକନେତା ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ରାଜନୀତିର ରଥଚକ୍ର ତଳେ ଭୋକର ଭୂଗୋଳ ଦୁଃଖିନୀ ଓଡିଶା ପେଶି ହୋଇନଯାଉ ।
ଶ୍ରୀ ନାୟକ ଲେଖିଛନ୍ତି – ଗଲା ୨୦୦ବର୍ଷ ଭିତରେ ଓଡିଶା ଅତି କମ୍ରେ ୪୦୦ ପ୍ରଳୟଙ୍କର ବାତ୍ୟାର ପ୍ରହାରରେ ଜର୍ଜରିତ ହୋଇଛି । ଧ୍ୱସ୍ତ-ବିଧ୍ୱସ୍ତ ହୋଇଛି – ଗାଁଗଣ୍ଡା – ସଦରସହର – ଆଉ ହେକ୍ଟର ହେକ୍ଟର ଫସଲ କିଆରି ସମେତ ଏକର ଏକର ସମ୍ୁନ୍ନତ ଶିଳ୍ପାଂଚଳ । କିନ୍ତୁ ଓଡିଶାର ଇତିହାସ ପାଉଁଶ ତଳର ନିଆଁପରି ଝଟକି ଉଠି ତାର ଅପରାଜେୟ ଅସ୍ତିତ୍ୱକୁ ଦୁନିଆର ଦରବାରେ ସାବ୍ୟସ୍ତ କରିଆସିଛି । ଏହାର ମୂଳ ରହସ୍ୟ ହେଉଛି – ଏ ମନ୍ତ୍ରପୂତ ମାଟିର ଚିରସଂଗ୍ରାମୀ ମେହନତୀ ମଣିଷମାନଙ୍କର ଅନମନୀୟ ଇଚ୍ଛାଶକ୍ତି । ଅଥଚ ସେଇ ୨୦୦ବର୍ଷର ଦୁର୍ବାର ଇଚ୍ଛାଶକ୍ତିକୁ ଆଜି ଏଇ ୨୦ବର୍ଷର ଏକଚାଟିଆ ରାଜନୀତିର ଶାସନନୀତି ଏକ ଚରମ ନିଷ୍କ୍ରିୟତାର କରାଳ କୃଷ୍ଣବିବର ଆଡକୁ ନିକ୍ଷେପ କରିଦେଇଛି । ଦି’ଟଙ୍କିଆ ଚାଉଳରୁ ଆରମ୍ଭ କରି ମାହାଳିଆ ମୋବାଇଲ ଯୋଗାଣ ପର୍ଯ୍ୟନ୍ତ ଲୋକଙ୍କୁ ଭୋଟ୍ ରାଜନୀତିର ପଲାରେ ବଟକରା ରୂପେ ବ୍ୟବହାର କରିବାକୁ ଯାଇ ଗୋଟାଏ ଆତ୍ମପ୍ରଚାରସର୍ବସ୍ୱ ସରକାର ଆମ ସଂଗ୍ରାମୀ ଓଡିଆ ଜାତିକୁ ଦେଢଗୋଡିଆ କରିଦେଇଛି – କହିଲେ ଚଳେ । ସେଥିପାଇଁ ଆଜି ‘ଫଣୀ’ର ଫୁତ୍କାରରେ ଅଧାଓଡିଶା ଅନ୍ଧାର । ଏଣେ ମହମବତି ଜୁଳୁଜୁଳୁ ହୋଇ ଜଳି ଉଠୁଉଠୁ ଲିଭିଯାଉଛି ଆଉ ତେଣେ ଲଣ୍ଠନ ପାଇଁ ଟୋପେ କିରୋସିନି ମିଳିବା ମୁସ୍କିଲ । ଆମକୁ ସାହାଯ୍ୟ କରିବାପାଇଁ ିଆନ୍ଧ୍ର, କେରଳ ଓ ପଶ୍ଚିମବଙ୍ଗରୁ ଦକ୍ଷ ମାନବଶକ୍ତି ଆଗେଇଆସିବା ଓଡିଶାର ବିଗତ ବୀରତ୍ୱର ବୁନିଆଦିକୁ ୨୦୦୦ବର୍ଷ ତଳକୁ ପଛେଇନେଇଛି । ଆମ ଆଖିଆଗରେ ଘୋର ଲଜ୍ଜାକର ଐତିହାସିକ ଅସ୍ତତ୍ୱର ସଂକଟ ଉପୁଜିଛି – ଏପରି ସର୍ବନାଶକୁ ନିଜର ପୁଷମାସରେ ପରିଣତ କରି ‘ବେଡି ଉପରେ କୋରଡାମାଡ’ ପରି ଓଡିଶାର ଶାସନ ଓ ପ୍ରଶାସନ ଏକ ମିଳିତଚକ୍ର ଗଠନପୂର୍ବକ ହଜାର ହଜାର କୋଟିଟଙ୍କା କେନ୍ଦ୍ରଠାରୁ ଏଇ ମଉକାରେ ହାତେଇ ଆଣିବାକୁ ପାଗ ଭିଡିଲେଣି । ଏଣେ କିନ୍ତୁ ଜନଗଣଙ୍କ ପାଇଁ କଚେରୀ ବରଖାସ୍ତର କଳାଦିନ ଆହୁରି ପାଖେଇଆସୁଛି । ଜରୁରୀକାଳୀନ ପାଣ୍ଠିରୁ ୭୦୦ କୋଟି ଟଙ୍କା ‘କାଳିଆ ଯୋଜନା’ ପ୍ରଚାର-କାର୍ଯ୍ୟକ୍ରମରେ ଖର୍ଚ୍ଚ କରିସାରି ଏ ବେହିସାବୀ ସରକାର ଅସଲ ବିପତ୍ତିବେଳେ ଆହୁରି ଅନୁଦାନ ପାଇଁ ହାତ ପତେଇବାକୁ ପଛଉନଥିବା ତମାମ୍ ଓଡିଆ ମହାଜାତି ପକ୍ଷରେ ଘୋର ପରିତାପର ପ୍ରସଙ୍ଗ ।
ଏଇ ପରିପ୍ରେକ୍ଷୀରେ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି ଯେ – ଶୋଷକମାନଙ୍କୁ ଗୋଟିଏ ବି ପଇସା ନଦେଇ ଏଣିକି ବେସରକାର ସଂସ୍ଥାମାନଙ୍କର କର୍ତ୍ତୃପକ୍ଷଦଳ ଲୋକଙ୍କ ପାଇଁ କୋଟିକୋଟି ଟଙ୍କା ପ୍ରତ୍ୟକ୍ଷ ଭାବରେ ଖର୍ଚ୍ଚ କରିବାପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ । ଆପଦଗ୍ରସ୍ତ ଦୁଃଖୀଦୁର୍ଗତ ଦଳଦଳ ମଣିଷ ପାଖରେ ଅତି ଆପଣାର ଭାଇବିରାଦର ଭଳି ଛିଡାହୋଇପାରିଲେ ହିଁ କେବଳ ଏ ‘ଫଣୀ’ କାହିଁକି ଆଗକୁ ଆସୁଥିବା ଅଚାନକ ଅନେକ ବାତ୍ୟାର ଚଢଉକୁ ମଧ୍ୟ ମାଟିର ମଣିଷ ଖାତିର କରିବନାହିଁ । କାରଣ ଅର୍ଥଶକ୍ତି ନୁହେଁ, ଇଚ୍ଛାଶକ୍ତିର ଜାଗରଣ ହେଉଛି – ଏ ମହାସଂକଟକାଳରେ ଆମର ସର୍ବାଧିକ ମୂଲ୍ୟର ମାନସିକ ପୁଞ୍ଜି । ଏ କଥା ମନରେ ହେଜି ଆମେ ଓଡିଆ ଭାଇଭଉଣୀଏ ଆସନ୍ତୁ ଏକାଠି ହେବା – ଅନ୍ତରାତ୍ମାରେ ପ୍ରକୃତି ସହିତ ନୁହେଁ – ବରଂ ଅମଣିଷମାନଙ୍କର ମିଳିତଚକ୍ର ଦ୍ୱାରା ସର୍ବସ୍ୱାନ୍ତ ହୋଇଚାଲିଥିବା ସମାଜକୁ ରକ୍ଷା କରିବାକୁ କଦମ ସହ କଦମ ମିଳାଇ ଆଗେଇ ଚାଲିବା ।
ଏବେ ଓଡିଶା ରାଜନୀତିରେ ଆମପାଇଁ ସ୍ୱତନ୍ତ୍ର ପ୍ରଦେଶ ପାହ୍ୟାର ନବୀନନାରା ଶ୍ରୃତିଗୋଚର ହେଉଛି – ସେ ସ୍ୱତନ୍ତ୍ର ପାହ୍ୟା କ’ଣ ପ୍ରକୃତରେ ଆମ ଉପକାର ପାଇଁ, ନା ଲକ୍ଷଲକ୍ଷ ରାଜକୋଷ ଲୁଟେରା ତଥା ଶାସକ ପ୍ରଶାସକବର୍ଗର ପୃଷ୍ଠପୋଷକତାପ୍ରାପ୍ତ ଗୁଣ୍ଡାମୁଣ୍ଡା, ଚେଲାଚାମୁଣ୍ଡା, ନ୍ୟସ୍ତସ୍ୱାର୍ଥ ଶିଳ୍ପପତିଙ୍କ ଫାଇଦା ପାଇଁ? ଏ ପ୍ରଶ୍ନ ଲକ୍ଷେ କୋଟି ଟଙ୍କାର ପ୍ରଶ୍ନ, ଯାହାକୁ ପଚାରିବାର ପାଳିପଡିଛି ଜାଗ୍ରତ ଜନମଂଚରୁ । ବରଂ ‘ଫଣୀ’ଦୁର୍ଗତ ଫୁଙ୍ଗୁଳା ଓଡିଶା ଭୂଇଁର ଏ ଚରମ ବିପର୍ଯ୍ୟୟକୁ ବର୍ତ୍ତମାନ କେନ୍ଦ୍ର ସରକାର ‘ଜାତୀୟ ବିପତ୍ତି’ ରୂପେ ଆଶୁଘୋଷଣା ଜାରି କରି ମାନବିକ ନ୍ୟାୟ ପ୍ରଦାନ କରିବାର ଆଦର୍ଶ ନଜିର୍ ବିଶ୍ୱଦରବାର ଆଗରେ ସୃଷ୍ଟି କରନ୍ତୁ – ଆମର ଦାବୀ ।
ବିପନ୍ନକୁ ସହାୟତା ଦେବାପାଇଁ ଆଉ ସରକାରଙ୍କୁ ଟଙ୍କାର ଚେକ୍ ବଢେଇବା ଅପେକ୍ଷା କର୍ପୋରେଟ୍ ହାଉସ୍, ବ୍ୟବସାୟୀ, ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା, ବିଭିନ୍ନ ରାଜନୈତିକ ଦଳ, ଏନ୍.ଜି.ଓ.ମାନେ ନିଜନିଜ ଉଦ୍ୟମରେ ପ୍ର୍ରୟୋଜନ ସାମଗ୍ରୀ ସଂଗ୍ରହକରି ତୁରନ୍ତ ବାତ୍ୟାବିଧ୍ୱସ୍ତ ଅଂଚଳକୁ ଯାଇ ଉତ୍ସର୍ଗୀକୃତ ସଂକଳ୍ପବଦ୍ଧ ଭୂମିକାରେ ଅବତୀର୍ଣ୍ଣ ହେବା ସହ ଧ୍ୱଂସ ଓ ବିପର୍ଯ୍ୟୟ ବିରୁଦ୍ଧରେ, ଦୁଃଖକଷ୍ଟ, ରୋଗ, ଅନାହାର, ଦାରିଦ୍ର୍ୟର ଦୁର୍ଦ୍ଦଶା ବିରୁଦ୍ଧରେ – ଭୟ ଓ ମୃତ୍ୟୁ ବିରୁଦ୍ଧରେ ସଂଗ୍ରାମର ନୂଆ ନିଆରା ଅଧ୍ୟାୟ ଆରମ୍ଭ କରନ୍ତୁ ।
ସାରା ଓଡିଶାରୁ ଯାଜପୁରରେରୋଡ ଠାରେ ସମବେତ ଆଜାଦୀ ଠେଙ୍ଗାବାହିନୀର କ୍ରାନ୍ତିକାରୀ କର୍ମୀବାହିନୀ ମଇ’ ୧୫ ତାରିଖରୁ ବାତ୍ୟା ବିପନ୍ନ ଉପକୂଳ ଓଡିଶାର ପଥପ୍ରାନ୍ତରରେ ସହାୟତା ଅଭିଯାନ ଆରମ୍ଭ କରୁଛନ୍ତି । ଓଡିଶାର ଉପଦ୍ରୁତ ଉପକୂଳବର୍ତୀ ଅଂଚଳର ଧ୍ୱସ୍ତବିଧ୍ୱସ୍ତ ପଥପ୍ରାନ୍ତରରେ ଶପଥବଦ୍ଧ ଠେଙ୍ଗାବାହିନୀ ଘୁରିବୁଲିବ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ତଥା – ଚୁଡା, ଚିନି, ଅମୂଲ, ବିସ୍କୁଟ ସମେତ ମହମବତୀ, ଦିଆସିଲି, ମଶାଧୂପ, ଲୁଗାଧୂଆ ସାବୁନ୍, ଦେହଲଗା ସାବୁନ୍ ଓ ଶାଢୀ, ଲୁଙ୍ଗି ଇତ୍ୟାଦି ଉତପୀଡିତ ସମୁଦାୟଙ୍କୁ ଯୋଗାଇଦେବାଲାଗି । ଏହି ମାନବିକ ପଟୁଆର ଜରିଆରେ ଆପଣମାନଙ୍କର ଆନ୍ତରିକ ସାହାଯ୍ୟ ଓ ସହଯୋଗ ଆମ୍ଭମାନଙ୍କର ଏକାନ୍ତ କାମ୍ୟ ।