ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ

କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ଓ ଜଗନ୍ନାଥ ରାଉତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ତାଙ୍କ ବକ୍ତବ୍ୟରେ ପ୍ରବାଦ ପୁରୁଷ ତଥା ଆମର ଦିଗଦର୍ଶକ ସ୍ୱର୍ଗତ ବିଜୁ ପଟ୍ଟନାୟକ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆମ ରାଜ୍ୟକୁ ମୋ ଓଡିଶା , ମୋ ଓଡିଶାବାସୀ ବୋଲି ସମ୍ବୋଧନ କରୁଥିଲେ ସେ । ୧୯୧୬ମସିହାର ଆଜିଦିନରେ ଜନ୍ମ ଗ୍ରହଣ କରିଥିବା ବିଜୁବାବୁଙ୍କ ଜନ୍ମ ଦିବସକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସର୍ବଦା ପ୍ରୟାସ ଜାରିରଖିଛନ୍ତି ବୋଲି ସଭାପତି ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ । ସଭ୍ୟ ଶ୍ରୀ ରାଉତ କହିଥିଲେ ଯେ ବିଜୁବାବୁଙ୍କ ପାଇଁ ତାଙ୍କ ପୁତ୍ର ନବୀନବାବୁ ଦୀର୍ଘ ୨୦ବର୍ଷଧରି ଲଗାତର ଭାବରେ ଓଡିଶାରେ ରାଜ କରିଚାଲିଛନ୍ତି । ସଭ୍ୟ ଶ୍ରୀ ଜେନା କହିଥିଲେ ଯେ ବିଜୁ ପଟ୍ଟନାୟକ ହେଉଛନ୍ତି ଜଣେ ମୁକୁଟ ବିହୀନ ସମ୍ରାଟ । କେନ୍ଦ୍ରାପଡାରେ ରାଜନୈତିକ କର୍ମଭୂମି ଥିବା ସୂର୍ଗତ ପଟ୍ଟନାୟକ ଓଡିଶା ଓ ଓଡିଆଙ୍କୁ ଭଲପାଉଥିବା ଜଣେ ରାଷ୍ଟ୍ରନେତା । ଓଡିଶାର ବିକାଶ ପାଇଁ ସର୍ବଦା ସ୍ୱପ୍ନ ଦେଖୁଥିବା ପ୍ରବାଦ ପରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ସେ ଏହି ଅବସରରେ ଦାବି କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ମାସ ଓ ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିଥିବା ମାର୍ଶାଘାଇ ବ୍ଲକର ୫ଜଣ,ଡେରାବିଶି ବ୍ଲକର ୫ଜଣ ଓ କେନ୍ଦ୍ରାପଡା ବ୍ଲକର ୩ଜଣଙ୍କୁ ୧୦ହଜାର ଓ ୨୦ ହଜାରଟଙ୍କାର ପ୍ରୋତ୍ସାହନରାଶି ଚେକ ସମେତ ଓଡିଶା ଜୀବିକା ମିଶନ ପକ୍ଷରୁ ୨ଟି ଜିପିଏଲଏଫ ଓ ୨ଟି ସିଏଲଏଫଙ୍କୁ ୧୪ଲକ୍ଷ ୧୦ହଜାର ୯ଶହଟଙ୍କାର ପ୍ରୋତ୍ସାହନ ରାଶି ଚେକ ପ୍ରଦାନ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରକଳ୍ପ ନିର୍ଦେଶକ(କୈାଶଳ ବିକାଶ) ଅବଦୁଲ ରହମାନ ଖାନ ଉତ୍ସବ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ଦେହୁରୀ,ଅବିନାଶ ଚୈାଧୁରୀ,ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟିକ) ଅଜୟ ବିଶ୍ୱାଳ,ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ