ଚୋର ଧରିବାରେ ବିଫଳ ସଦର ଥାନା ପୋଲିସ: ପୋଲିସ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଛି। ଥାନା କ୍ଷେତ୍ରାଧିକାର ଅଧୀନରେ ଥିବା ବିଭିନ୍ନ ଗ୍ରାମ ଓ ବଜାରରେ ଘନ ଘନ ଚୋରି ହେଉଥିଲେ ମଧ୍ୟ ଚୋରକୁ ଧରିବାରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ପ୍ରାୟ ପ୍ରତି ଦୁଇ-ତିନି ଦିନ ବ୍ୟବଧାନରେ କେଉଁଠି ନା କେଉଁଠି ବାସଗୃହ କିମ୍ବା ଦୋକାନରୁ ଚୋରି ହେଉଛି। ଏନେଇ କେନ୍ଦ୍ରାପଡା ସଦର ଥାନାରେ ବାରମ୍ବାର ଲିଖିତ ଅଭିଯୋଗ ହେଉଥିଲେ ହେଁ ପୋଲିସ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ଚୋର ଓ ଦୁର୍ବୃତ୍ତମାନେ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଚୋରି କାଣ୍ଡ ଭିଆଇ ଚାଲିଛନ୍ତି ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଗୁଲନଗର ଗ୍ରାମର ତ୍ରିନାଥବିହାରରେ ରହୁଥିବା ଅବସରପ୍ରାପ୍ତ ଅଧ୍ୟାପକ ବିଶ୍ୱରଞ୍ଜନ ପୁହାଣଙ୍କ ଘରେ ଏକ ବଡ଼ଧରଣର ଚୋରି ହୋଇଛି। ଗତ ଅକ୍ଟୋବର ୧୬ ତାରିଖରେ ସେ ସଦର ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଉକ୍ତ ଦିନ ଅପରାହ୍ଣ ପ୍ରାୟ ୧ଟାରୁ ୪ଟା ମଧ୍ୟରେ ତାଙ୍କ ପତ୍ନୀ ମୋନାଲିସା ଜେନା ଅନ୍ୟ ଏକ କୋଠରୀରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତତ୍ତମୁଖ୍ୟ ଶୟନ କକ୍ଷର ଝରକା ଗ୍ରିଲ୍ ତାଡ଼ି ଘରେ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଘରେ ଥିବା ଷ୍ଟିଲ୍ ଆଲମାରିର ଦୁଇଟି ଲକର୍ ଭାଙ୍ଗି ସେଥିରେ ଥିବା ଗୋଟିଏ ସୁନା ନେକଲେସ୍‌, ଗୋଟିଏ ଚେନ୍‌, ୨ଟି ହୀରା କାନଫୁଲ, ୩ ହଳ ସୁନା କାନଫୁଲ, ୨ଟି ସୁନା ମୁଦି, ୨ ହଳ ବାଉଟି ସମେତ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହା ସହିତ ୯ଟି ଦାମୀ ପାଟଶାଢ଼ୀ, ଗୋଟିଏ ଗ୍ୟାସ୍ ସିଲିଣ୍ଡର ଓ ଗୋଟିଏ ଭ୍ୟାନିଟି ବ୍ୟାଗ୍ ମଧ୍ୟ ଚୋରି କରି ନେଇଥିଲେ। ଚୋରି ହୋଇଥିବା ଅଳଙ୍କାର ଓ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ସମ୍ବେଦନଶୀଳ ଘଟଣାରେ ସଦର ଥାନା ପୋଲିସ କେସ୍ ନଂ ୬୪୪/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୩୧(୪) ଏବଂ ୩୦୫ ଅନୁଯାୟୀ ମାମଲା ରୁଜୁ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଚୋରର ଟେର ପାଇପାରି ନାହିଁ। କେବଳ କାଗଜପତ୍ରରେ ମାମଲା ରଖି ପୋଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ, ଗୁଲନଗର ଅଞ୍ଚଳର ଏକ ଦୋକାନ ତାଡ଼ି କିଛି ସାମଗ୍ରୀ ଚୋରି ହୋଇଥିଲା। ଏହା ପରେ ସମ୍ପୃକ୍ତ ଦୋକାନ ମାଲିକ ଦୋକାନରେ ସିସିଟିଭି କ୍ୟାମେରା ଲଗାଇ ତାହାକୁ ନିଜ ମୋବାଇଲ ସହିତ ସଂଯୋଗ କରିଥିଲେ। କିଛି ଦିନ ପରେ ତାଙ୍କ ଝିଅ ମୋବାଇଲ୍ ଯାଞ୍ଚ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଦୋକାନ ଘରେ ପଶି ପୁଣି ଚୋରି କରୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଏ ବାବଦରେ ନିଜ ବାପାଙ୍କୁ ଜଣାଇବାରୁ, ସେମାନେ ଦୋକାନକୁ ଯାଇ ଘଟଣାସ୍ଥଳରୁ ଚୋରକୁ କାବୁ କରିଥିଲେ। ତେବେ ପୋଲିସ ପ୍ରତି ଭରସା ନ ରହିବା କିମ୍ବା ଆଇନଗତ ଝାମେଲାକୁ ଏଡ଼ାଇବାକୁ ଯାଇ ଦୋକାନ ମାଲିକ ଚୋର ସହିତ ଆପୋସ ରଫାଦଫା କରି ତା’ଠାରୁ ୧୦ ହଜାର ଟଙ୍କା ନେଇ ତାକୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି। କେବଳ ଗୁଲନଗର ନୁହେଁ, ବରଂ ସଦର ଥାନା ଅଧୀନସ୍ଥ ଠାକୁରପାଟଣା ଅଞ୍ଚଳରୁ ମଧ୍ୟ ବାରମ୍ବାର ଚୋରି ହେଉଥିବା ଖବର ମିଳୁଛି। ମାତ୍ର ଆଜି ସୁଦ୍ଧା ପୋଲିସ କୌଣସି ଗୋଟିଏ ହେଲେ ଘଟଣାରେ ଚୋରକୁ ଧରିବାରେ ସଫଳ ହୋଇପାରି ନାହିଁ କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିପାରି ନାହିଁ। ଲୋକମାନେ ନିଜର କଷ୍ଟାର୍ଜିତ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ହରାଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ପୋଲିସର ଚରମ ଉଦାସୀନତା ଓ ନିଷ୍କ୍ରିୟତା ସେମାନଙ୍କୁ ଆହୁରି ଅଧିକ ମାନସିକ ଯନ୍ତ୍ରଣା ଦେଉଛି। ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ନାମକୁ ମାତ୍ର ଚାଲିଥିବା ବେଳେ ଦିନ ଦ୍ୱିପ୍ରହରରେ ମଧ୍ୟ ଘରେ ପଶି ଲୁଟ୍ ଚଳାଇବା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଅପରାଧୀଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ତୁରନ୍ତ ଏହି ଦିଗରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ଚୋର ଗ୍ୟାଙ୍ଗ୍‌କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି (ଆଇଜି) ଏବଂ ଜିଲ୍ଲା ଏସପିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ