କରଞ୍ଜପୁର ରାସ୍ତା ପୋଖରୀ ଭ୍ରମ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) : ସ୍କୁଲ ବ୍ୟାଗ୍ ମୁଣ୍ଡ ଉପରକୁ ଉଠାଇ ଗୋଟେ ହାତରେ ସାଥୀର ହାତ ଧରି ଅନ୍ୟ ହାତରେ ନାକକୁ ଚାପି ଯାତାୟାତ କରିବାକୁ ପଡୁଛି । କାରଣ ତଳେ ଦୂଷିତ ପାଣି ଆଉ ତା ଉପରେ ମଶାର ଝୁଣ୍ଡ। ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ କରଞ୍ଜପୁର ରାସ୍ତାର ବର୍ଷା ହେଲେ ପ୍ରତିଦିନର ଦୃଶ୍ୟ । ଆଳଙ୍ଗପୁର ଓ ଅସ୍ତରଙ୍ଗକୁ ଯୋଡୁଥିବା ଏହି ଗୋଟିଏ ରାସ୍ତା ବର୍ଷା ଆସିଲେ ନଦୀ ପାଲଟି ଯାଉଛି। ଆଉ ସେହି ନଦୀରେ ଧୀରେ ଧୀରେ ପାଣିରେ ପଶି ସ୍କୁଲ ଯାଉଛନ୍ତି ଶହ ଶହ କୁନି ପିଲା ଓ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ସ୍ଥାନୀୟ ଲୋକେ। ସବୁଠୁ ବଡ ଅଭିଯୋଗ ପିଲାଙ୍କ ଶରୀର ରୋଗରେ ଭରିଗଲାଣି। ଦିନ ଦୁଇ ଦିନ ଧରି ପାଣି ଜମି ରହୁଥିବା ଏହି ପାଣିରେ ଗୋଡ ବୁଡାଇ ଯିବା ଫଳରେ ଛୋଟ ଛୋଟ ପିଲାଙ୍କ ଗୋଡ, ହାତ ଓ ଶରୀରେ କୁଣ୍ଡିଆ, ଚର୍ମରୋଗ ଓ ଘା ହୋଇସାରିଲାଣି । ସ୍କୁଲ ନ ଗଲେ ସାର୍ ମାରିବେ, ଗଲେ ପାଣିରେ ରୋଗ ହେବ ଏହି କଥା କହି କାନ୍ଦୁଥିଲା ତୃତୀୟ ଶ୍ରେଣୀ ଛାତ୍ରୀ ସୋନା । ଅଭିଭାବକଙ୍କ ଆଖିରୁ ଲୁହ ଝରୁଛି। ଆମେ ପିଲାଙ୍କୁ ପାଠ ପଢାଇବା ପାଇଁ ପଠାଉଛୁ ନା ରୋଗୀ କରିବା ପାଇଁ ଡାକ୍ତର କହୁଛନ୍ତି ଏହି ଅପରିଷ୍କାର ପାଣି ଯୋଗୁଁ ଇନଫେକସନ ହୋଇଛି। ଔଷଧ କିଣି କିଣି ଆମେ ଗରିବ ହୋଇଗଲୁଣି ବୋଲି କହିଲେ ମା ସବିତା ପରିଡା । କେବଳ ଚର୍ମରୋଗ ନୁହେଁ। ସ୍ଥିର ପାଣିରେ ମଶା ମାଛିଙ୍କ ରାଜ୍। ଘରେ ଘରେ ଜ୍ଵର, ଡେଙ୍ଗୁର ଭୟ । ରାତି ହେଲେ ଶୋଇବା ଅସମ୍ଭବ। ବୃଦ୍ଧ, ଅସୁସ୍ଥ ଲୋକେ ଅସ୍ତରଙ୍ଗ ଡାକ୍ତରଖାନା ମଧ୍ୟ ଯାଇ ପାରୁନାହାନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରଶାସନ ନିଦ୍ରାରେ ।ମାସ ମାସ ଧରି ଅଭିଯୋଗ ପରେ ବି ନା ପାଣି ନିଷ୍କାସନ ହେଲା, ନା ଗୋଟେ ଥର କୀଟନାଶକ ସ୍ପ୍ରେ ହେଲା, ନା ଡ୍ରେନେଜର ଇଟାଟିଏ ପଡିଲା। ଗ୍ରାମବାସୀ ଙ୍କ ଦାବୀ ଏବେ ଯୁଦ୍ଧକାଳୀନ ଭିତ୍ତିରେ ୩ଟି ଦାବୀ ରଖିଛନ୍ତି । ତୁରନ୍ତ ପାଣି ନିଷ୍କାସନ କରାଯାଉ,ଘରେ ଘରେ କୀଟନାଶକ ସ୍ପ୍ରେସିଞ୍ଚନ କରାଯାଉ ମଶା ମାରିବା ପାଇଁ,ଯୁଦ୍ଧକାଳୀନ ଡ୍ରେନେଜ ନିର୍ମାଣ ନହେଲେ ଆଗାମୀ ବର୍ଷାରେ ପୁଣି ଏହି ଅବସ୍ଥା। ଆମ ପିଲାଙ୍କ ଜୀବନ ସହ ଖେଳ ହେଉଛି। ଯଦି ୭ ଦିନ ଭିତରେ କାମ ଆରମ୍ଭ ନ ହୁଏ ତେବେ ଆମେ ପିଲାଙ୍କୁ ଧରି ବ୍ଲକ ଅଫିସ ଘେରାଉ କରିବୁ ବୋଲି ତୀବ୍ର ଚେତାବନୀ ଦେଇଛନ୍ତି ଗ୍ରାମର ମହିଳା ମାନେ। ପ୍ରଶ୍ନ ଗୋଟିଏ ଯେଉଁ ରାସ୍ତା ଉପରେ ଶହ ଶହ ପିଲାଙ୍କ ଭବିଷ୍ୟତ ନିର୍ଭର କରୁଛି ସେହି ରାସ୍ତା ପ୍ରତି ପ୍ରଶାସନର ଏତେ ଅବହେଳା କାହିଁକି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ